ଝାରସୁଗୁଡା : ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ପିପିଲିମାଲ ଗ୍ରାମର ଅଜାମ୍ବର କିଷାନ। ସେ ସକାଳୁ ଶୌଚ ହୋଇ ଫେରୁଥିବା ବେଳେ ରାସ୍ତାରେ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତାରେ ରଖି ଆନ୍ଦୋଳନ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଏହି ରାସ୍ତାରେ ସ୍ପୀଡ଼ ବ୍ରେକର ନ ଥିବାରୁ ଓଭର ସ୍ପିଡିଂ ସହିତ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି।
ସୂଚନାଯୋଗ୍ୟ ଯେ, ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଦାବି କରି ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଘଟଣାସ୍ଥଳରେ ଅତିରିକ୍ତ ତହସିଳଦାର ଓ ଲଖନପୁର ଆଇଆଇସି ଏବଂ ବେଲପାହାଡ଼ ଆଇଆଇସି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୨ ଲକ୍ଷ ସହିତ ରେଡ଼କ୍ରସରୁ ୧୫ ହଜାର ଟଙ୍କା ସହାୟତାର ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରି ଥିବା ଜଣାପଡିଛି।
ଅଜଣା ଗାଡି ଧକ୍କାରେ ଜଣେ ମୃତ
Popular Categories



