ନାନୋ ଫିଲଟର ମାଧ୍ୟମରେ ନୂଆ ପରିଚୟ ସୃଷ୍ଟି କଲେ ଓଡିଆ ଝିଅ ଅଭିପ୍ସା
ଆମେରିକାରେ ଅଭିପ୍ସାଙ୍କ ଗବେଷଣାକୁ ନେଇ ଚର୍ଚ୍ଚା
ରାଉରକେଲା : ରାଉରକେଲାର ଝିଅ ଡକ୍ଟର ଅଭିପ୍ସା ସାହୁ। ଏବେ ଆମେରିକାରେ ଚମକିଛନ୍ତି । ଆମେରିକାର ଜଣେ ଗବେଷକ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଭିପ୍ସା ବିଶୁଦ୍ଧ ପାନୀୟ ଜଳ ପାଇଁ ନାନୋ ଫିଲଟର ତିଆରି କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଉତ୍ତର କରୋଲିନାର ଏକ ଫାର୍ମ ତାଙ୍କର ଏହାକୁ ନେଇ ତାଙ୍କ ସହିତ ବ୍ୟବସାୟିକ କାରବାର ସକାଶେ ଲାଇସେନ୍ସ ପାଇଁ ଆଗେଇ ଆସିଥିବାରୁ ତାଙ୍କର ଆନନ୍ଦକୁ ଦ୍ୱିଗୁଣିତ କରିଛି । ‘ସମାଜ’ ସହିତ ଆଲୋଚନା କାଳରେ ଅଭିପ୍ସା, ରାଉରକେଲା ସହରକୁ ତାଙ୍କ ସଫଳତାର ଆଦ୍ୟଭୂମି ବୋଲି କହିଛନ୍ତି । ଏହି ସହରର କାର୍ମେଲ ସ୍କୁଲରୁ ଦଶମ ଏବଂ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରିଥିଲେ। ତାଙ୍କ ବାପା କୁଆଁରମୁଣ୍ଡା ବ୍ଲକର ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ସାହୁ ତାଙ୍କୁ ଗବେଷଣା ପାଇଁ ଅଧିକ ପ୍ରେରଣା ଦେଇଥିବା ବେଳେ ବ୍ୟବସାୟିକ କ୍ଷେତ୍ରରେ ମାଆ ଚୁମକି ସାହୁ ତାଙ୍କୁ ନାନୋ ଟେକେନୋଲୋଜିରେ ପ୍ରବେଶ ପାଇଁ ଲଗାତର ପ୍ରୟାସ କରିଥିଲେ। ଫଳସ୍ୱରୁପ ପରବର୍ତ୍ତୀ ପର୍ଯ୍ୟାୟରେ ନାନୋ ଟେକୋନୋଲୋଜି ଉପରେ ସ୍ନାତକ ଓ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ।
ଆମେରିକାର ଉତ୍ତର କରୋଲିନା ବିଶ୍ୱବିଦ୍ୟାଳୟରେ ପିଏଚଡି ପାଇଁ ପୂର୍ଣ୍ଣାଙ୍ଗ ସ୍କଲାରସିପ ପାଇବା ପରେ ତାଙ୍କୁ ଏହି କ୍ଷେତ୍ରରେ ଗବେଷଣା ପାଇଁ ସୁଯୋଗ ମିଳିଥିଲା । ନାନୋ ଟେକନୋଲୋଜି ଉପରେ ଗବେଷଣାତ୍ମକ ଲେଖା ପ୍ରକାଶ ପାଇଲା । ଗବେଷଣା ସମୟରେ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ନାନୋ ଫିଲଟରର ପାଇଁ ଏହି ନୂତନ ଜ୍ଞାନ କୌଶଳ ସୃଷ୍ଟି କରିଛନ୍ତି । ତାଙ୍କର କହିବା କଥା ବଜାରରେ ମିଳୁଥିବା ଫିଲଟରର କ୍ୟାଟ୍ରିଜକୁ ଅଧିକ ସମୟ ବ୍ୟବହାର କରାଯାଇପାରୁନଥିବା ବେଳେ ସେ ସୃଷ୍ଟି କରିଥିବା ଫିଲଟର କ୍ୟାଟ୍ରିଜକୁ ବାରମ୍ବର ବ୍ୟବହାର କରାଯିବା ସହିତ ପରିବେଶ ଅନୁକୂଳ ହୋଇ ପାରିବ । ଲୁଣ ପାଣିରେ ଏହାକୁ ଧୋଇ ବାରମ୍ବାର ବ୍ୟବହାର କରାଯାଇପାରିବ । ଏଥିପାଇ ଉତ୍ତର କରୋଲିନାର ଏକ ପ୍ରସିଦ୍ଧ ଫାର୍ମ ବ୍ୟବସାୟିକ କାର୍ଯ୍ୟ ଲାଗି ଆଗେଇ ଆସିବା ତାଙ୍କ ପାଇଁ ଆନନ୍ଦର ବିଷୟ ବୋଲି ସେ କହିଛନ୍ତି । ସମ୍ପ୍ରତି ଆମେରିକାର ଏକ ନାନୋ ଏଜେନ୍ସିରେ ବରିଷ୍ଠ ଗବେଷକ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଭିପ୍ସା ଆସନ୍ତା ଦିନରେ ନାନୋ ଟେକନୋଲୋଜିକୁ ନେଇ ନୂଆ କିଛି କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି।
Comments are closed.