‘ହେ ପିତା, ଏମାନଙ୍କୁ କ୍ଷମା କର’

0

ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ଶୁଭ ଶୁକ୍ରବାର ରୂପେ ପାଳନ କରାଯାଏ। ତାହା ଥିଲା ଶେଷ ବଳିଦାନ। ଭାରତୀୟ ସଂସ୍କୃତି, ଧର୍ମ ବିଶ୍ୱାସ ଓ ସାମାଜିକ ବିଧି ଅନୁସାରେ ଆଲୋକପାତ କଲେ ବଳିଦାନ, ରକ୍ତପାତ, ଦାନ ଓ କୁର୍‍ବାନିର ମୂଲ୍ୟ ଅତି ଗଭୀର। ଏହା ଏକ ଅସାଧାରଣ ବିଷୟ’। ଆତ୍ମବଳିଦାନ ସମସ୍ତଙ୍କ ପକ୍ଷରେ ସାଧ୍ୟ ନୁହେଁ। କେବଳ ଈଶ୍ୱରଙ୍କ ଈଶ୍ୱରୀୟ ଗୁଣସମ୍ପନ୍ନ ବ୍ୟକ୍ତି ହିଁ ଏହା କରିପାରନ୍ତି। ପ୍ରାୟ ୨୦୦୦ରୁ ଅଧିକ ବର୍ଷ ତଳେ ଏହା ଥିଲା ସମ୍ପୂର୍ଣ୍ଣ ଓ ଶେଷ ବଳିଦାନ।
ଯେ କୌଣସି ବ୍ୟକ୍ତି ମୃତ୍ୟୁ ଭୋଗ କରିବା ସମୟରେ କହିଥିବା ଶେଷ ବାଣୀକୁ ଗୁରୁତ୍ୱ ଦିଆଯାଇଥାଏ। “ହେ ପିତା ! ଏମାନଙ୍କୁ କ୍ଷମା କର କାରଣ ସେମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ।” କ୍ରୂଶୀୟ ବଳିଦାନ ସମୟରେ ଏହା ଥିଲା ଯିଶୁଙ୍କ ବାଣୀ। ଏହା ଥିଲା କ୍ଷମାର ବାଣୀ ଏବଂ ଆଜି ମଧ୍ୟ ପ୍ରଭୁ ଯିଶୁଙ୍କ କ୍ଷମା ଗୁଣ ସମସ୍ତଙ୍କ ପାଇଁ ଅତୁଟ ରହିଛି। ପ୍ରଭୁ ଯିଶୁ ପିତା ଈଶ୍ୱରଙ୍କ ନିକଟରେ ସମସ୍ତଙ୍କ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଏହା ଏକ ବିଚିତ୍ର ପ୍ରାର୍ଥନା ଥିଲା। କ୍ଷମା ଏକ ଅସାଧାରଣ ବିଷୟ। କ୍ଷମା କରିବା ସହଜସାପେକ୍ଷ ନୁହେଁ; କିନ୍ତୁ ଏହା ସମ୍ଭବ। ଏଠାରେ ପ୍ରଭୁ ଯିଶୁ ମନୁଷ୍ୟ ସମାଜ ପାଇଁ ଏକ କ୍ଷମାର ନମୁନା ଦେଖାଇଛନ୍ତି। କ୍ଷମା କରି ଶତ୍ରୁକୁ ଜୟ କରାଯାଏ। କ୍ଷମା କରି ଶାନ୍ତି ବଜାୟ ରଖାଯାଏ। ସ୍ୱାମୀ ସ୍ତ୍ରୀ ମଧ୍ୟରେ କ୍ଷମା ଏକ ନୂତନ ସଂସାର ଫେରାଇ ଆଣେ। ପରିବାର, ସମାଜ, ଦେଶରେ ଆଜିର ଜରୁରୀ ହେଉଛି ‘କ୍ଷମା’। ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ର ଯିଶୁଙ୍କୁ ପ୍ରେରଣ କରିଥିଲେ; ତେଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ଲାଭ କରିବ।

Leave A Reply