ଧାମରା: ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ପୂର୍ବାହ୍ନ ୯.୪୮ମିନିଟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଧାମରା ଠାରେ ଥିବା ଅବଦୁଲ୍ କଲାମ ଘାଟିର ୪ନଂ ଲଞ୍ଚ ପ୍ୟାଡରୁ ଉତ୍କ୍ଷେପଣ କରାଯାଇଥିଲା। ଉତ୍କ୍ଷେପଣ ହେବାର ୧୨ ମିନିଟ୍ ମଧ୍ୟରେ ଏହା ଲକ୍ଷ୍ୟ ଭେଦ କରିପାରିଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅଗ୍ନି-୫’ର ଏହା ଷଷ୍ଠ ପରୀକ୍ଷଣ। ୧୭ମିଟର ଲମ୍ବ, ୨ମିଟର ଗୋଲେଇ ଓ ୫୦ଟନ ଓଜନ ବିଶିଷ୍ଟ ଅଗ୍ନି-୫ କ୍ଷେପଣାସ୍ତ୍ରରେ ୧.୧ଟନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏଥିରେ ତ୍ରିସ୍ତରୀୟ କଠିନ ଇନ୍ଧନ ବ୍ୟବହାର କରାଯାଇଛି। ପ୍ରଥମ ସ୍ତରରେ ନିଆଁ ଧରିବାର ୬୦ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ସ୍ତର ଏବଂ ତାହାର ୧୮୦ସେକେଣ୍ଡ ମଧ୍ୟରେ ତୃତୀୟ ସ୍ତରରେ ଅଗ୍ନି ସଂଯୋଗ ହୋଇଥାଏ।
ଅଗ୍ନି-୫ କ୍ଷେପଣାସ୍ତ୍ର ଚୀନ, ରୁଷିଆ, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ବେଜିଂ, ହଂଗକଂଗ,ବ୍ୟାଂକକ୍, ଜାକର୍ତା ଏବଂ ଟୋକିଓକୁ ଲକ୍ଷ୍ୟଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଏହାକୁ ଉଭୟ ସଡ଼କ ଓ ରେଳ ଲଞ୍ଚ ପ୍ୟାଡରୁ ମୋବାଇଲ ଲଞ୍ଚର ଯୋଗେ ପରୀକ୍ଷଣ କରାଯାଇ ପାରିବ। ଏହାର ପ୍ରଥମ ପରୀକ୍ଷଣ ୧୯ଏପ୍ରିଲ ୨୦୧୨, ଦ୍ୱିତୀୟ ପରୀକ୍ଷଣ ୧୫ ସେପ୍ଟେମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫, ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬ରେ ଏବଂ ୫ମ ପରୀକ୍ଷଣ ୧୮ଜାନୁଆରୀ ୨୦୧୮ରେ ସଫଳତାର ସହ ହୋଇଥିଲା। ୫୦କୋଟି ଟଙ୍କା ବ୍ୟୟରେ ବିକଶିତ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଭାରତୀୟ ସ୍ଥଳ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା।
ଅଗ୍ନିି-୫ର ୬ଷ୍ଠ ସଫଳ ପରୀକ୍ଷଣ
Popular Categories



