www.samajalive.in
Thursday, December 11, 2025
23.1 C
Bhubaneswar

ବିଶ୍ବ ଚମ୍ପିଆନସିପ୍‌ ଯୋଗ୍ୟତା ଲକ୍ଷ୍ୟରେ ଦୁତି; ଜର୍ମାନୀ ଓ ଆୟରଲାଣ୍ଡ ଗସ୍ତରେ ଭିସା ବାଧକ

ଭୁବନେଶ୍ବର : ଓଡ଼ିଆ ସ୍ପ୍ରିଣ୍ଟର ଦୁତି ଚାନ୍ଦ ଆସନ୍ତା ଅକ୍ଟୋବର ୨୭ରୁ ଭାରତରେ ଖେଳାଯିବାକୁ ଥିବା ବିଶ୍ବ ଚମ୍ପିଆନସିପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍‌ ନିମନ୍ତେ ଯୋଗ୍ୟତା ହାସଲ ଲକ୍ଷ୍ୟରେ ନିଜକୁ ପ୍ରସ୍ତୁତ କରିବାକୁ ଜର୍ମାନୀ ଓ ଆୟରଲାଣ୍ଡ ଗସ୍ତ କରିବାର ଅଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ପ୍ରଶିକ୍ଷକ ନାଗପୁରୀ ରମେଶଙ୍କ ସହ ଜର୍ମାନୀ ଓ ଆୟରଲାଣ୍ଡ ଗସ୍ତ କରିବାର ଲକ୍ଷ୍ୟ ରଖିଥିଲେ ମଧ୍ୟ ଭିସା ସମସ୍ୟାରୁ ଗସ୍ତ ବିଳମ୍ବ ହୋଇଛି। ଯାହାକୁ ନେଇ ଦୁତି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଦୁତି ଚାନ୍ଦ ବିଶ୍ବ ଚମ୍ପିଆନସିପ୍‌ ପାଇଁ ପ୍ରସ୍ତୁୁତି ଓ ଟାଇମିଂରେ ସୁଧାର ଆଣିବା ପାଇଁ ଜର୍ମାନୀ ଓ ଆୟରଲାଣ୍ଡରେ ବିଭିନ୍ନ ପ୍ରତିଯୋଗିତା ସହ ଅଭ୍ୟାସ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଦେଶରେ ପ୍ରଶିକ୍ଷଣ ନେବା ଲାଗି ଦୁତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। କିଟ୍‌ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଦୁତି ଚଳିତ ଅଗଷ୍ଟ ୮ରୁ ଜର୍ମାନୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି, ହେଲେ ଭିସା କାରଣରୁ ଗସ୍ତରେ ବିଳମ୍ବ ହୋଇଛି। ଦୁତି କହିଛନ୍ତି ୨୦୨୦ ଟୋକିଓ ଅଲିମ୍ପିକ୍‌ ଓ ବିଶ୍ବ ଚମ୍ପିଆନସିପ୍‌କୁ ଦୃଷ୍ଟିରେ ରଖି ଟାଇମିଂରେ ଉନ୍ନତି ଓ ଯୋଗ୍ୟତା ହାସଲ ଲାଗି ଜର୍ମାନୀରେ କିଛି ସପ୍ତାହ ପ୍ରଶିକ୍ଷଣ ନେବାକୁ ନିଷ୍ପତ୍ତି ନେଇଛି। ବିଶେଷ କରି ଆସନ୍ତା ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ କାତାରର ଦୋହାଠାରେ ଖେଳାଯିବାକୁ ଥିବା ବିଶ୍ବ ଚମ୍ପିଆନସିପ୍‌ରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି। ଏଥିନେଇ ବିଦେଶରେ ପ୍ରଶିକ୍ଷଣର ନିଷ୍ପତ୍ତି ନେଇଛି। ରମେଶ ସାରଙ୍କ ସହିତ ବିଦେଶ ଯିବାର ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଓ କିଟ୍‌ର ସହଯୋଗରେ ବିଦେଶରେ ପ୍ରଶିକ୍ଷଣ ନେବାର ସୁଯୋଗ ମିିଳିଛି। ହେଲେ ଭିସା ଏପର୍ଯ୍ୟନ୍ତ ମିିଳିନଥିବାରୁ ଗସ୍ତ ଆରମ୍ଭରେ ବିଳମ୍ବ ହୋଇଛି। ଦୁତିଙ୍କ ଭିସା ସମସ୍ୟାକୁ ନେଇ ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ପ୍ରଫେସର ଡ. ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ସହିତ ଯୋଗାଯୋଗ କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ ସହ ତୁରନ୍ତ ଭିସା ମିଳିବା ନେଇ ପଦକ୍ଷେପ ଗ୍ରହଣ କରିବାର ଆଶ୍ବାସନା ଦେଇଛନ୍ତି ବୋଲି ଦୁତି କହିଛନ୍ତି। ସୂଚନାଯୋଗ୍ୟ ଦୁତି ୨୦୧୮ରେ ଏସୀୟ କ୍ରୀଡ଼ାରେ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିବାବେଳେ ନିକଟରେ ଇଟାଲୀର ନେପୋଲିଠାରେ ଖେଳାଯାଇଥିବା ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories