ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ : କେଉଁ ଦେଶରେ କେମିତି

0

କଠୁଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶବାସୀଙ୍କୁ ଦୋହଲାଇ ଦେଇଛି। ଶିଶୁଙ୍କ ପ୍ରତି ବଳାତ୍କାର ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅସାମାଜିକମାନଙ୍କୁ କଠୋରରୁ ଅତିକଠୋର ଦଣ୍ଡ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ୍‍ରେ ଶନିବାର ଏକ ଅଧ୍ୟାଦେଶ ପାରିତ ହୋଇଛି। ଏଥିଅନୁଯାୟୀ ଏଣିକି ଭାରତରେ ଶିଶୁଙ୍କୁ ପ୍ରତି ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ତେବେ ‘ହାତରେ ନ ମାରି ଭାତରେ ମାର’ ନ୍ୟାୟରେ ବିଶ୍ୱର ଏମିତି କିଛି ଦେଶ ଅଛି ଯେଉଁଠାରେ ବଳାତ୍କାରୀମାନଙ୍କୁ ମୃତ୍ୟୁଠାରୁ ବଳି କଠୋର ଦଣ୍ଡରେ ଦଣ୍ଡିତ କରାଯାଉଛି।

ଇଣ୍ଡୋନେସିଆ: ୨୦୧୬ରେ ଇଣ୍ଡୋନେସିଆ ଘଟିଥିବା ଏକ ଲୋମହର୍ଷଣକାରୀ ବଳାତ୍କାର ଘଟଣା ପରେ ଏଠାକାର ସରକାର ନୂତନ ଆଇନ ଆଣି ବଳାତ୍କାରୀଙ୍କୁ ନପୁଂସକ (ପୁରୁଷ ବନ୍ଧ୍ୟାକରଣ) କରାଯିବାର ବ୍ୟବସ୍ଥା କରିଛନ୍ତି। ଦେଶର ଆଇନ ଅନୁଯାୟୀ ବଳାତ୍କାରୀଙ୍କୁ ଅତିକମ୍‍ରେ ୧୦ ବର୍ଷ କାରାଦଣ୍ଡ ହେବାର ପ୍ରାବଧାନ ରହିଛି। ବଳାତ୍କାରୀଙ୍କ ନାମ ସାର୍ବଜନୀନ କରାଯାଉଛି। ଦୋଷୀ ସମ୍ପୂର୍ଣ୍ଣ କାରାଦଣ୍ଡ ଭୋଗିବା ପରେ ମଧ୍ୟ ତାଙ୍କ ଉପରେ ନଜର ରଖିବା ଲାଗି ତାଙ୍କ ଶରୀରରେ ବୈଦ୍ୟୁତିକ ଚିପ୍‍ ଖଞ୍ଜାଯାଏ। ଜଘନ୍ୟ ଘଟଣାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଏ।

ଉତ୍ତର କୋରିଆ: ଏଠାରେ ବଳାତ୍କାରୀଙ୍କୁ ଗୁଳିକରି ମୃତ୍ୟୁଦଣ୍ଡ ଦିଆଯାଏ। ବ୍ୟକ୍ତିବିଶେଷଙ୍କୁ ଦୃଷ୍ଟିରେ ରଖି ଆଇନ କାନୁନ୍‍ ଲାଗୁ ହେଉଥିବା କୁହାଯାଏ।

ଇରାନ: ଇସ୍‍ଲାମିକ୍‍ ପ୍ୟାନେଲ କୋର୍ଡ ଧାରା ୨୨୪ ଅନୁଯାୟୀ ଇରାନରେ ବଳାତ୍କାରୀଙ୍କୁ ଜନସାଧାରଣଙ୍କ ସମ୍ମୁଖରେ ପ୍ରଥମେ ଫାଶୀ ଖୁଣ୍ଟରେ ବନ୍ଧାଯାଏ ଏବଂ ପରେ କ୍ରମାଗତ ଗୁଳିମାଡ଼ କରି ମୃତ୍ୟୁ ଦଣ୍ଡ ଦିଆଯାଏ। ଯଦିବା କୌଣସି ବଳତ୍କାରୀଙ୍କୁ ପୀଡ଼ିତା କ୍ଷମା କରି ଦିଅନ୍ତି ତଥାପି ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦ ଥର ଚାବୁକ୍‍ ମାଡ଼ ମରାଯାଏ କିମ୍ବା ଆଜୀବନ କାରାଦଣ୍ଡ ଦିଆଯାଏ।

