ନୂଆପାଟଣା ସେତୁ ମଧୁସୂଦନଙ୍କ ନାମରେ ନାମିତ
ଭୁବନେଶ୍ୱର : ମହାନଦୀର ବିଜୁ ପଟ୍ଟନାୟକ ପାର୍କଠାରୁ ନୂଆପାଟଣାକୁ ସଂଯୋଗ କରୁଥିବା ନବ ନିର୍ମିତ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଉତ୍କଳ ଗୌରବ ମଧୁସୂଦନ ସେତୁ’ ନାମରେ ନାମିତ କରିଛନ୍ତି। ନାବାର୍ଡ ପକ୍ଷରୁ ଏହି ସେତୁ ନିର୍ମାଣ ପାଇଁ ୧୫୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ଏହି ସେତୁର ଦୈର୍ଘ୍ୟ ୨.୫୬ କିମି। ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସେତୁକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଏହି ସେତୁ ଦ୍ୱାରା କଟକରୁ ଢ଼େଙ୍କାନାଳର ଦୂରତା ୧୬ କିମି କମିବ। ଏହା ସହିତ ଧବଳେଶ୍ୱର ପୀଠକୁ ଭକ୍ତମାନେ ଶୀଘ୍ର ଓ ସୁବିଧାରେ ଯାଇପାରିବେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସ ସମଗ୍ର ଓଡ଼ିଆ ଜାତିର ପ୍ରିୟ ଓ ନମସ୍ୟ। ମଧୁବାବୁଙ୍କ ପ୍ରତି ଏହା ହେବ ରାଜ୍ୟବାସୀଙ୍କ ଶ୍ରଦ୍ଧାଞ୍ଜଳି। ଏହି ସେତୁର ନିର୍ମାଣ ନିର୍ଦ୍ଧାରିତ ସମୟ ଅବଧି ପୂର୍ବରୁ ଶେଷ ହୋଇପାରିଛି।