“ରକ୍ତ ଗୋଲାପ ରୂପ ନେଇ ଫୁଟେ ତୁମ ଅଙ୍ଗନେ ମୁହିଁ
ସଞ୍ଜ ଆଗରୁ ଚାହିଁ ଦେବ ଥରେ ନ ଛୁଇଁଲେ ପଛେ ନାହିଁ II୦II
ମୁଁ ଅତି ଅଝଟ ଟିକିଏ ଦୁଃଖରେ ଲୁହ ମୋ ଆସୁଛି ବହି
ମନ ବୁଝିବାକୁ ‘ହଁ’ କରି ଦେଇ କରି ପାର ପଛେ ‘ନାହିଁ’ II୧II
ସୁଖ ତ ଆସୁଛି ଫଗୁଣର ପରି ବଇସାଖୀ ସାଥେ ନେଇ
ଯେମିତି ମୋହର ପ୍ରିୟା କରିଥାଏ ‘ହଁ’ ପଛେ ପଛେ ‘ନାହିଁ’ II୨II
ଭାଗ୍ୟର ସାଥେ ପଶା ମୁଁ ଖେଳୁଛି ଗୁଇଁଆ ମୋ କିଛି ନାହିଁ
ଏ ପରାଜୟରେ ଗୌରବ ଅଛି ନ ଜିତିଲେ ପଛେ ନାହିଁ II୩II
ହୁଏତ ତୁମର କଥାର ମହତ କିଛି ଅଛି କିଛି ନାହିଁ
‘ଅକ୍ଷୟ’ ହେଲେ କହେ ନାହିଁ କେବେ ଆଗେ ‘ହଁ’ ପଛେ ‘ନାହିଁ’ II୪II
ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଓଡ଼ିଆ ସଙ୍ଗୀତ ଇତିହାସର ମଉଡମଣୀ ଏବଂ ଓଡ଼ିଆ ସଙ୍ଗୀତର ପ୍ରତିଟି ଭାବ ଓ ଶୈଳୀକୁ ଘରେ ଘରେ ପରିଚିତ କରାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଅକ୍ଷୟ ମହାନ୍ତି ଯିଏ ଖୋକା ଭାଇ ନାଁରେ ପରିଚିତ, ଆଜି ତାଙ୍କର ଜନ୍ମଦିନ। ଗାୟକ ଭାବରେ ସମସ୍ତଙ୍କ ପାଖରେ ପରିଚିତ ଅକ୍ଷୟ ଥିଲେ ଏକଧାରାରେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ସ୍ୱର ସଂଯୋଜକ ଏବଂ ସାହିତ୍ୟିକ। ଓଡ଼ିଆ ଜନ ମାନସରେ ସେ ଅନେକ ନାଁ ଓ ଅନେକ ଭୂମିକାରେ ପରିଚିତ ଥିଲେ। କେବେ ଆର୍ଯ୍ୟ ଦାଶ ତ କେବେ ଅନେଶତ ରାଣୀର ରାଜା।
୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ପିତା ବିଚିତ୍ରାନନ୍ଦ ମହାନ୍ତି ଏବଂ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ଅକ୍ଷୟ ମାତ୍ର ୨୨ ବର୍ଷ ବୟସରେ ୧୯୫୬ ମସିହାରେ ସରକାରୀ ଚାକିରୀରେ ଯୋଗ ଦେଇଥିଲେ ମଧ୍ୟ ସାତ ବର୍ଷ ପରେ ୧୯୬୩ରେ ଚାକିରିରୁ ଇସ୍ତଫା ଦେଇଥିଲେ। ୧୯୫୬ରେ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ୧୯୫୯ରେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କୁ ମିଳିଥିଲା ଅନେକ ସଫଳତା।
୧୯୫୯ରେ ଅକ୍ଷୟ ଓଡ଼ିଆ ଚଳଚ୍ଚିତ୍ର ‘ମା’ରେ ଗାଇଥିଲେ ପ୍ରଥମ ଗୀତ। ସେଇ ପ୍ରଥମ ଗୀତ ‘ଗୋରୀ ଗୋରୀ ଗୋରୀ…’ ବହୁତ ଲୋକପ୍ରିୟତା ହାସଲ କରିଥିଲା। ସେ ୧୨୯ଟି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ନିତାଇ ପାଲିତ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମଲାଜହ୍ନ’ରେ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ରକତ ଟଳମଳ’ ଗୀତ ସୁପରହିଟ ହୋଇଥିଲା।
ସେ ଗାଇଥିବା ଲୋକପ୍ରିୟ ଗୀତଗୁଡିକ ମଧ୍ୟରେ ଉଡି ଉଡି ଉଡି, ଢେଉ ଢେଉକା ପାହାଡ଼ ତଳେ, ନଦୀ ଫେରେ ସାଗରକୁ, ଦୁନିଆଁ ଜାଣେ ତ ସାଗର ବୁକୁରେ, କିଛି ଲୁହ ପୋଛା ହୁଏ, ନିଶି ବିଜନେ ମୁଁ ଭାବେ ମନେ ଅନ୍ୟତମ। ସେ କେବଳ ଯେ ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ ତାହା ନୁହେଁ, ସେ ଆଧୁନିକ, ଚମ୍ପୁ, ଓଡିଶୀ, ଲଘୁ ସଙ୍ଗୀତ ଓ ଗଜଲ ଭଳି ୧୫ ହଜାରରୁ ଅଧିକ ଗୀତ ରଚନା କରିଛନ୍ତି। ସ୍ମୃତି ତୁମେ ଶ୍ରାବଣ ରାତି, ହେ ଫଗୁଣ ତୁମେ, ପୁଣ୍ୟର ନଦୀ ତୀରେ ଭଳି ଅନେକ ଆଧୁନିକ ଗୀତ ଗାଇଥିବା ଅକ୍ଷୟ ଓଡ଼ିଆ ଆଧୁନିକ ସଂଗୀତରେ ଆରମ୍ଭ କରିଥିଲେ ନୂଆ ଯୁଗ।
ସେ କଣ ଥିଲେ ହୁଏତ ଗୋଟିଏ ଶବ୍ଦ କି ଗୋଟିଏ ବାକ୍ୟରେ କହିବା ସହଜ ନୁହେଁ। ସେ ଥିଲେ ‘ଆର୍ଯ୍ୟ ଦାଶର ଆତ୍ମଲିପି’ର ଆର୍ଯ୍ୟ, ‘ମଧୁଶାଳା’ର ଅତିଥି, ‘ଅଫେରା ନଦୀ କୂଳ’ର ଅପେକ୍ଷାରତ ପ୍ରେମିକ, ‘ନଗ୍ନ ମୋନାଲିସା’ର ଜୀବନ ଦୀପ ଓ ‘ଅନେଶତ ରାଣୀ’ର ରଜା….ଅକ୍ଷୟ ମହାନ୍ତି।



