ଜିଲିଂ ଖଣି କାର୍ଯ୍ୟାଳୟ ଆଗରେ ଶ୍ରମିକଙ୍କ ବିକ୍ଷୋଭ

ଯୋଡା: ଏଆଇଟିୟୁସି ସମର୍ଥିତ ଶ୍ରମିକ ସଂଗଠନ କେନ୍ଦୁଝର ମାଇନ୍ସ ଆଣ୍ଡ ଫରେଷ୍ଟ ୱାର୍କର୍ସ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିଃ ପରିଚାଳିତ ଜିଲିଂ ଖଣି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ଏସେଲ ଖଣି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜରିଆରେ ଖଣି କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଖଣିରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ, କର୍ମଚାରୀ ତଥା ତାଙ୍କ ପରିବାର ସଦସ୍ୟଙ୍କ ଚିକିତ୍ସା ଖର୍ଚ୍ଚ କମ୍ପାନୀ ବହନ କରିବା, ଦୀର୍ଘଦିନ ଧରି ଠିକାଦାର ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବରିଷ୍ଠତା ବିତ୍ତିରେ ବିଭାଗୀୟ କରିବା, ଗତବର୍ଷଠାରୁ ଚଳିତବର୍ଷ ଅଧିକ ବୋନସ ପ୍ରଦାନ, ଠିକା ଶ୍ରମିକମାନଙ୍କ ନିମନ୍ତେ ବ୍ୟବସ୍ଥା ମୁତାବକ ଇନ୍‌କ୍ରିମେଣ୍ଟ ବ୍ୟବସ୍ଥା ଲାଗୁ କରିବା ଆଦି ଦାବି ଉପସ୍ଥାପନ କରାଯାଇଛି। ତେବେ ଶ୍ରମିକ ସଂଗଠନର ଏହା ଦୀର୍ଘଦିନର ଦାବି ହୋଇଥିବା ସତ୍ବେ କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ଏଥିରେ ବିଳମ୍ବ କରୁଥିବା ପ୍ରତିବାଦରେ ଶ୍ରମିକ ସଂଗଠନ ଜିଲିଂ ଖଣି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହାବ୍ୟତୀତ ସମସ୍ତ ଶ୍ରମିକ କଲୋନୀରେ ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା କରିବା ସମ୍ପର୍କରେ ସଂଗଠନ ପକ୍ଷରୁ ଏସେଲ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ଏହି ଦାବିଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନ ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିକ୍ଷୋଭକାରୀଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସଂଗଠନର ସଭାପତି ରାମକୃଷ୍ଣ ପଣ୍ଡା, ସାଧାରଣ ସମ୍ପାଦକ ମହେଶ୍ୱର ରାଉତ, କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ମହାନ୍ତ, ଶ୍ରୀହରି ଘଣା, କାହ୍ନୁ ସାମଲ, କପିଳ ମହାନ୍ତି, ବଦ୍ରୁ ଜାମା, ବିଦିତ ମହାନ୍ତି, ସନ୍ତୋଷ ମହାନ୍ତ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।

Comments are closed.