www.samajalive.in
Sunday, December 14, 2025
19.1 C
Bhubaneswar

କ୍ୟାମେରାମ୍ୟାନ୍‍ଙ୍କୁ ସଜାଗ କରିଥିଲେ ଫାନି

କେପ୍‍ଟାଉନ୍‍ :  କେପ୍‍ଟାଉନ୍‍ ଟେଷ୍ଟମ୍ୟାଚ୍‍ରେ ଅଷ୍ଟ୍ରେଲିଆ ଦଳ ବଲ୍‍ ଟାମ୍ପରିଂ କରି ଏବେ ସାରାବିଶ୍ୱରେ ନିନ୍ଦିତ ଓ ଲଜ୍ଜିତ ହୋଇଛି। ଏହି ମ୍ୟାଚ୍‍ରେ ବଲ୍‍ ଟାମ୍ପରିଂର ଦାୟିତ୍ୱ ଅଷ୍ଟ୍ରେଲିଆ ଓପ୍‍ନର କାମେରନ୍‍ ବାନ୍‍କ୍ରଫ୍‍ଙ୍କୁ ମିଳିଥିଲା। ବାନ୍‍କ୍ରଫ୍ଟ୍‍ ତାଙ୍କ ପକେଟ୍‍ରୁ ଏକ ହଳଦିଆ ଦ୍ରବ୍ୟ (ଅଠାଯୁକ୍ତ ଫିତା) କାଢ଼ି ଏହାକୁ ବଲ୍‍ ଉପରେ ଘସିବା ବେଳେ ଟିଭି କ୍ୟାମେରାରେ ଧରା ପଡ଼ିଥିଲେ। ଏହାକୁ ନେଇ ଏବେ କ୍ରିକେଟ ଦୁନିଆର ହଇଚଇ। ତେବେ ବାନ୍‍କ୍ରଫ୍ଟ ଓ ଅଷ୍ଟ୍ରେଲିଆ ଦଳର ଏହି ଠକେଇ ଧରାପଡ଼ିଲା କେମିତି? ମଙ୍ଗଳବାର ଜାଣିବାକୁ ମିଳିଛି ଯେ ଅଷ୍ଟ୍ରେଲିଆ ଦଳର ଖେଳାଳିଙ୍କ ଉପରେ ନଜର ରଖିବା ଲାଗି ଟିଭି କ୍ୟାମେରାମ୍ୟାନ୍‍ଙ୍କୁ ସଜାଗ କରିଥିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟବୋଲର ଫାନି ଡି’ଭିଲିଅର୍ସ।
ପ୍ରକୃତରେ ଫାନି ଡି’ଭିଲିଅର୍ସ ଜଣେ ଭାଷ୍ୟକାର ଭାବେ ଏହି ମ୍ୟାଚ୍‍ରେ ଉପସ୍ଥିତ ଥିଲେ ଏବଂ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ତୀକ୍ଷ୍‍ଣ ନଜର ରଖିବା ପାଇଁ କ୍ୟାମେରାମ୍ୟାନ୍‍ଙ୍କୁ ସତର୍କ କରାଇ ଦେଇଥିଲେ। ଏକ ସାକ୍ଷାତ୍‍କାରରେ ଫାନି ଡି’ଭିଲିଅର୍ସ କହିଛନ୍ତି, ୨୬, ୨୭, ୨୮ ଓଭରରେ ଯଦି ଅଷ୍ଟ୍ରେଲୀୟମାନେ ବଲ୍‍କୁ ରିଭର୍ସ ସ୍ୱିଙ୍ଗ୍‍ କରି ପାରୁଛନ୍ତି; ତେବେ ଅନ୍ୟମାନେ ଯାହା କରିଥାଆନ୍ତି; ତା’ଠାରୁ ଭିନ୍ନ କିଛି ଅଷ୍ଟ୍ରେଲୀୟ କରୁଛନ୍ତି। ମୋର ସନ୍ଦେହ ହେଲା ଯେ ସେମାନେ କିଛି ବ୍ୟବହାର କରୁଛନ୍ତି। ତେଣୁ ଜଣେ କ୍ୟାମେରାମ୍ୟାନ୍‍ଙ୍କୁ ଯାଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ନଜର ରଖିବାକୁ କହିଥିଲି। ଉକ୍ତ କ୍ୟାମେରାମ୍ୟାନ୍‍ ତାଙ୍କ ସାଥୀ କ୍ୟାମେରାମ୍ୟାନ୍‍ଙ୍କୁ ଏହା ଜଣାଇଥିଲେ। ସେମାନେ ଘଣ୍ଟାଏ/ଦେଢ଼ଘଣ୍ଟା ଧରି ସବୁ ଖେଳାଳିଙ୍କ ଉପରେ ନଜର ରଖିଥିଲେ। ତେବେ କାମେରନ୍‍ ବାନ୍‍କ୍ରଫ୍ଟ ବଲ୍‍କୁ ଧରିବା ପରେ କିଛି ସନ୍ଦେହଜନକ କାମ କରୁଥିବା ସେମାନେ ଜାଣିପାରିଲେ। ଫଳରେ ସେମାନେ ମୁଖ୍ୟତଃ ବାନ୍‍କ୍ରଫ୍ଟଙ୍କ ଉପରେ ଦୃଷ୍ଟି ନିବଦ୍ଧ କରି ପାରିଥିଲେ। କାରଣ ୩୦ ଓଭର ପୂର୍ବରୁ ବଲ୍‍ର ଅବସ୍ଥା ଏପରି ହୁଏନାହିଁ। ଯେଉଁ ପିଚ୍‍ରେ ଘାସ ଥିଲା; ସେହି ପିଚ୍‍ରେ ବଲ୍‍ର ଗୋଟିଏ ପାଖ ଏତେ ଜଲ୍‍ଦି ଖଣ୍ଡିଆ ହେବନାହିଁ। ଅଧିକ ଫାଟ ଥିବା ପାକିସ୍ତାନୀ ପିଚ୍‍ରେ ଏହା ସମ୍ଭବ। ତେଣୁ ୩୦ ଓଭର ପୂର୍ବରୁ ବଲ୍‍ର ସ୍ଥିତିରେ ପରିବର୍ତ୍ତନ ନ କରି ଅଷ୍ଟ୍ରେଲୀୟ କଦାପି ରିଭର୍ସ ସ୍ୱିଙ୍ଗ୍‍ କରି ପାରିନଥା’ନ୍ତେ। ତେଣୁ ରିଭର୍ସ ସ୍ୱିଙ୍ଗ୍‍ ପାଇବା ପାଇଁ ସେମାନେ ନିଶ୍ଚୟ ବଲ୍‍ରେ କିଛି କରିଥିବେ ବୋଲି ମୋର ହୃଦ୍‍ବୋଧ ହେଲା। ତେଣୁ ତାଙ୍କ ଉପରେ ନଜର ରଖିବାକୁ କ୍ୟାମେରାମ୍ୟାନଙ୍କୁ କହିଥିଲି। ବାନ୍‍କ୍ରଫ୍ଟ ପକେଟ୍‍ରୁ ଏକ ହଳଦିଆ ଫିତା କାଢ଼ିବା ଏବଂ ପରେ ଏହାକୁ ତାଙ୍କ ପ୍ୟାଣ୍ଟ୍‍ ଭିତରେ ପୂରାଇବାର ଦୃଶ୍ୟ କ୍ୟାମେରାରେ ଧରା ପଡ଼ିଥିଲା। ଏହି ଦୃଶ୍ୟ ଷ୍ଟାଡିୟମ୍‍ର ବଡ଼ ପରଦାରେ ଦେଖାଯିବା ପରେ ଦୁଇ ପଡ଼ିଆ ଅମ୍ପାୟାର ବାନ୍‍କ୍ରଫ୍ଟଙ୍କୁ ଡାକି ଏହା କ’ଣ ବୋଲି ପ୍ରଶ୍ନ କରିଥିଲେ।
ବାନ୍‍କ୍ରଫ୍ଟ ସେତେବେଳେ ଦୁଇ ଅମ୍ପାୟାରଙ୍କୁ କ’ଣ କହିଥିଲେ; ତାହା କେହି ଜାଣନ୍ତିନାହିଁ। ତେବେ ଆଇସିସିର ନିୟମ ଅନୁସାରେ ଅମ୍ପାୟାର ବଲ୍‍କୁ ପରିବର୍ତ୍ତନ କରିନଥିଲେ କି ମ୍ୟାଚ୍‍ ରେଫେରୀଙ୍କୁ ଏହା ଜଣାଇନଥିଲେ। ତେବେ ଅଷ୍ଟ୍ରେଲିଆ ଖେଳାଳି ନିଜଆଡ଼ୁ ଦୋଷ ସ୍ୱୀକାର କରିବା ପରେ ଅଧିନାୟକ ସ୍ମିଥ୍‍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସୂଚନାଯୋଗ୍ୟ; ସେମାନଙ୍କ ଠକେଇ ଧରାପଡ଼ିବା ପରେ ଅଷ୍ଟ୍ରେଲିଆ ଦଳ ଚାହିଁଥିଲେ ବି ଏହାକୁ ଲୁଚାଇ ପାରିନଥାଆ’ନ୍ତା। ତେଣୁ ୩ୟ ଦିନର ଖେଳ ସମାପ୍ତି ପରେ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ଓ କାମେରନ୍‍ ବାନ୍‍କ୍ରଫ୍ଟ ସାମ୍ବାଦିକଙ୍କ ସମ୍ମୁଖରେ ସେମାନଙ୍କ ଦୋଷ ସ୍ୱୀକାର କରିଥିଲେ। ଦଳର ନେତୃତ୍ୱମଣ୍ଡଳୀ ବଲ୍‍ର ସ୍ଥିତିରେ ପରିବର୍ତ୍ତନ କରିବା ଲାଗି ଭୋଜନ ବିରତି ବେଳେ ନିଷ୍ପତ୍ତି ନେଇ ଏହାର ଦାୟିତ୍ୱ ବାନ୍‍କ୍ରଫ୍ଟଙ୍କୁ ଦେଇଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories