ଦେଶ ପରିବର୍ତ୍ତନ କରିବାରେ ଶିକ୍ଷା ବଡ଼ ଶକ୍ତି : ପ୍ରଧାନମନ୍ତ୍ରୀ
‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦ୍ଯାପିତ
ଶିକ୍ଷକଙ୍କ ଦକ୍ଷତା ବଢ଼ାଇବାକୁ ହେଉଛି ବ୍ୟାପକ ଯୋଜନା: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ କରିବା ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାଥମିକତା ବୋଲି ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମଠାରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସମାଗମ ୨୦୨୩କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷାର ଦୁନିଆରେ ଅନେକ ମାନଦଣ୍ଡ ରହିଛି। ଆମେ ଯେତେବେଳେ ଭାରତ ବିଷୟରେ ଟିପ୍ପଣୀ ରଖୁଛୁ, ଆମର ଏକ ବଡ଼ ପ୍ରୟାସ ଅଛି। ତାହା ହେଉଛି ସମାନତା। ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା ହେଉଛି ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ଏବଂ ଶିକ୍ଷା ପାଇଁ ସମାନ ସୁଯୋଗ ମିଳିବା ଉଚିତ୍। ଯେତେବେଳେ ଆମେ ସମାନ ଶିକ୍ଷା ଏବଂ ସମାନ ସୁଯୋଗ କଥା କହୁଛୁ, କେବଳ ବିଦ୍ୟାଳୟ ଖୋଲିଦେଲେ ଏହି ଦାୟିତ୍ୱ ପୂରଣ ହୋଇପାରିବ ନାହିଁ। ସମାନ ଶିକ୍ଷାର ଅର୍ଥ ହେଉଛି ଶିକ୍ଷା ସହିତ ସମ୍ବଳର ସମାନତା। ସମାନ ଶିକ୍ଷାର ଅର୍ଥ ହେଉଛି ପ୍ରତ୍ୟେକ ପିଲାଙ୍କୁ ପାଠପଢା ବୁଝାପଡିବା ଏବଂ ପସନ୍ଦ ଅନୁସାରେ ବିକଳ୍ପ ମିଳିବା। ସମାନ ଶିକ୍ଷାର ଅର୍ଥ ହେଉଛି ଆସନ ସଂଖ୍ୟା ଓ ବର୍ଗ କାରଣରୁ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୁଅନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶକୁ ସଫଳ କରିବା ଓ ଦେଶର ଭାଗ୍ୟକୁ ପରିବର୍ତ୍ତନ କରିବାର ସବୁଠାରୁ ବଡ଼ ଶକ୍ତି ହେଉଛି ଶିକ୍ଷା। ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି, ସେଥିରେ ଆଜି ଆମର ଶିକ୍ଷା ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଶିକ୍ଷା ନୀତି ଦ୍ୱାରା ଦେଶର ସବୁ ଭାଷାକୁ ସମ୍ମାନ ଓ ପ୍ରୋତ୍ସାହନ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦୁଇଦିନିଆ ଏହି ସମାଗମ ରବିବାର ଉଦ୍ଯାପିତ ହୋଇଛି। ଉଦ୍ଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି। ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଏକ ମନ୍ଦିର। ଆମେ ସମସ୍ତେ ଶିକ୍ଷା ପରିବାରର ଏକ ଅଂଶ, ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ଆମର ଦାୟିତ୍ୱବୋଧକୁ ସମ୍ପାଦନ କରିବା ଆମର ଦାୟିତ୍ୱ। ଏକବିଂଶ ଶତାବ୍ଦୀରେ ଦେଶକୁ ଆଗକୁ ନେବା ପାଇଁ ଶିକ୍ଷକଙ୍କ ଦକ୍ଷତା ବଢାଇବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉପରେ ବ୍ୟାପକ ଯୋଜନା ପ୍ରସ୍ତୁତ ହେଉଛି। ଚଳିତ ଶିକ୍ଷାବର୍ଷରେ ୧୦୦ଟି ଡାଇଟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଆମ ଦେଶରେ ୧ କୋଟି ବିଦ୍ୟାଳୟ ଶିକ୍ଷକ ଅଛନ୍ତି। ତାଙ୍କର କ୍ଷମତା ବଢାଇବା ଆମର ପ୍ରାଥମିକତା। ଆମ ଦେଶରେ ୫୦ ହଜାର ମହାବିଦ୍ୟାଳୟ ଏବଂ ୧୧୦୦ ବିଶ୍ୱବିଦ୍ୟାଳୟ ଓ ତତ୍ସହ ଅନୁବନ୍ଧିତ ଅନେକ ଶିକ୍ଷାନୁଷ୍ଠାନ ଅଛି। ଏହାକୁ ଗତି ଦେବା ପାଇଁ ୟୁଜିସି ଓ ଉଚ୍ଚ ଶିକ୍ଷାନୁଷ୍ଠାନ ବିଭାଗ ପ୍ରାରମ୍ଭରେ ମାଲବୀୟ ମିଶନ ଅନ୍ତର୍ଗତ ସବୁ ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରର ଶିକ୍ଷକଙ୍କ ପାଇଁ ଦକ୍ଷତା ବୃଦ୍ଧି ନିମନ୍ତେ ବ୍ୟବସ୍ଥା କରାଯିବ। ଏହାବ୍ୟତିତ ଏକବିଂଶ ଶତାବ୍ଦୀର ନୂଆପିଢି ପାଇଁ ବିଦ୍ୟାଳୟ ଶିକ୍ଷା ପାଇଁ ୧୦୦ଟି, ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ୧୦୦ଟି ଏବଂ ଦକ୍ଷତା ପରିସଂସ୍ଥାନ କ୍ଷେତ୍ରରେ ୧୦୦ଟି ଟ୍ରେନର ଟ୍ରେନିଂ ଇନଷ୍ଟିଚ୍ୟୁସନ ଏବଂ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର କାମ କରୁଛନ୍ତି। ଶନିବାର ଉଦ୍ଘାଟନ ଉତ୍ସବରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଭାରତର ଜ୍ଞାନଧାରାକୁ ଭବିଷ୍ୟତରେ ସମୃଦ୍ଧ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଦୂରଦର୍ଶୀ ଦସ୍ତାବିଜ। ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଟାଗୋର, ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ମଦନ ମୋହନ ମାଲବୀୟ ଓ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଭଳି ମହାପୁରୁଷମାନେ ଯେଉଁ ସାମଗ୍ରିକ ଏବଂ ବହୁଭାଷୀ ଶିକ୍ଷାର ପରିକଳ୍ପନା କରିଥିଲେ, ଆଜି ଜାତୀୟ ଶିକ୍ଷା ନୀତିରେ ସେହି ଚିନ୍ତାଧାରାକୁ ବାସ୍ତବର ରୂପ ଦିଆଯାଉଛି। ଜାତୀୟ ଶିକ୍ଷା ନୀତିର ସ୍ୱରୂପ ଭାରତର ଶିକ୍ଷା ପ୍ରତି ଭାରତର ଭାବନାର ପ୍ରତୀକ। ଶିକ୍ଷା ନୀତି ଉପନିବେଶବାଦ ମାନସିକତାରୁ ମୁକ୍ତି ଦେବ। ଶନିବାର ପ୍ରଧାନମନ୍ତ୍ରୀ ପିଏମ ଶ୍ରୀ ଯୋଜନାରେ ପ୍ରଥମ କିସ୍ତି ଜାରି କରିଥିଲେ। ଦେଶର ୬ ହଜାର ୨୦୭ଟି ସ୍କୁଲ ଏହି ପ୍ରଥମ କିସ୍ତିରେ ମୋଟ ୬୩୦ କୋଟି ଟଙ୍କା ପାଇଛନ୍ତି। ଏହାସହ ପ୍ରମୁଖ ୧୨ଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଥିବା ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକର ଉନ୍ମୋଚନ କରିଥିଲେ। ପିଏମ ଶ୍ରୀ ବିଦ୍ୟାଳୟ ଶିକ୍ଷାର ଏକ ବୃହତ ବ୍ୟବସ୍ଥା।
Comments are closed.