ମାଓ କ୍ୟାମ୍ପ ଧ୍ୱଂସ,ଖସିଗଲେ କମାଣ୍ଡର

0

ଫୁଲବାଣୀ : କିଛି ମାସର ନିରବତା ପରେ କନ୍ଧମାଳ ଜିଲାରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଥର ପାଇଁ ଖଜୁରିପଡା ଥାନା ଅଞ୍ଚଳରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଖଜୁରିପଡା ବ୍ଲକର ବୌଦ୍ଧ ଜିଲା ସଂଲଗ୍ନ ଅଞ୍ଚଳରେ ଆଜି ଭୋରରୁ ୫୦ ରାଉଣ୍ଡରୁ ଅଧିକ ଗୁଳି ବିନିମୟ ହୋଇଥିବା ଏସପି ସୂଚନା ଦେଇଛନ୍ତି। ଦୁତିମେଣ୍ଡି ପଞ୍ଚାୟତର କୁକୁଲଝର ଗାଁ ନିକଟ ଘଞ୍ଚ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିଲେ।
ପୁଲିସ ଗୁଇନ୍ଦା ସୂଚନା ପାଇ ଭୋରରୁ ହିଁ ସେଠାରେ ଚଢଉ କରିଥିଲା। ତେବେ ପୁଲିସ ବାହିନୀକୁ ଚକମା ଦେଇ ସବୁ ମାଓବାଦୀ ଖସି ଯାଇଥିଲେ। କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ (କେକେବିଏନ) ଡିଭିଜନର ବୌଦ୍ଧ କନ୍ଧମାଳ ଏରିଆ କମିଟି କମାଣ୍ଡର ବାଦଲ ମଧ୍ୟ ସେଠାରୁ ଖସି ଯାଇଥିବା ଏସପି ପ୍ରତୀକ ସିଂ ସୂଚନା ଦେଛନ୍ତି। ତେବେ ଲଗାତାର କମ୍ବିଂ ଅପରେସନ ଜାରି ରହିଛି ଏବଂ ସର୍ଚ୍ଚ ଅପରେସନରେ ଅଧିକ ଏସଓଜି ଯବାନ ଓ ଡିବିଏଫ ଫୋର୍ସ ସାମିଲ ହୋଇଥିବା କହିଛନ୍ତି ଏସପି।
ଆଜି ସକାଳ ପ୍ରାୟ ପାଞ୍ଚଟା ବେଳେ ସ୍ପେଶାଲ ଅପରେସନ୍‍ ଗ୍ରୁପ(ଏସଓଜି) ପୁଲିସ ବାହିନୀ ଦୁର୍ଗମ ଘଞ୍ଚ ଜଙ୍ଗଲରେ ପଶିଥିଲେ। ବୌଦ୍ଧ ଓ କନ୍ଧମାଳ ସୀମାବର୍ତ୍ତିି ଏହି ଦୁର୍ଗମ ଅଞ୍ଚଳର ଏକ ପାହାଡ ଉପରେ ମାଓ କ୍ୟାମ୍ପ ଚାଲିଥିଲା। ପୁଲିସ ବାହିନୀକୁ ଦେଖି ମାଓବାଦୀ ଗୁଳି ଚଳାଇଥିଲେ। ଦୀର୍ଘ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ପରେ ମାଓବାଦୀ ସେଠାରେ ଛତ୍ରଭଙ୍ଗ ଦେଇଥିଲେ। ଏହି ଅପରେସନରେ ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ ହୋଇଛି।

Leave A Reply