ସାଉଦୀ ଆରବ: ଦେଶରେ ପ୍ରଣୀତ ସରିଆତ୍‍ ଆଇନ ଅନୁଯାୟୀ ବଳାତ୍କାର ଭଳି ଜଘନ୍ୟ ଅପରାଧ ଘଟାଇଥିବା ଅପରାଧୀକୁ ଚାବୁକ୍‍ ମାଡ଼ ମାରିବାଠାରୁ ଆରମ୍ଭ କରି ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ସବୁ ବଳାତ୍କାର ମାମଲାରେ ଏହି ଦଣ୍ଡାଦେଶ ଲାଗୁ ହୋଇ ନ ଥାଏ। ମାନବିକ ଅଧିକାର ସଂସ୍ଥା ଅନୁଯାୟୀ, ସାଉଦି ଆରବରେ ବଳାତ୍କାର ଅଭିଯୋଗ ପ୍ରମାଣ କରିବା ଲାଗି ପୀଡ଼ିତାଙ୍କୁ ୪ ଜଣ ପ୍ରତ୍ୟକ୍ଷ ସାକ୍ଷୀ ଉପସ୍ଥାପନ କରିବାକୁ ପଡେ। ଅଭିଯୋଗ ପ୍ରମାଣ କରି ନ ପାରିଲେ ମାମଲାକୁ ଅବୈଧ ସମ୍ବନ୍ଧ ବୋଲି ଧରାଯାଇ ପୀଡ଼ିତାଙ୍କୁ ଦଣ୍ଡିତ କରାଯାଏ। ୨୦୦୯ରେ ଗଣବଳାତ୍କାର ଅଭିଯୋଗ ଆଣିଥିବା ଜଣେ ଯୁବତୀ ପ୍ରମାଣ ଉପସ୍ଥାପନ କରି ନ ପାରିବାରୁ ତାଙ୍କୁ ଏକ ବର୍ଷ କାରାଦଣ୍ଡ ଏବଂ ୧୦୦ ଥର ଚାବୁକ୍‍ ମାଡ ଦଣ୍ଡାଦେଶ ଦିଆଯାଇଥିଲା।

ପାକିସ୍ତାନ: ଗତବର୍ଷ ପାକିସ୍ତାନ ସରକାର ବଳାତ୍କାର ବିରୋଧୀ ଆଇନ ସମ୍ପର୍କିତ ବିଲ୍‍ ପାସ୍‍ କରିଛନ୍ତି। ଏଥିରେ ବଳାତ୍କାରୀଙ୍କୁ ୨୫ ବର୍ଷ କାରାଦଣ୍ଡାଦେଶ ଏବଂ ଶିଶୁ ତଥା ଭିନ୍ନକ୍ଷମଙ୍କୁ ବଳାତ୍କାର ମାମଲାରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ଆଇନ ରହିଛି। ଗତବର୍ଷ ୭ ବର୍ଷର ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାର ୩୪ ଦିନ ମଧ୍ୟରେ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା।

ଆଫଗାନିସ୍ତାନ: ଆଫଗାନିସ୍ତାନରେ ପ୍ରଚଳିତ ସରିଆତ୍‍ କାନୁନ୍‍ ଅନୁଯାୟୀ ବଳାତ୍କାରୀଙ୍କୁ ଆଜୀବନ କାରାଦଣ୍ଡଠାରୁ ଆରମ୍ଭ କରି ମୃତ୍ୟୁଦଣ୍ଡ ଦେବାର ଆଇନ ରହିଛି। କିନ୍ତୁ ଇସ୍‍ଲାମିକ୍‍ ଆଇନରେ ବଳାତ୍କାର ଅଭିଯୋଗ ପ୍ରମାଣ କରିବା ସହଜ ହୋଇ ନ ଥିବାରୁ ଖୁବ୍‍ କମ୍‍ ଲୋକ ଏହି ଦଣ୍ଡାଦେଶ ପାଇଥାଆନ୍ତି।

Leave A Reply