ପଞ୍ଚାୟତ ସମିତିର ବୈଠକରେ ବିଧାୟକଙ୍କ ଘୋଷଣା ବଡ଼ସାହି ମାଛ ଚାଷ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବ
ବଡ଼ସାହି: ମୟୂରଭଞ୍ଜ ଜିଲାର ସର୍ବବୃହତ୍ତ ବ୍ଲକ ବଡ଼ସାହିରେ ମଧୁରପାଣି ମାଛ ଚାଷର ବିପ୍ଳବ ସୃଷ୍ଟି ହେବ ବୋଲି ବୁଧବାର ବଡ଼ସାହି ପଞ୍ଚାୟତ ସମିତିର ସପ୍ତମ ବୈଠକରେ ଯୋଗଦେଇ ନବନିର୍ବାଚିତ ବିଧାୟକ ସନାତନ ବିଜୁଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସାଂସଦ ପ୍ରତାପ ଚନ୍ଦ୍ର୍ର ଷଢ଼ଙ୍ଗୀ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ସେ ତାଙ୍କ ସହିତ ଆଲୋଚନା କରିଥିବା ପ୍ରକାଶ କରିଥିଲେ। ବିଭାଗର ଅଧିକାରୀଙ୍କ ସହିତ ଖୁବଶୀଘ୍ର ୩୦ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କର ଏକ ସ୍ୱତନ୍ତ୍ର ବୈଠକ କରାଯାଇ ପ୍ରତ୍ୟେକ ପଞ୍ଚାୟତରେ ମାଛଚାଷର ବିପ୍ଳବ ଅଣାଯିବ ବୋଲି ସେ କହିଛନ୍ତି। ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ବ୍ଲକ କାର୍ୟ୍ୟାଳୟ ସଭାଗୃହରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଜିପିଇଓ ପଞ୍ଚାନନ ମହାପାତ୍ର ପୂର୍ବ ବୈଠକର ବିବରଣୀ ପାଠ କରିବା ସହିତ ଅନୁମୋଦିତ ପ୍ରସ୍ତାବ ଗୁଡିକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏଜେଣ୍ଡା ଅନୁଯାୟୀ ଆଲୋଚନାରେ ପାନୀୟଜଳ ଓ ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ରାଜସ୍ୱ, ମଙ୍ଗଳ ବିଭାଗ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଉଦ୍ୟାନ କୃଷି, ବିଦ୍ୟୁତ, ପଶୁସମ୍ପଦ, ମହିଳା ଓ ଶିଶୁ ବିକାଶ, ସରକାରୀ ଆବାସ ଗୃହ ଯୋଜନା, ମତ୍ସ୍ୟ ବିଭାଗ, ଜାତୀୟ ପରିବାର ମଙ୍ଗଳ ଯୋଜନା, ପାନୀୟ ଜଳ, ଆରଡି, ପିଡବ୍ଳୁଡି, ଜଙ୍ଗଲ, ସମବାୟ ସମିତି, ଜଳ ବିଭାଜିକା, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ ଓ ମୃର୍ତ୍ତିକା ସଂରକ୍ଷଣ ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା। ସାନକେରକୋରେ ଏକ ପୁଲିସ୍ ଫାଣ୍ଡି, ବଡ଼ସାହିରେ ସବଟ୍ରେଜେରୀ ଓ ସବରେଜିଷ୍ଟାର କାର୍ୟ୍ୟାଳୟ ପ୍ରତିଷ୍ଠା, ବେତନଟୀକୁ ସବଡ଼ିଭିଜନ ମାନ୍ୟତା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସମିତି ବୈଠକରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧକ୍ଷ୍ୟ ଅର୍ନ୍ତଯ୍ୟାମୀ ବେହେରା, ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର, ମୟୂରଭଞ୍ଜ ସାଂସଦଙ୍କ ପ୍ରତିନିଧି ପ୍ରମୋଦ କୁମାର ସାହୁ, ସହକାରୀଯନ୍ତ୍ରୀ ବେଣୁଧର ସାହୁ, ଡା. ସନ୍ତୋଷ କୁମାର ବୈତାଇ, ସିଡିପିଓ କୁନ୍ତିମଣି ପାତ୍ର, ଅତିରିକ୍ତ ତହସିଲଦାର ପୃଥିବୀରାଜ ପରିଡ଼ା, ଜିଲାପରିଷଦ ସଦସ୍ୟ/ସଦସ୍ୟା, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ସଭ୍ୟ, ଲାଇନ ବିଭାଗର ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଜିପିଟିଏ ଓ ପିଇଓ ମାନେ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ ଏହାର କାର୍ୟ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଶେଷରେ ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.