ଆଠଗଡ: ରାଜସ୍ୱ ଅମଲାଙ୍କ ଆନ୍ଦୋଳନ ଏବେ ନବମ ଦିନରେ ପହଞ୍ଚି ଥିବାବେଳେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବିଭିନ୍ନ ସେବାରୁ ବଞ୍ଚିତ ହୋଇ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଶେଷକରି ତହସିଲରେ ବିଭିନ୍ନ ପ୍ରମାଣପତ୍ର ଓ ଜମିପଟ୍ଟା ଆଦି ନପାଇ ସାଧାରଣ ଲୋକ ନିରାଶ ହୋଇ ଫେରୁଛନ୍ତି । ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ମଧ୍ୟ ସମସ୍ତ କାର୍ଯ୍ୟ ପ୍ରାୟତଃ ଠପ୍ ହୋଇଯାଇଛି । ବିଭିନ୍ନ କାମରେ ନରସିଂହପୁର, ବଡମ୍ବା, ତିଗିରିଆ ଭଳି ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆଉ ଆସୁଥିବା ଲୋକ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଗଣେଶ ପୂଜା ଥିବାରୁ ଭସାଣି ଶୋଭାଯାତ୍ରାର ଅନୁମତି ପାଇଁ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ଓଡିଶା ରାଜସ୍ୱ ଅମଲା ସଂଘର ଆହ୍ବାନ କ୍ରମେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୧ ତାରିଖ (ସୋମବାର)ଠାରୁ ରାଜସ୍ବ ଅମଲାମାନେ ସମୁହ ଛୁଟି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଠଗଡ ଉପଖଣ୍ଡର ସମସ୍ତ ରାଜସ୍ବ ଅମଲା ସାମୁହିକ ଛୁଟି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିଦିନ ଧାରଣାରେ ବସୁଛନ୍ତି ।
ଓଡିଶା ଆଜସ୍ୱ ଅମଲା ସଂଘ ପକ୍ଷରୁ ଦୀର୍ଘ ଦିନ ହେବ ୧୦ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ ସରକାରଙ୍କ ଟାଳଟୁଳ ନୀତି ଓ ପ୍ରତିଶୃତି ରକ୍ଷା କରିବାରେ ଅବହେଳା ପ୍ରଦର୍ଶନ ପ୍ରତିବାଦରେ ଏହି ଚରମ ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ଆଠଗଡ ଉପଖଣ୍ଡ ଶାଖା ପକ୍ଷରୁ କୁହାଯାଇଛି । ସଂଘର ଆଠଗଡ ଉପଖଣ୍ଡ ଶାଖା ସଭାପତି ଅନୁଜ କୁମାର ବେହେରା ଓ ସମ୍ପାଦକ ଦିନେଶ କୁମାର ବେହେରାଙ୍କ ନେତୃତ୍ବରେ ଆଠଗଡ ଏବଂ ତିଗିରିଆ ବ୍ଲକରେ କାର୍ଯ୍ୟରତ ସମସ୍ତ ରାଜସ୍ବ ଅମଲା କାର୍ଯ୍ୟବନ୍ଦ ସହିତ ଧାରଣା ଦେଇଛନ୍ତି ।



