ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍
ସବୁ ବିଭାଗକୁ ଉନ୍ନୟନ ଆୟୁକ୍ତଙ୍କ ପତ୍ର, ୩୧ ପରେ ଖର୍ଚ୍ଚ ପ୍ରସ୍ତାବ ଦାଖଲ ମନା
ଭୁବନେଶ୍ୱର : ଚଳିତବର୍ଷ ବିଧାନସଭାରେ ଧାର୍ଯ୍ୟ ଅବଧି ପୂର୍ବରୁ ଅତିରିକ୍ତ ବଜେଟ୍ ଆସିବ। ପ୍ରତ୍ୟେକ ବର୍ଷ ଆର୍ଥିକ ଖର୍ଚ୍ଚ ହିସାବକୁ ନେଇ ନଭେମ୍ବର ଓ ଡିସେମ୍ବରରେ ଅତିରିକ୍ତ ବଜେଟ୍ ଆସିଥାଏ। ଚଳିତ ଆର୍ଥିକ ବର୍ଷ ବଜେଟର ପ୍ରଥମ େତ୍ରୖମାସିକରେ ମାତ୍ର ୧୪.୬୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨ମାସ ପୂର୍ବରୁ ଅତିରିକ୍ତ ବଜେଟ ଆଣିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ଚଳିତମାସ ୧୦ ତାରିଖରେ ସବୁ ବିଭାଗଠାରୁ ପ୍ରସ୍ତାବ ଲୋଡ଼ାଯାଇଥିବା ବେଳେ ଏବେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ପୁନର୍ବାର ପତ୍ର ଲେଖି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି।
ଶ୍ରୀମତୀ ଗର୍ଗ ଅର୍ଥ ବିଭାଗ ଓ ଯୋଜନା ଏବଂ ସଂଯୋଜନା ବିଭାଗକୁ ବାଦ୍ ଦେଇ ଅନ୍ୟ ସମସ୍ତ ବିଭାଗକୁ ଅବଗତ କରାଇଛନ୍ତି ଯେ, ଚଳିତମାସ ୩୧ ତାରିଖ ପରେ କୌଣସି ବିଭାଗର କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ। ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି। ଦୂରସଞ୍ଚାର (ଅନ୍ଲାଇନ୍) ଜରିଆରେ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ପ୍ରସ୍ତାବ ଦେବାକୁ ପଡ଼ିବ। ପ୍ରସ୍ତାବ ଦେବା ପୂର୍ବରୁ କେତେକ ଦିଗକୁ ଗୁରୁତ୍ବ ଦେବାକୁ ହେବ। ସେଥିମଧ୍ୟରେ ଲୋକଙ୍କ ଜୀବନ ଜୀବିକାକୁ ପ୍ରାଥମିକତା ଦିଆଯିବ।
ପ୍ରଶାସନିକ ବିଭାଗ ପ୍ରସ୍ତାବ ଦେବା ଅବସରରେ ନୂତନ ନିବେଶ ପ୍ରକଳ୍ପକୁ ଅଗ୍ରାଧିକାର ଦେବେ। ଚିରାଚରିତ ଭାବେ ଯେକୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ। ବିଭାଗଗୁଡ଼ିକ ଖର୍ଚ୍ଚର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଦେବ। ଯଦି କୌଣସି ବିଭାଗ କିଛି ନୂତନ ଯୋଜନା କରିବାକୁ ଚାହୁଁଛନ୍ତି ତେବେ ରାଜ୍ୟସ୍ତରୀୟ ଆର୍ଥିକ କମିଟି ନିୟମ ଅନୁଯାୟୀ ଦେବାକୁ ପଡ଼ିବ। କୌଣସି ବିଭାଗ ଜୁଲାଇ ୩୧ ସୁଦ୍ଧା ବାସ୍ତବ ବଜେଟର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରି ନଥିଲେ ସେକ୍ଷେତ୍ରରେ ଅତିରିକ୍ତ ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ। ଯଦି କୌଣସି ବିଭାଗ ତା’ର ପୂର୍ବ ଯୋଜନା ଲାଗି ଅତିରିକ୍ତ ଅର୍ଥ ଆବଶ୍ୟକ କରିବ ତେବେ ସେକ୍ଷେତ୍ରରେ ଯୋଜନାର ରୂପରେଖରେ କେତେକ ନୂତନତ୍ବ ଆଣିବାକୁ ହେବ। ଶ୍ରୀମତୀ ଗର୍ଗ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ବିଭାଗର କାର୍ଯ୍ୟକ୍ରମ ବାବଦ ଅତିରିକ୍ତ ପ୍ରସ୍ତାବକୁ ପ୍ରଥମେ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ। ଏହାପରେ ଯୋଜନା ଓ ସଂଯୋଜନା ବିଭାଗକୁ ଅନୁମୋଦନ ଲାଗି ପଠାଇବେ, ପରେ ସଂପୃକ୍ତ ବିଭାଗ ଉକ୍ତ ପ୍ରସ୍ତାବ ଅର୍ଥ ବିଭାଗକୁ ପଠାଇବେ।
ଅର୍ଥ(ବଜେଟ) ନିର୍ଦେଶକ ଡ. ସତ୍ୟପ୍ରିୟ ରଥ ଏ ସଂକ୍ରାନ୍ତରେ ଚଳିତମାସ ୧୦ରେ ସବୁ ବିଭାଗକୁ ପତ୍ର ଲେଖି ଅବଗତ କରାଇଥିଲେ ଯେ, ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ ସାଙ୍ଗକୁ କୃଷକଙ୍କ ଉନ୍ନତି, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଣ, ଗୁଣାତ୍ମକ ଶିକ୍ଷା ଓ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସଦ୍ୟତମ ତଥ୍ୟ ଅନୁଯାୟୀ ବିଶ୍ବରେ ଏବେ ଆର୍ଥିକ ଅସ୍ଥିରତା ପରିସ୍ଥିତି ଦେଖାଦେଇଛି। ଏହି ପରିସ୍ଥିତିରେ ଅତିରିକ୍ତ ବଜେଟ ପ୍ରସ୍ତୁତ କରିବା ପୂର୍ବରୁ ଅଗ୍ରାଧିକାର ଦିଗକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏହାସହିତ ବାସ୍ତବକ୍ଷେତ୍ରରେ ବିଭାଗ କେତେ ଖର୍ଚ୍ଚ କରିଛି ଏବଂ ଆଗକୁ କେତେ ଖର୍ଚ୍ଚ କରିପାରିବ ତାହା ହିଁ ଅତିରିକ୍ତ ବଜେଟର ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ। ଭାରତ ସରକାରଙ୍କ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା(ସିଏସଏସ) କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ନିର୍ଦିଷ୍ଟ ଭାବେ ଦୂରସଞ୍ଚାର ପୋର୍ଟାଲ (ବେଟା) ଜରିଆରେ ଅବଗତ କରାଇବାକୁ ପଡ଼ିବ।
Comments are closed.