ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମନାଇଲା ପ୍ରଶାସନ
ମାଲକାନଗିରି: ମୌଳିକ ସୁବିଧା ପ୍ରଦାନ ଦାବିରେ ଜନ ଆନ୍ଦୋଳନ ଆରମ୍ଭ କରିଥିବା ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଶତାଧିକ ଆଦିବାସୀଙ୍କୁ ମନାଇବାରେ ଜିଲା ପ୍ରଶାସନ ସଫଳ ହୋଇଛି। ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବାକୁ ଧମକ ଦେଇଥିବାରୁ ସୋମବାର ସକାଳେ ମାଲକାନଗିରି ଉପଜିଲାପାଳ ସ୍ବାଭିମାନ ଅଞ୍ଚଳର ୫ ପଞ୍ଚାୟତର ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଖୁବ୍ଶୀଘ୍ର ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।
ସ୍ବାଭିମାନ ଅଞ୍ଚଳ ଜୋଡାମ୍ବ, ଯନ୍ତ୍ରୀ, ପଣସପୁଟ, ଅଣ୍ଡ୍ରାପାଲ୍ଲୀ ପ୍ରଭୃତି ପଞ୍ଚାୟତର ପ୍ରାୟ ୫୦ରୁ ଅଧିକ ଗ୍ରାମକୁ ଆଜିଯାଏ କୌଣସି ସରକାରୀ ସୁବିଧା ପହଞ୍ଚି ନ ଥିବା ଅଭିଯୋଗ କରି ପଞ୍ଚାୟତବାସୀ ମେଳି କରିବାକୁ ଏକତ୍ର ହୋଇଥିଲେ। ସେମାନେ ଡଙ୍ଗା, ଲଞ୍ଚ, ମୋଟର ବୋଟ୍ ଜରିଆରେ ଚିତ୍ରକୋଣ୍ଡା ସ୍ପିଲୱେରେ ପହଞ୍ଚିଥିଲେ। ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବାକୁ ଧମକ ଦେଇଥିଲେ। ଏହି ଖବର ମିଳିବା ପରେ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ମେଳିକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ପ୍ରଶାସନ ଚିନ୍ତାରେ ପଡ଼ିଥିଲା। ଶେଷରେ ସୋମବାର ସକାଳେ ଉପଜିଲାପାଳ ବାଲିମେଳା ଜଳଭଣ୍ଡାର ନିକଟରେ ସେମାନଙ୍କ ସହିତ ଆଲୋଚନା କରି ଖୁବ୍ଶୀଘ୍ର ମୌଳିକ ସୁବିଧା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ବାଭିମାନ ଅଞ୍ଚଳବାସୀ ଆନ୍ଦୋଳନରୁ ଓହରି ଯାଇଛନ୍ତି।
Comments are closed.