ଆଜି ଗୃହରେ ଆସିବ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ

ଭୁବନେଶ୍ବର : ଚଳିତ ମୌସୁମୀ ଅଧିବେଶନରେ ମଙ୍ଗଳବାର ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଉପରେ ଗୃହରେ ସଦସ୍ୟମାନେ ଆଲୋଚନା କରିବାକୁ ଥିବାବେଳେ ଆଜି ହିଁ ବିଧେୟକଟି ଗୃହୀତ ହେବ। ତେବେ ଗତ ତିନିଦିନ ଧରି ଗୃହରେ ଏକ ପ୍ରକାର ଅଚଳାବସ୍ଥା ଦେଖା ଦେଇଥିଲା। ଗତ ସପ୍ତାହରେ ଅଧିକାଂଶ କାର୍ଯ୍ୟଦିବସରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହ ଠିକ୍ ଭାବେ ଚାଲି ପାରୁନାହିଁ । ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରୁନାହିଁ। ଅଧିବେଶନ ଶେଷ ହେବାକୁ ଯାଉଥିଲେ ହେଁ ଗୋଟିଏ ବି ମୁଲତବୀ ଆଲୋଚନା ହୋଇପାରି ନାହିଁ।
ଏହି ପରିପ୍ରେକ୍ଷୀରେ ଆଜି ବିରୋଧୀ ଓ ଶାସକଦଳର ରଣନୀତି କ’ଣ ରହୁଛି ଏବଂ ବାଚସ୍ପତି ପ୍ରମିଳା ମଲ୍ଲିକ କିଭଳି ଗୃହ ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ ଯେ, ମୌସୁମୀ ଅଧୀବେଶନର ପ୍ରଥମଦିନ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ୨୮ହଜାର ୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏହାପୂର୍ବରୁ ଚଳିତବର୍ଷ ଲାଗି ୨.୩୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଥିଲା। ଆସନ୍ତାକାଲି ଅତିରିକ୍ତ ବଜେଟ ପାରିତ ହେଲାପରେ ରାଜ୍ୟର ସମୁଦାୟ ବଜେଟ ଆକାର ୨ଲକ୍ଷ ୫୮ହଜାର ୨୦୦ କୋଟି ଟଙ୍କାକୁ ଛୁଇଁବ। ଗତ ୨୮ ତାରିଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇ ଗୃହୀତ ହୋଇଥିବା ବେଳେ ୩୦ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗୃହରେ ପାରିତ ହୋଇଥିଲା। ଏହାସହ ବଳକା ୪୦ଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗିଲୋଟିନ୍ ଜରିଆରେ ଗୃହରେ ପାରିତ ହୋଇଥିଲା। ବିଧାନସଭା ଆରମ୍ଭରୁ ବିରୋଧୀ ବିଶେଷକରି ବିଜେପି ବିଭିନ୍ନ ସମୟରେ ହଟ୍ଟଗୋଳ ଜାରି ରଖିଥିବା ବେଳେ ଅଧିକାଂଶ ଦିନ ଗୃହ ସ୍ବାଭାବିକ ଭାବେ ଚାଲିପାରିନାହିଁ। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଅଧିକାଂଶ ଦିନ ହୋଇ ନ ଥିବା ବେଳେ ବିଲ୍ ଆଲୋଚନାରେ ମଧ୍ୟ ବିରୋଧୀ ସଦସ୍ୟ ଭାଗ ନେଇନାହାନ୍ତି। ବିଧାନସଭା ସରିବାକୁ ଆଉ ୨ଟି କାର୍ଯ୍ୟଦିବସ ରହିଥିଲେ ହେଁ ଆସନ୍ତାକାଲି ହିଁ ଗୁରୁତ୍ବପୂର୍ଣ୍ଣ ଦିବସ।

Comments are closed.