ପୁଷ୍ପା ସାଜି ବାଟୁଳି ପରି ହିନ୍ଦୀ କହିଲେ ଡେଭିଡ୍‌ ଓ୍ବାର୍ନର: ଫ୍ୟାନ୍ ହେଲେ ଅଲ୍ଲୁ ଅର୍ଜୁନ, ଲୋକେ କହିଲେ- ଭୁଲରେ..

ସମାଜ ଡିଜିଟାଲ ଡେସ୍କ: ଅଷ୍ଟ୍ରେଲିଆର କ୍ରିକେଟର ଡେଭିଡ୍‌ ଓ୍ବାର୍ନର ‘ପୁଷ୍ପା’ ଚଳଚ୍ଚିତ୍ରର ଜଣେ ବଡ଼ ପ୍ରଶଂସକ। ସେ ଅଲ୍ଲୁ ଅର୍ଜୁନଙ୍କ ଭୂମିକାରେ ଅନେକ ଥର ସାମାଜିକ ଗଣମାଧ୍ୟମରେ ନଜର ଆସିଛନ୍ତି। ସେ ପାର୍ଟ -୧ର ଗୀତ ଏବଂ ସଂଳାପ ଉପରେ ଅନେକ ରିଲ୍ସ ମଧ୍ୟ କରିଛନ୍ତି। ଏବେ ସେ ସାମାଜିକ ଗଣମାଧ୍ୟମରେ ଏକ ବିଜ୍ଞାପନ ଶେୟାର କରିଛନ୍ତି, ଯାହାକୁ ଦେଖି ଉଭୟ ଅଭିନେତା ଏବଂ କ୍ରିକେଟରଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିରେ ସେ ପୁଷ୍ପା ରାଜର ନକଲ କରୁଛନ୍ତି।

କିଛି ଦିନ ପୂର୍ବରୁ ଡେଭିଡ୍‌ ଓ୍ବାର୍ନର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’କୁ ନେଇ ନିଜ ଉତ୍ସାହ ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ, ଏକ ଭିଡିଓରେ ସେ ତାଙ୍କ ମୁହଁରେ ଅଭିନେତାଙ୍କ ମୁହଁ ଲଗାଇ ଦେଇଥିଲେ। ତାକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ଆଉ ଏବେ ବିଜ୍ଞାପନରେ କ୍ରିକେଟର ଓ୍ବେକ୍‌ଫିଟ୍‌ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏଥିରେ ସେ ପୁଷ୍ପା ଭଳି ହାବ ଭାବ ପ୍ରଦର୍ଶନ କରିଛନ୍ତି। ଯାହାକୁ ଦେଖି ଅନେକ ଲୋକ କମେଣ୍ଟ କରିଛନ୍ତି।

ଅଭିନେତା ଅଲ୍ଲୁ ଅର୍ଜୁନ ମଧ୍ୟ ଓ୍ବାର୍ନରଙ୍କ ଏହି ଭିଡିଓକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କମେଣ୍ଟରେ ହସ ଇମୋଜି ସହ ଥମ୍ବ୍‌ସ ଅପ୍‌ ଓ ଫାୟର ଇମୋଜି ଦେଇଛନ୍ତି। ସେହିପରି ଜଣେ ୟୁଜର ଲେଖିଛନ୍ତି, ‘‘ସେ ଅଷ୍ଟ୍ରେଲୀୟ ନୁହନ୍ତି।’’ ଆଉ ଜଣେ ଲେଖିଛନ୍ତି, ‘‘ଡେଭିଡ ଅଷ୍ଟ୍ରେଲିଆର ନୁହେଁ, ବରଂ ଭାରତର।’’ ଅନ୍ୟ ଜଣେ ତ ଲେଖିଛନ୍ତି ଯେ, ‘‘ଭୁଲରେ ଅଷ୍ଟ୍ରେଲିଆରେ ଜନ୍ମ ହୋଇଗଲେ।’’ ସେହିପରି ଜଣେ ଲେଖିଛନ୍ତି, ‘‘ଡେଭିଡ୍‌ ଓ୍ବାର୍ନର ଅଧା ଭାରତୀୟ ଓ ଅଧା ଅଷ୍ଟ୍ରେଲୀୟ।’’ ଆଉ ଜଣେ ଲେଖିଛନ୍ତି, ‘‘ଭାଇ ଫୁଲ୍ ଟାଇମ୍‌ ପୁଷ୍ପା!!! ପାର୍ଟ ଟାଇମ୍‌ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌।’’

Comments are closed.