www.samajalive.in
Friday, December 5, 2025
23.1 C
Bhubaneswar

ବିଜେଡିରେ ବିସ୍ଫୋରକ ପରିସ୍ଥିତି: ଇସିଙ୍କୁ ଭେଟିବା କାର୍ଯ୍ୟକ୍ରମକୁ ୬ ସାଂସଦଙ୍କ ବର୍ଜନ

ନୂଆଦିଲ୍ଲୀ: ଦଳୀୟ କାର୍ଯ୍ୟକ୍ରମରୁ ବିଜେଡି ସାଂସଦଙ୍କୁ ବାଦ୍‌‌ ଦିଆଯିବାକୁ ନେଇ ରାଜଧାନୀ ଦିଲ୍ଲୀରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ଦ୍ଧିଷ୍ଟ ଦଳୀୟ ନେତାଙ୍କ ଦ୍ୱାରା ଅପମାନିତ ହେବା ପରେ ମଙ୍ଗଳବାର ଭାରତୀୟ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ କନ୍‌‌ଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଦଳର ୬ ଜଣ ସାଂସଦ ବର୍ଜନ କରିଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ ସାଂସଦଙ୍କ ଅନୁପସ୍ଥିତି ଯୋଗୁଁଁ ବିଜେଡିର ଦିଲ୍ଲୀ ଅଭିଯାନ ଦୁର୍ବଳ ହୋଇଯାଇଛି। ସଂଧ୍ୟାରେ ବିଜେଡି ସାଂସଦଙ୍କ ବର୍ଜନ ବିଷୟ ଜଣାପଡ଼ିବା ପରେ ଭୁବନେଶ୍ୱରଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ଘଟଣାକ୍ରମରୁ ଜଣାପଡ଼ିଛି ଯେ, ୨୦୨୪ ସାଧାରଣ ନିର୍ବାଚନ ସମୟରେ ମତଦାନ ପ୍ରକ୍ରିୟାରେ ଅନିୟମିତା ନେଇ ବିଜେଡି ପ୍ରତିନିଧି ଦଳ ୨୩ଡିସେମ୍ବର ୨୦୨୪ ଏବଂ ୧୧ ମାର୍ଚ୍ଚ ୨୦୨୫ରେ ଦୁଇ ଥର ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ। ଉଭୟଥର ସାକ୍ଷାତ ପାଇଁ ଦଳୀୟ ସାଂସଦ ନିର୍ବାଚନ ଆୟୋଗଙ୍କଠାରୁ ସାକ୍ଷାତ ସମୟ ସ୍ଥିର କରିବା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ ପାଇଁ କନ୍‌‌ଷ୍ଟିଚ୍ୟୁସନ କ୍ଲବ ବୁକିଂ କରିଥିଲେ। ଏବେ ନିର୍ବାଚନ ଅନିୟମିତା ପ୍ରସଙ୍ଗରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଏବଂ ମହାନଦୀ ଓ ପୋଲାଭରମ ଜଳବିବାଦର ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିବା ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ତେବେ ପୂର୍ବ ଦୁଇଥର ସାକ୍ଷାତ ଏବଂ ସାମ୍ବାଦିକ ସମ୍ମିଳନୀ ଆୟୋଜନଠାରୁ ଚଳିତ ଥର ବିଜେଡି ନେତାଙ୍କ ଦିଲ୍ଲୀଗସ୍ତର ଲକ୍ଷ୍ୟ ଭିନ୍ନ ରହିଛି।

- Advertisement -

ଏଥର ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ ପାଇଁ ଦଳୀୟ ସାଂସଦଙ୍କ ସହଯୋଗ ଲୋଡ଼ାଯାଇ ନଥିଲା। ସଂସଦର ମୌସୁମୀ ଅଧିବେଶନ କାଳରେ ସମସ୍ତ ଦଳୀୟ ସାଂସଦ ଦିଲ୍ଲୀରେ ଉପସ୍ଥିତ ଥାଇ ସୁଦ୍ଧା ସୁଲତା ଦେଓଙ୍କ ବ୍ୟତୀତ ଅନ୍ୟ ସାଂସଦଙ୍କୁ ଅବଗତ କରାଯାଇ ନଥିଲା। ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ ପାଇଁ ଦିଆଯାଇଥିବା ତାଲିକାରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅମର ପଟ୍ଟନାୟକ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଭୃଗୁ ବକ୍ସିପାତ୍ର ଏବଂ ସାଂସଦ ସୁଲତା ଦେଓଙ୍କ ନାମ ଥିଲା। ତେବେ ଦିଲ୍ଲୀରେ ଉପସ୍ଥିତ ଥାଇ ସୁଦ୍ଧା ଅନ୍ୟ ସାଂସଦଙ୍କୁ କାହିଁକି ଡକାଯାଉନାହିଁ ବୋଲି ଦଳୀୟ ସାଂସଦ ମାନେ ଆପତ୍ତି ଦର୍ଶାଇବା ପରେ ସୋମବାର ରାତିରେ ବରିଷ୍ଠ ନେତା ଶ୍ରୀ ମିଶ୍ର ଫୋନ ମାଧ୍ୟମରେ ଆସିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ‘ଆମ ନାମ ପ୍ରଥମରୁ କାହିଁକି ନାହିଁ’ ବୋଲି କେତେ ଜଣ ସାଂସଦ ପଚାରିବାରୁ ଶ୍ରୀ ମିଶ୍ର ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସମ୍ବିଧାନ ସୌଧସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ସାଂସଦଗଣ ଭାରତୀୟ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଏବଂ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରିବାକୁ ନିଷ୍ପତି ନେଇଥିଲେ। ଏଥିସହ ସମସ୍ତ ଘଟଣାକ୍ରମ ବିଷୟରେ ନବୀନ ନିବାସକୁ ଜଣାଇବାକୁ ଉପସ୍ଥିତ ସାଂସଦ ଏକମତ ହୋଇଥିଲେ।

