ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ଗ୍ରାମର ମହିଳା ଓ ଯୁବ ଗୋଷ୍ଠୀ ମିଳିତ ଭାବେ ଅଣ୍ଟା ଭିଡିଛନ୍ତି । ଏନେଇ ସେମାନଙ୍କୁ ସରକାରୀ ସହଯୋଗ ପାଇଁ ଅବକାରୀ ବିଭାଗ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନିବେଦନ କରାଯାଇଛି। ଗ୍ରାମରେ କିଭଳି ଭାବେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଲୋକଙ୍କୁ ନିଶାଦ୍ରବ୍ୟ ଠାରୁ ଦୂରେଇ ହେବ ସେ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି। ଉକ୍ତ ଗ୍ରାମରେ କେତେକ ସ୍ଥାନରେ ବେଆଇନ ଭାବେ ଚୋରା ମଦ ବିକ୍ରି ହେଉଥିବାରୁ ତାହା ବନ୍ଦ କରିବା ନିମନ୍ତେ ମହିଳାମାନେ ଏକଜୁଟ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଯୁବ ସମାଜସେବୀ ବିଶ୍ବରଞ୍ଜନ ନାୟକ ତତ୍ତ୍ଵାବଧାନରେ ଗ୍ରାମର ମହିଳା ଏବଂ ଯୁବଗୋଷ୍ଠୀଙ୍କୁ ନେଇ ଗଠିତ ଅଚଳକୋଟ ପଞ୍ଚାୟତ ଉନ୍ନତି ମଞ୍ଚ ପକ୍ଷରୁ ଗ୍ରାମରେ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା ସହିତ ବେଆଇନ ମଦ ବିକ୍ରି ବନ୍ଦ ଉପରେ ସଚେତନତା ସୃଷ୍ଟି କରାଯାଇଛି। ଅଚଳକୋଟ ଏକ କୃଷି ପ୍ରଧାନ ଗ୍ରାମ ହୋଇଥିବା ବେଳେ ଚୋରା ମଦ ବେପାର ଦିନକୁ ଦିନ ବଢ଼ୁଥିବାରୁ ଲୋକେ ହାତ ପାହନ୍ତରେ ମଦ ପାଇ ନିଶାଖୋର ହେଉଛନ୍ତି। ଅତ୍ୟଧିକ ମଦ୍ୟପାନ କରି ନାନା ରୋଗ ବ୍ୟାଧିର ଶିକାର ହେବା ସହିତ ଆର୍ଥିକ ଦୁର୍ଗତି ମଧ୍ୟକୁ ଚାଲିଯାଉଥିବା ଅଭିଯୋଗ ହୋଇଛି। ଏଣୁ ଚୋରାମଦ ବେପାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ରଶାସନ ନିକଟରେ ଦାବି କରାଯିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କଳ୍ପନା ମାଝି, ରେଣୁବାଳା ସାହାଣୀ, ପ୍ରେମଲତା ମାଝି, ରୂପବତୀ ମାଝି, ରୀନା ମଲ୍ଲିକ, ପୂର୍ଣ୍ଣିମା ମଲ୍ଲିକ, ମୋହିନୀ ପରିଡ଼ା,ସଞ୍ଜୁ ଦେହୁରୀ, ଝରଣା ଦେହୁରୀ, ସବିତା ରାଉତ,ମଞ୍ଜୁଲତା ରାଉତ, ସାଇବ ଦେଉରି, ମୋଟି ପରିଡ଼ା, ଅନ୍ନପୂର୍ଣ୍ଣା ରାଉତଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିବା ଜଣାପଡିଛି।
Comments are closed.