ଇପିଏଫଓର ୨.୭କୋଟି ଆକାଉଣ୍ଟଧାରୀଙ୍କ ତଥ୍ୟ ଚୋରି ଅଭିଯୋଗ

0

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ରୁ ଆକାଉଣ୍ଟଧାରୀଙ୍କ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨.୭ କୋଟି ଇପିଏଫଓ ସଦସ୍ୟଙ୍କ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ହ୍ୟାକର୍ସମାନେ ଇପିଏଫଓର ଆଧାର ସିଡିଙ୍ଗ ପୋର୍ଟାଲରୁ ତଥ୍ୟ ଚୋରି କରିଥିବା ନେଇ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ (ଆଇବି) ଉଦ୍‌ବେଗ ପ୍ରକାଶ କରିଛି। ତଥ୍ୟ ଚୋରି ଅଭିଯୋଗକୁ ଇପିଏଫଓ ଅଗ୍ରାହ୍ୟ କରିଥିବାବେଳେ ସାଧାରଣ ସେବା କେନ୍ଦ୍ର (ସିଏସସି)କୁ ବନ୍ଦ କରିଦିଆଯାଇଛି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସିଏସସିକୁ ବନ୍ଦ କରିବା ଲାଗି ଇପିଏଫଓ କମିଶନର ଭିପି ଜୟ ସିଏସ୍‌ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିନେଶ ତ୍ୟାଗୀଙ୍କୁ ଚିଠି ଲେଖିଛନ୍ତି। ମାର୍ଚ୍ଚ ୨୩, ୨୦୧୮ରୁ ସିଏସସିର ସେବା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ତଥ୍ୟ ଚୋରି ଅଭିଯୋଗ ଉପରେ ଇପିଏଫଓ ଉଦ୍‌ବେଗ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାକୁ ରୋକିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛି। ଇପିଏଫଓର ୟୁଏଏନ୍‌ (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ସହିତ ଆଧାର ସଂଯୋଗ ପାଇଁ ରହିଥିବା ପୋର୍ଟାଲରୁ ହ୍ୟାକର୍ସମାନେ ତଥ୍ୟ ଚୋରି କରିଥିବା ଗୁଇନ୍ଦା ବ୍ୟୁରୋ ଆଶଙ୍କା ବ୍ୟକ୍ତ କରିଛି। ଇପିଏଫଓର ସେବାକୁ ସୁଗମ କରିବା ଲାଗି ୟୁଏଏନ୍‌ ସହିତ ଆଧାର ସଂଯୋଗ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଇପିଏଫଓର ୪୭.୧ ନିୟୁତ ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୩୪.୫ ନିୟୁତ ସଦସ୍ୟ ଆଧାର ସଂଯୋଗ କରିସାରିଲେଣି। ତଥ୍ୟ ଚୋରି ଅଭିଯୋଗ ପରେ ୟୁଏନଏ ସହ ଆଧାର ସଂଯୋଗ ଲାଗି ରହିଥିବା ପୋର୍ଟାଲକୁ ଏବେ ବନ୍ଦ କରାଯାଇଛି।

Leave A Reply