ଓଡ଼ିଶାରୁ ଉତ୍ତର ଭାରତ ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ ଘନକୁହୁଡ଼ି ଯୋଗୁଁ ବିଳମ୍ବରେ ଚାଲୁଛି- ଉଭୟ ରେଳ ଓ ବିମାନସେବା ଗୁରୁତର ପ୍ରଭାବିତ
ନୂଆଦିଲ୍ଲୀ, : ଉତ୍ତର ଭାରତରେ ଘନକୁହୁଡ଼ି ଯୋଗୁଁ ଉଭୟ ରେଳ ଓ ବିମାନସେବା ଗୁରୁତର ପ୍ରଭାବିତ ହୋଇଛି। ଓଡ଼ିଶାରୁ ଉତ୍ତର ଭାରତ ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ ୩ରୁ ୧୭ ଘଣ୍ଟା ବିଳମ୍ବରେ ଚାଲୁଅଛି। ଶନିବାର ସକାଳ ୭ଟା ୩୦ରେ ଭୁବନେଶ୍ୱରୁରୁ ଦିଲ୍ଲୀ ଅଭିମୁଖେ ବାହରିଥିବା ୨୦୮୧୭-ରାଜଧାନୀ ଏକ୍ସପ୍ରେସ ସୋମବାର ପ୍ରାତଃ ୩ଟା ୦୭ରେ ପ୍ରାୟ ୧୭ ଘଣ୍ଟା ୧୨ ମିନିଟ ବିଳମ୍ବରେ ପହଞ୍ଚିଛି। ସମୟସାରଣୀ ଅନୁସାରେ ରବିବାର ସକାଳ ୯ଟା ୫୫ରେ ନୂଆଦିଲ୍ଳୀ ରେଳ ଷ୍ଟେସନ ଠାରେ ରାଜଧାନୀ ଏକ୍ସପ୍ରେସ ପହଞ୍ଚିବାର ଥିଲା। ଫଳରେ ଯୋଡ଼ା ଟ୍ରେନ ଅଭାବରୁ ରବିବାର ଅପରାହ୍ନ ୧୭ଟାରେ ଛାଡ଼ିବାକୁ ଥିବା ୨୦୮୧୮ ରାଜଧାନୀ ଏକ୍ସପ୍ରେସ ସୋମବାର ସକାଳ ୧୦ଟାରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି। ସୋମବାର ସକାଳ ୯ଟା ୫୫ରେ ଦିଲ୍ଳୀରେ ପହଞ୍ଚିବାକୁ ଥିବା ୨୨୮୧୧ ରାଜଧାନୀ ଏକ୍ସପ୍ରେସ ୧୦ ଘଣ୍ଟା ବିଳମ୍ବରେ ଚାଲୁଅଛି। ଘନକୁହୁଡ଼ି ଯୋଗୁଁ ୧୮୪୭୭ ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନଟି ୧୩ ଘଣ୍ଟା ବିଳମ୍ବରେ ଚାଲୁଅଛି। ରେଳ ସମୟସାରଣୀ ଅନୁଯାୟୀ ଜାନୁଆରୀ ୧ ଦିବା ୧୩ଟା ୫ରେ ଟ୍ରେନଟି ପହଞ୍ଚିଥାନ୍ତା। ବିଳମ୍ବ ଯୋଗୁଁ ଜାନୁଆରୀ ୨ ରାତ୍ରି ସାଢ଼େ ୧ଟାରେ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳଷ୍ଟେସନ ଠାରେ ୧୮୪୭୭ ଟ୍ରେନ ଆସି ପହଞ୍ଚିବା ସମ୍ଭାବନା ରହିଛି। ଡିସେମ୍ବର ୩୦ରେ ଋଷିକେଶରୁ ବାହରିଥିବା ୧୮୪୭୮ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ୧୮ ଘଣ୍ଟା ୪୪ ମିନିଟ ଡେରିରେ ଦିଲ୍ଳୀର ହଜରତ ନିଜାମୁଦ୍ଦିନ ରେଳଷ୍ଟେସନ ଠାରେ ଆସି ପହଞ୍ଚିଥିଲା। ଓଡ଼ିଶାର ଝାରସୁଗୁଡ଼ା ରେଳ ଷ୍ଟେସନ ଠାରେ ସୋମବାର ଅପରାହ୍ନ ୧୬ଟା ୪୦ରେ ୨୭ ଘଣ୍ଟା ୪୦ ମିନିଟ ବିଳମ୍ବରେ ପହଞ୍ଚି ଗନ୍ତବ୍ୟସ୍ଥଳୀ ପୁରୀ ଅଭିମୁଖେ ଯାତ୍ରା କରିଛି।
କେବଳ ରାଜଧାନୀ ଏକ୍ସପ୍ରେସ ଅଥବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟେନ୍ର ନୁହେଁ, ଅନ୍ୟ ଟ୍ରେନ ଗୁଡ଼ିକର ମଧ୍ୟ ସମାନ ଅବସ୍ଥା। ୧୨୮୦୧ ପୁରୀ-ନୁଆଦିଲ୍ଳୀ ପୁରୁଷୋତ୍ତମ ଏକ୍ସପ୍ରେସ ଡିସେମ୍ବର ୩୧ରେ ୧୨ ଘଣ୍ଟା ୪୫ ମିନିଟ ଏବଂ ଜାନୁଆରୀ ୧ରେ ୭ ଘଣ୍ଟା ୪୫ ମିନିଟ ବିଳମ୍ବରେ ଗନ୍ତବ୍ୟସ୍ଥଳୀରେ ପହଞ୍ଚିଛି। ୨୦୮୦୭ ବିଶାଖାପାଟଣା-ଅମୃତସର ହିରାକୁଦ ଏକ୍ସପ୍ରେସ ଡିସେମ୍ବର ୩୦ରେ ୯ ଘଣ୍ଟା ୯ ମିନିଟ ଡେରିରେ ଦିଲ୍ଳୀ ଆସିଛି। ୧୨୮୧୫ ନନ୍ଦନକାନନ ଏକ୍ସପ୍ରେସ ଡିସେମ୍ବର ୩୧ରେ ୮ ଘଣ୍ଟା ୫ ମିନିଟ ଏବଂ ଡିସେମ୍ବର ୩୧ ସଂଧ୍ୟାରେ ୫ ଘଣ୍ଟା ୩ ମିନିଟ ଡେରିରେ ଆସି ପହଞ୍ଚିଛି। ୨୨୮୦୫ ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ ଏକ୍ସପ୍ରେସ ଭାୟା ସମ୍ବଲପୁର ୨ ଘଣ୍ଟା ୩୦ ମିନିଟ, ୧୨୮୦୭ ବିଶାଖାପାଟଣା-ହଜରତ ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ୪ ଘଣ୍ଟା ୧୨ ମିନିଟ ବିଳମ୍ବରେ ଦିଲ୍ଳୀରେ ଆସି ପହଞ୍ଚିଛି। ସେହିପରି ୧୮୩୦୯ ସମ୍ବଲପୁର-ଜାମ୍ମୁ ଏକ୍ସପ୍ରେସ ସାଢ଼େ ୪ ଘଣ୍ଟା ବିଳମ୍ବରେ ଚାଲୁଥିବା ଜଣାପଡ଼ିଛି।
ଏଥିଯୋଗୁଁ ଉତ୍ତର ଭାରତର ବିଭିନ୍ନ ସ୍ଥାନରୁ ଦିଲ୍ଳୀକୁ ଆସି ଓଡ଼ିଶା ଅଭିମୁଖେ ଟ୍ରେନ ଚଢ଼ୁଥିବା ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଳମ୍ବରେ ଟ୍ରେନ ପହଞ୍ଚିବା ଯୋଗୁଁ ଯୋଡ଼ା ଟ୍ରେନ ଅଭାବରୁ ଓଡ଼ିଶା ଅଭିମୁଖେ ଟ୍ରେନ ଗୁଡ଼ିକ ବିଳମ୍ବରେ ଛାଡ଼ୁଛି। ଦିଲ୍ଲୀର ପ୍ରଚଣ୍ଡ ଶୀତରେ ଯାତ୍ରୀଙ୍କୁ ବାଧ୍ୟ ହୋଇ ପ୍ଲାଟଫର୍ମ ତଳେ ରହିବାକୁ ପଡ଼ୁଛି। ଟ୍ରେନ ବିଳମ୍ବ ଯୋଗୁଁ ଛୋଟ ପିଲା ଏବଂ ଶିଶୁ ମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ରାଜଧାନୀ ଏକ୍ସପ୍ରେସ ବିଳମ୍ବରେ ଚାଲିବା ଯୋଗୁଁ ଯଦିଓ ରେଳ ମନ୍ତ୍ରାଳୟ ଦ୍ୱାରା ଯାତ୍ରୀଙ୍କୁ ଅତିରିକ୍ତ ଖାଦ୍ୟ ବ୍ୟବସ୍ଥା କରାଯାଉଛି ତଥାପି ଖାଦ୍ୟ ପରିମାଣ ଯଥେଷ୍ଟ ନୁହେଁ ବୋଲି ଅଧିକାଂଶ ଯାତ୍ରୀ ଅଭିଯୋଗ କରିଛନ୍ତି।
Comments are closed.