ଇଦ୍‍ ପାଇଁ ଆଫଗାନ୍‍-ତାଲିବାନର ଅସ୍ତ୍ରବିରତି ଘୋଷଣା

0

କାବୁଲ : ସର୍ବପ୍ରଥମ ଥର ପାଇଁ ଆତଙ୍କବାଦୀ ସଂଗଠନ ତାଲିବାନର ଆଫଗାନିସ୍ତାନ ଶାଖା ପକ୍ଷରୁ ପବିତ୍ର ଇଦ୍‍ ପର୍ବ ଉପଲକ୍ଷେ ଶନିବାର ତିନିଦିନିଆ ନିଃସର୍ତ୍ତ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଗୁରୁବାର ତାଲିବାନ ବିରୋଧରେ ନିଃସର୍ତ୍ତ ଅସ୍ତ୍ରବିରତି ଘୋଷଣା କରିବା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି; କିନ୍ତୁ ବିଦେଶୀ ସେନା ସହ ଏହି ବିରତି ପାଳନ କରାଯିବ ନାହିଁ ବୋଲି ଆତଙ୍କବାଦୀ ସଂଗଠନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଏହି ସମୟ ମଧ୍ୟରେ ସେମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲେ ଅଥବା ଆକ୍ରମଣ ହେଲେ ତାହାର ଦୃଢ ମୁକାବିଲ କରାଯିବ ବୋଲି ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଇଦ୍‍ ରମଜାନ୍‍ର ୨୯ କିମ୍ବା ୩୦ ଦିନରେ ପଡ଼ୁଥିବାରୁ ଏହି ଅସ୍ତ୍ରବିରତି କେବେ ପାଳନ କରାଯିବ ତାହା ସ୍ପଷ୍ଟ କରାଯାଇ ନାହିଁ। ରାଷ୍ଟ୍ରପତି ଘନି ଇଦ୍‍ ଉପଲକ୍ଷେ ତାଲିବାନ୍‍ ଆତଙ୍କବାଦୀଙ୍କ ସହିତ ଜୁନ୍‍ ୨୦ ପର୍ଯ୍ୟନ୍ତ ନିଃସର୍ତ୍ତ ଅସ୍ତ୍ରବିରତି ଘୋଷଣା କରିଥିଲେ। କାବୁଲରେ ଆଇଏସ୍‍ଆଇଏସ୍‍ ଆତ୍ମଘାତୀ ବିସ୍ଫୋରଣରେ ୧୪ଜଣଙ୍କ ମୃତ୍ୟୁ ପରେ ଘନି ଇସ୍‍ଲାମିକ ଧର୍ମଗୁରୁମାନଙ୍କ ସହିତ ଆଲୋଚନା ପୂର୍ବକ ଏହି ନିଷ୍ପତ୍ତି ନେଇଥିଲେ।

Leave A Reply