ନୂଆଦିଲ୍ଲୀ : ଦିଲ୍ଲୀର ତୁଗଲକାବାଦ ଅଞ୍ଚଳରେ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀ’ଙ୍କ ମନ୍ଦିର ଭଙ୍ଗା ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ଅସନ୍ତୁଷ୍ଟ ଦଳିତ ସମାଜର ଲୋକେ ବୁଧବାର ରାମଳୀଲା ମୈଦାନରେ ରାଲି କରିବା ପରେ ତୁଗଲକାବାଦରେ ପହଞ୍ଚି ପଥର ଫିଙ୍ଗିଛନ୍ତି । ଫଳରେ ଲୋକଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ କେତେ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଛି ।
ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।
ପ୍ରକାଶ ଯେ ଗୁରୁ ରବିଦାସ ମନ୍ଦିର ବୋର୍ଡ ଏବଂ ଡିଡିଏ ମଧ୍ୟରେ ବିବାଦ କୋର୍ଟରେ ପହଞ୍ଚିଥିଲେ । କୋର୍ଟରେ ମାମଲାକୁ ଜିତିବା ପରେ ଦିଲ୍ଲୀ ପ୍ରଶାସନ ମନ୍ଦିରକୁ ଭାଙ୍ଗି ଦେଇଛି । ମନ୍ଦିର ଭଙ୍ଗାକୁ ନେଇ ଏବେ ନୂଆ ବିବାଦ ଆରମ୍ଭ ହୋଇଛି । ଅଗଷ୍ଟ ୧୦ରେ ଏହାକୁ ନେଇ ପଞ୍ଜାବର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ । କେତେକ ସ୍ଥାନରେ ଲୋକେ ବିରୋଧ ପ୍ରଦର୍ଶନ ବେଳେ ଭଙ୍ଗାରୁଜା କରିଥିଲେ । ଅଖିଳ ଭାରତୀୟ ଆଦି ଧର୍ମ ମିଶନର ମୁଖ୍ୟ ସନ୍ତ ସତବିନ୍ଦର ହୀରା, ମୁଖ୍ୟ ପ୍ରଚାରକ ସନ୍ତ ଜୋଗିନ୍ଦର ପାଲ, ସନ୍ତ ଦୟାଲ ଚନ୍ଦ, ସନ୍ତ କରତାର ଚନ୍ଦ ଏବଂ ଆଞ୍ଚଳିକ କମିଟିର ସଦସ୍ୟ ପ୍ରମୁଖ ମନ୍ଦିର ଭଙ୍ଗାକୁ ବିରୋଧ କରିଛନ୍ତି ।



