ଓଡିଆ ପୁଅଙ୍କ କମାଲ – ଆମେରିକାର ଡ଼ଲାସରେ ହେଲା ଦୁର୍ଗାପୂଜା

ଡେସ୍କ: ଓଡିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି ଦୁର୍ଗାପୂଜା। କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ଆମେରିକାର ଡ଼ଲାସରେ ପାଳିତ ହୋଇଛି ଦୁର୍ଗାପୂଜା। ସେଠାରେ ଥିବା ଓଡ଼ିଆ ଦୁର୍ଗା ପୂଜା ସମିତି ‘ସଂସ୍କୃତି’ ଦ୍ୱାରା ମେକ୍ସିନି ସହରରେ ଅକ୍ଟୋବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ପାଳନ କରାଯାଇଥିଲା। ଅଢେଇ ଲକ୍ଷ ପ୍ରବାସୀ ଭାରତୀୟ ରହୁଥିବା ଡ଼ଲାସରେ ୨ ହଜାରରୁ ଅଧିକ ଲୋକ ଏହି ଦୁର୍ଗାପୂଜାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।


ଏହି ପୂଜା ପାଇଁ ଭାରତରୁ ମା’ ଦୁର୍ଗାଙ୍କ ମୂର୍ତ୍ତି ଓ ଓଡିଶାରୁ ସବୁ ପୂଜା ସାମଗ୍ରୀ ନିଆଯାଇଥିଲା। ରୀତିନୀତି ଅନୁଯାୟୀ ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାତି ୧୦ଟା ଯାଏଁ ମା’ଙ୍କ ପୂଜାର୍ଚ୍ଚନା ସହ ନୃତ୍ୟ, ସଙ୍ଗୀତ ଏବଂ ନାଟକ ପରିବେଷଣ କରାଯାଇଥିଲା। ଡକ୍ଟର ଶିବ ରଞ୍ଜନ ମହାପାତ୍ରଙ୍କ ଗାୟନରେ ପୂଜା ମାହୋଲ ସରଗରମ ହୋଇଥିଲା। ଆମେରିକାରେ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଓଡ଼ିଆ ଦୁର୍ଗା ପୂଜା ସମିତି ‘ସଂସ୍କୃତି’ର ଏହି ପ୍ରଚେଷ୍ଟା ନୂଆ ପିଢ଼ିଙ୍କୁ ଓଡ଼ିଆ ସଂସ୍କୃତି ଓ ପର୍ବପର୍ବାଣି ସହ ସଂଯୋଗ ସ୍ଥାପନରେ ସହାୟକ ହେବ ବୋଲି କୁହାଯାଇଛି।

Comments are closed.