ଅପରାହ୍ନ ୩ଟା ୩୦ରେ ଭାରତୀୟ ନିର୍ବାଚନ ଆୟୋଗରେ ସାକ୍ଷାତ କାର୍ଯ୍ୟକ୍ରମ ସମୟ ନିର୍ଦ୍ଧଣ୍ଟ ହୋଇଥିଲା। ନିର୍ବାଚନ ସଦନ ଅଥବା ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସଂସଦ ଠାରୁ ମାତ୍ର ୩ଶହ ମିଟର ଦୂରରେ ଅବସ୍ଥିତ। ତଥାପି ପୂର୍ବ ନିଷ୍ପତି ଅନୁଯାୟୀ ସାଂସଦଗଣ ରାଜ୍ୟସଭା ଗୃହରେ ଉପସ୍ଥିତ ରହିଥିଲେ। ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତକୁ ସାଂସଦ ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ ଓ ଦେବାଶିଷ ସାମନ୍ତରାୟ ବର୍ଜନ କରିଥିଲେ। ସାକ୍ଷାତ ବେଳେ ଅନ୍ୟ ଦଳୀୟ ସାଂସଦ କୁଆଡ଼େ ଗଲେ, ଏଥର କାହିଁକି ଆସିଲେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ବିଜେଡି ପ୍ରତିନିଧି ଦଳଙ୍କୁ ପଚାରିଥିବା ଜଣାପଡ଼ିଛି।

ଏହାପରେ କନ୍‌‌ଷ୍ଟିଚ୍ୟୁସନ କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛଅ ସାଂସଦ ମଧ୍ୟ ଅନୁପସ୍ଥିତ ରହିଥିଲେ। ଏହି ବିଷୟରେ ବିଜେଡି ସାଂସଦମାନେ କହିଛନ୍ତି ଯେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ଠାରୁ ସମୟ ନିଆଯିବା ବେଳେ ଦଳୀୟ ସାଂସଦଙ୍କୁ ଅନ୍ଧାରରେ ରଖାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲାର ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟସଭା ସାଂସଦ ହିଁ ବିଜେଡି ସାଂସଦଙ୍କୁ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ ଏବଂ ସାମ୍ବାଦିକ ସମ୍ମିଳନୀ ଠାରୁ ଦୂରେଇ ରଖିବା ପାଇଁ ଦଳୀୟ ଫୋରମରେ ପରାମର୍ଶ ଦେଇଥିଲେ। ଉଭୟଙ୍କ ପରାମର୍ଶ ଅନୁଯାୟୀ, ଦଳୀୟ ସାଂସଦଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା। ଦେଖିବାକୁ ଗଲେ ଦିଲ୍ଲୀ ଦରବାରରେ ରାଜ୍ୟସଭାର ୭ ସାଂସଦ ହିଁ ବିଜେଡିର ବଳ। ବିନା ସାଂସଦଙ୍କ ସହଯୋଗରେ ବିଜେଡି କୌଣସି କାର୍ଯ୍ୟକ୍ରମ ସଫଳତାର ସହ କରିପାରିବ ନାହିଁ। ଦଳ ମଧ୍ୟରେ କେତେକ ନିର୍ଦ୍ଧିଷ୍ଟ ନେତାଙ୍କ ଗୋଡ଼ଟଣା ନୀତି ଯୋଗୁଁଁ ଦିଲ୍ଲୀରେ ବିଜେଡି ଲୋକହସା ହୋଇଛି। ଆଗାମୀ ଦିନରେ ଦିଲ୍ଲୀରେ ସାଂସଦଙ୍କୁ ଉଚିତ ସମ୍ମାନ ନ ମିଳିଲେ ଦଳୀୟ ସ୍ଥିତି ଅଧିକ ଦୟନୀୟ ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ। ବୁଧବାର ମହାନଦୀ ଓ ପୋଲାଭରମ ଜଳବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷଙ୍କୁ ବିଜେଡି ପ୍ରତିନିଧି ଦଳ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସାଂସଦଗଣ ସାମିଲ ହେବେ କି ନାହିଁ ତାହା ଏବେଠୁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories