ରଦ୍ଦି ବସ୍ତୁରେ ସୁନ୍ଦର କାରୁକଳା; ନିଜେ ବଞ୍ଚି ଅନ୍ୟର ସାହାରା ପାଲଟିଲେ କନ୍ଧମାଳର ନାବାଳିକା ସଶ୍ମିତା

ଫୁଲବାଣୀ : ଇଛା ଥିଲେ ସବୁ କାର୍ଯ୍ୟ ସଫଳ ହୋଇଥାଏ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୧୭ ବର୍ଷୀୟା ନାବାଳିକା । ନାବାଳିକା ହୋଇଥିଲେ ବି ଏବେ ସାବାଳିକାଙ୍କୁ ତାଲିମ ଦେଉଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଗ୍ରାମର ଅନ୍ୟ ଝିଅଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ ଚଳାଇଛନ୍ତି। କାମ ହେଲା ରଦ୍ଦି ବସ୍ତୁରୁ ସୁନ୍ଦର କଳାକୃତି ପ୍ରସ୍ତୁତି। କଅଁଳ ବୟସରେ ଆତ୍ମନିର୍ଭରଶୀଳ ହୋଇ ପାରିଥିବା ନାବାଳିକା ଜଣକ ହେଉଛନ୍ତି କନ୍ଧମାଳ ଜିଲା କ.ନୁଆଗାଁ ବ୍ଲକ ଅନ୍ତର୍ଗତ ବଣଗୁଡ଼ାପଞ୍ଚାୟତର ପ୍ରକାଶ ଚନ୍ଦ୍ର ସାହୁଙ୍କ ସାନଝିଅ ସଶ୍ମିତା ସାହୁ।
ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାଲନ୍ଦାପଡ଼ା ଓ ବନ୍ଧଗଡ଼ଠାରେ ଅଦରକାରୀ କାଗଜରେ ବିଭିନ୍ନ ହସ୍ତକଳା ଉପରେ ତାଲିମ୍‍ ପ୍ରଦାନ କରାଯାଇଥିଲା। ସେଥିରେ ସଶ୍ମିତା ସମେତ ଅନ୍ୟମାନେ ତାଲିମ ନେଇଥିଲେ। ତାଲିମ୍‍ରୁ ସେ ଯାହା ଶିଖିଥିଲେ ତାହାକୁ କାମରେ ଲଗାଇଛନ୍ତି। ବର୍ତ୍ତମାନ ନିଜେ ୟୁଟ୍ୟୁବ ମାଧ୍ୟମରେ ମଧ୍ୟ ଅନେକ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ଅପଲୋଡ କରିଛନ୍ତି। ପୁରୁଣା ଖବର କାଗଜରେ ସେ ବିିଭିନ୍ନ ପ୍ରକାର ଫଟୋଫ୍ରେମ୍‍ , ଫୁଲ ବୁକି ,କଳସ , ଝୁମର ଆଦି ବିଭିନ୍ନ ପ୍ରକାର ସୁନ୍ଦର ବସ୍ତୁ ତିଆରି କରିଛନ୍ତି। ଏହାସହ ଅଦରକାରୀ ବୋତଲରେ ଫୁଲଦାନୀ ଓ ଅନ୍ୟ ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରି ବେଶ ଦୁଇପଇସା ରୋଜଗାର କରୁଛନ୍ତି। ଉପରୋକ୍ତ ସାମଗ୍ରୀ ପ୍ରସ୍ତୁତ ପାଇଁ ଆବଶ୍ୟକ ଉପକରଣ ବାପା ପ୍ରକାଶଚନ୍ଦ୍ର ସାହୁ ଯୋଗାଉଛନ୍ତି। ଏହି ସବୁ ହସ୍ତକଳା ପ୍ରସ୍ତୁତିରେ ତାଙ୍କ ବଡ଼ଭଉଣୀ ସୁନିତା ସାହୁ ଓ ସାନଭାଇ ବଳରାମ ସାହୁ ମଧ୍ୟ ସହଯୋଗ କରୁଛନ୍ତି। ବାପାଙ୍କୁ ଉପକରଣ ବାବଦ ଅର୍ଥ ପ୍ରଦାନ କରିବା ପରେ ବଳକା ନିଜେ ରଖି ପାଠପଢାରେ ବିନିଯୋଗ କରୁଛନ୍ତି। ସଶ୍ମିତାଙ୍କ ବାପା ଜଣେ ବୁଲା ବେପାରି। ତାଙ୍କ ଦ୍ୱାରା ପ୍ରସ୍ତୁତ ଘରସଜ୍ଜା ସାମଗ୍ରୀକୁ ବାପା ବିକ୍ରି କରନ୍ତି ବୋଲି ସଶ୍ମିତା କହିଛନ୍ତି। ବର୍ତ୍ତମାନ ସେ ସାରଙ୍ଗଡ଼ସ୍ଥିତ କନ୍ଧମାଳ ହାୟର ସେକେଣ୍ଡାରି ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ। ଲକ୍‍ଡ଼ାଉନ୍‍ ଯୋଗୁ ବର୍ତ୍ତମାନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଥିବା ବେଳେ ସେ ବର୍ତ୍ତମାନ ଏହିସବୁ ସାମଗ୍ରୀ ତିଆରି କରିବାରେ ଅଧିକ ସମୟ ପାଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ହସ୍ତକଳାରେ ତିଆରି ବହୁ ସାମଗ୍ରୀ କନ୍ଧମାଳ ଏବଂ ବ୍ରହ୍ମପୁରରେ ବିକ୍ରିବଟା ହେଉଛି। ମାତ୍ର ୩ ଦିନ ତାଲିମ୍‍ ପାଇବା ପରେ ନିଜର ଇଛାଶକ୍ତି ଯୋଗୁ ସେ ଆଜି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ନିଜ ଗ୍ରାମର ୧୩ ଜଣଙ୍କୁ ତାଲିମ୍‍ ଦେବା ଆରମ୍ଭ କରିଛନ୍ତି। ଯେଉଁଥିରେ ଅଛନ୍ତି କିଛି କଲେଜ ଛାତ୍ରୀ। ସେହିଭଳି ଅନ୍ୟଜଣେ ମାନିନି ପ୍ରଧାନ ନାମ୍ନୀ ଜଣେ ଛାତ୍ରୀ ମଧ୍ୟ ତାଲିମ୍‍ ନେବା ପରେ ହସ୍ତକଳାରେ ଜିନିଷ ତିଆରି କିର ନିଜ ଘର ସଜାଇବାରେ ବ୍ୟବହାର କରିଛନ୍ତି।
ନଭେମ୍ବର ପହିଲାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୦ମ ସ୍ଥାପନା ଦିବସ ଅବସରରେ କନ୍ଧମାଳ ଜିଲାରେ ଯେଉଁ ୩ଜଣ କିଶୋରୀ ସମ୍ବର୍ଦ୍ଧିତ ହୋଇଥିଲେ ସେଥି ମଧ୍ୟରେ ମଧ୍ୟ ସସ୍ମିତା ସାହୁ ରହିଥିଲେ।

Comments are closed.