ଏମ୍‌ସରେ ଚିକିତ୍ସା ପାଇଁ ଲାଲୁଙ୍କୁ ଅନୁମତି

0

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତିରେ ଦୋଷୀସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସରେ ଚିକିତ୍ସିତ ହେବାକୁ ସ୍ଥାନୀୟ ଅଦାଲତ ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ଗତ ଶନିବାର ଗୋଖାଦ୍ୟ ଦୁର୍ନୀତି ସଂକ୍ରାନ୍ତ ଚତୁର୍ଥ ମାମଲାରେ ସିବିଆଇ ଅଦାଲତ ଲାଲୁଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୧୪ ବର୍ଷ କାରାଦଣ୍ଡାଦେଶ ଓ ୬୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି। ତେବେ ରାୟ ପ୍ରକାଶ ପାଇବା ପୂର୍ବଦିନ ଲାଲୁ ଅସୁସ୍ଥ ହୋଇପଡିବା ଫଳରେ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗୋଖାଦ୍ୟ ଦୁର୍ନୀତିର ପୂର୍ବ ତିନିଟି ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଲାଲୁ ବର୍ତ୍ତମାନ ରାଞ୍ଚିର ଏକ ଜେଲରେ ରହିଛନ୍ତି। ଅସୁସ୍ଥ ହେବାପରେ ଉନ୍ନତ ଚିକିତ୍ସା ପାଇଁ ସେ ଏମ୍‌ସରେ ଭର୍ତ୍ତି ହେବାକୁ ଚାହୁଛନ୍ତି ବୋଲି ଲାଲୁ ଆବେଦନ କରିଥିଲେ। ଜେଲ ପାଇଁ ଉଦ୍ଦିଷ୍ଟ ମେଡିକାଲ ବୋର୍ଡର ସୁପାରିସକ୍ରମେ ଅଦାଲତ ଏହି ଆବେଦନକୁ ମଞ୍ଜୁର କରିଛନ୍ତି।
ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବାବେଳେ ଗୋଖାଦ୍ୟ କିଣିବା ପ୍ରସଙ୍ଗରେ ବିଭିନ୍ନ ଟ୍ରେଜେରୀରୁ ବେଆଇନଭାବେ କୋଟି କୋଟି ଟଙ୍କା ଉଠାଇଥିଲେ। ପ୍ରଥମ ମାମଲାରେ ତାଙ୍କୁ ୫ ବର୍ଷ, ଦ୍ୱିତୀୟ ମାମଲାରେ ୩.୫ ବର୍ଷ ଓ ତୃତୀୟ ମାମଲରେ ୫ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି।

Leave A Reply