ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍) ବିଧାୟକ ଅଳକା ଲାମ୍ବା ମଙ୍ଗଳବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଆଗାମୀ ୨୦୨୦ରେ ସେ ଆପ୍ ଛାଡ଼ିବେ ବୋଲି ଘୋଷଣା କରିଥିବାରୁ ଏହି ସାକ୍ଷାତକୁ ନେଇ ନାନା ଆଲୋଚନା ହେଉଛି। ଅଳକା କଂଗ୍ରେସକୁ ଫେରିପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।
ସାକ୍ଷାତ ଆଲୋଚନା ପରେ ସୋନିଆଙ୍କୁ ଧର୍ମନିରପେକ୍ଷ ଚିନ୍ତାଧାରାର ଜଣେ ବଡ଼ ନେତା ଭାବେ ଅଳକା ବିବେଚନା କରିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ସୋନିଆଙ୍କ ସହିତ ଦୀର୍ଘ ଦିନ ହେବ ଆଲୋଚନା ହୋଇ ନ ଥିଲା। ଆଜି ସବୁ ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା ପାଇଁ ଏକ ସୁଯୋଗ ପାଇଲି। ରାଜନୀତିରେ ଏପରି ପାରସ୍ପରିକ ଆଲୋଚନା ଚାଲିଆସୁଛି ଏବଂ ଏହା ନିଶ୍ଚିତ ଜାରି ରହିବ।
ଉଲ୍ଲେଖଯୋଗ୍ୟ, ଅଳକା ଲାମ୍ବା ୧୯୯୪ରେ କଂଗ୍ରେସ ଛାତ୍ରନେତା ଭାବେ ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ୨୦୧୩ରେ ଆପ୍ରେ ଯୋଗଦେଇଥିଲେ। ବର୍ତ୍ତମାନ ସେ ଆପ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଜୁନରେ ସେ ଏକ ଟ୍ବିଟ୍ କରି ଜଣାଇଥିଲେ ଯେ, ଆପ୍ ସହିତ ତାଙ୍କର ଯାତ୍ରା ୨୦୧୩ରେ ଆରମ୍ଭ ହୋଇଥିଲା ଏବଂ ୨୦୨୦ରେ ଶେଷ ହେବ। ତ୍ରୁଣମୂଳସ୍ତରରେ କାର୍ଯ୍ୟରତ କର୍ତ୍ତବ୍ୟନିଷ୍ଠ କର୍ମକର୍ତ୍ତାଙ୍କ ପ୍ରତି ମୋର ଶୁଭେଚ୍ଛା ସବୁଦିନ ପାଇଁ ରହିବ। ଦିଲ୍ଲୀରେ ଏହି ଦଳ ଏକ ବଡ଼ ବିକଳ୍ପ ଭାବେ ରହିବ ବୋଲି ଆଶା କରୁଛି। ଦଳ ସହିତ ବିଗତ ୬ ବର୍ଷ ସ୍ମରଣୀୟ ହୋଇଆସିଛି ଏବଂ ଦଳଠାରୁ ମୁଁ ବହୁତ କିଛି ଶିଖିଛି। ସୂଚନାଯୋଗ୍ୟ, ଅଳକା ଲାମ୍ବା ଚାନ୍ଦିନୀଚୌକ ବିଧାନସଭା କ୍ଷେତ୍ରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି।



