‘ସବୁ ଧର୍ମର ସାରମର୍ମ ଶାନ୍ତି, ଭକ୍ତିରେ ନାହିଁ ଜାତିଭେଦ ’

ପୁରୀ  : ସବୁ ଧର୍ମର ସାରମର୍ମ ଶାନ୍ତି। ଭକ୍ତି ନଥିଲେ ଲୋକେ ଅବାଟରେ ପରିଚାଳିତ ହେବେ। ମନୁଷ୍ୟ ଜନ୍ମ ସର୍ବଶ୍ରେଷ୍ଠ। ଭକ୍ତି ମାର୍ଗରେ ଜାତିଭେଦର ସ୍ଥାନ ନାହିଁ। ପୁରୀ ଶରଧାବାଲିରେ ଅନୁଷ୍ଠିତ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଅତିଥିମାନେ ଏପରି ମତ ଦେଇଛନ୍ତି।
ରବିବାର ଦ୍ବିତୀୟ ଅଧିବେଶନରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଅତିଥି ଭାବେ ଯୋଗଦେଇ କହିଲେ ବିଶ୍ବରୂପ ଦେଖିବା ପାଇଁ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ଦର୍ଶନ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ସମର୍ପଣ ଭାବନେଇ କାର୍ଯ୍ୟ କରିବା ଉଚିତ। ଇସ୍‌ଲାମ ଧର୍ମରେ ମଧ୍ୟ ହଜ୍‌ ଯାତ୍ରାରେ ଯିବାବେଳେ ଆଲ୍ଲାଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ଧର୍ମର ସାରମର୍ମ ଏକ। ବିଶ୍ବାସ ଓ ଭକ୍ତି ଶୃଙ୍ଖଳିତ ଜୀବନଯାପନ ପାଇଁ ବାଟ ଦେଖାଏ ବୋଲି ସେ କହିଛନ୍ତି।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପକ୍ଷରୁ ଡ. ଆଚାର୍ଯ୍ୟଙ୍କ ସମେତ ବିଧାୟକ ମୋକିମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ମାରୱାଡ଼ି ସମାଜ ସଭାପତି ବିଜୟ କୁମାର ଖଣ୍ଡେଲୱାଲ, ସମାଜସେବୀ ଦେବକାନ୍ତ ମହାନ୍ତି, ଭକ୍ତି ବେଦାନ୍ତ ମାଧବ ମହାରାଜ, ଭକ୍ତି ବିଚାର ବିଷ୍ଣୁ ମହାରାଜ, ଭକ୍ତି ବେଦାନ୍ତ ଜ୍ୟୋତି ମହାରାଜ, ଭକ୍ତି ବେଦାନ୍ତ କେଶବ ମହାରାଜ, ଭକ୍ତି ମଧୁସୂଦନ ମହାରାଜ, ସ୍ବାମୀ ଗୋପୀନାଥ ଦାସ ଏବଂ ସ୍ବାମୀ ହୃଷିକେଶ ମହାରାଜ ଉଦ୍‌ବୋଧନ ଦେଇଥିଲେ।
ସାନ୍ଧ୍ୟ ଅଧିବେଶରେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଭାରତ ମସଲା ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ସମାଜସେବୀ କିଷନଲାଲ ଭରତିଆ ଅତିଥିଭାବେ ଯୋଗ ଦେଇଥିଲେ। ଗୌଡ଼ୀୟ ମିଶନ ପ୍ରତିଷ୍ଠାତା ଶ୍ରୀଳ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦଙ୍କ ଜୀବନୀ ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ।
ଗୌଡ଼ୀୟ ମିଶନ ସଭାପତି ଭକ୍ତି ସୁନ୍ଦର ସନ୍ନ୍ୟାସୀ ମହାରାଜ ଏବଂ ଗୋପୀନାଥ ଗୌଡ଼ୀୟ ମଠ ସଭାପତି ଭକ୍ତି ବିବୁଧ ବୋଦ୍ଧାୟନ ମହାରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୌଡ଼ୀୟ ମିଶନ ଭକ୍ତଙ୍କ ଦ୍ବାରା ବାଉଲ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶ୍ରୀଳ ପ୍ରଭୁପାଦଙ୍କ ଜୀବନୀ ଉପରେ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥିଲା। ଭାରତ ସମେତ ବିଭିନ୍ନ ଦେଶରୁ ଶତାଧିକ ଗୌଡ଼ୀୟ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇଛନ୍ତି।

kalyan agarbati

Comments are closed.