ମୁମ୍ବଇ : ଦୀର୍ଘ ସାତ ବର୍ଷ ପରେ ବରିଷ୍ଠ ସାମ୍ବାଦିକ ଜ୍ୟୋର୍ତିମୟ ଦେ’ଙ୍କ ହତ୍ୟା ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ବୁଧବାର କୁଖ୍ୟାତ ଅପରାଧୀ ଛୋଟା ରାଜନ୍କୁ ଦୋଷୀ ସାବ୍ୟସ୍ତକରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ଅନ୍ୟ ୮ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ ସେଥିରୁ ୭ ଜଣଙ୍କୁ ଆଜୀବନ ଜେଲଦଣ୍ଡ ହୋଇଛି। ତେବେ ଉକ୍ତ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଏବଂ ଛୋଟା ରାଜନ୍ ଗ୍ୟାଙ୍ଗର ସଦସ୍ୟ ପଲସନ୍ ଯୋଶେଫକୁ ଅଦାଲତ ଦୋଷମୁକ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ରୋହିତ ଥାଙ୍ଗପ୍ପାନ ଓରଫ୍ ସତୀଶ କାଳିଆ, ଅନିଲ ୱାଘମୋଡୋ, ଅଭିଜିତ ସିନ୍ଦୋ, ନୀଲେଶ ସେଜ୍, ଅରୁଣ ଢାକେ, ମଙ୍ଗେଶ ଆଗୱାନେ, ସଚ୍ଚିନ ଗାଏକ୍ୱାଡ୍, ଦୀପକ୍ ସିସୋଦିଆ ଏବଂ ବିନୋଦ ଆସ୍ରାନୀ। ଇତିମଧ୍ୟରେ ଆସ୍ରାନୀଙ୍କର ପରଲୋକ ଘଟିଛି। ଅଭିଯୁକ୍ତଙ୍କୁ ଅଦାଲତ ହତ୍ୟା ଏବଂ ଅପରାଧ ଷଡ଼ଯନ୍ତ୍ର ଅଭିଯୋଗ ସମେତ ସଂଗଠିତ ଅପରାଧ ସମ୍ବନ୍ଧୀୟ ମହାରାଷ୍ଟ୍ର ଆଇନ ଅଧୀନରେ ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦୀର୍ଘ ଦୁଇ ଦଶନ୍ଧି ଧରି ମୁମ୍ବଇ ଅଣ୍ଡରୱାର୍ଲଡ କାର୍ଯ୍ୟକଳାପର ରହସ୍ୟ ଉନ୍ମୋଚିତ କରିି ‘ମିଡ୍ ଡେ’ ଟାବ୍ଲଏଡ୍ର ସମ୍ପାଦକ(ଅପରାଧ ତଦନ୍ତ) ଜ୍ୟୋର୍ତିମୟ ଦେ କୁଖ୍ୟାତ ଅପରାଧୀମାନଙ୍କ ଚକ୍ଷୁଶୀଳ ପାଲଟିଥିଲେ। ୨୦୧୧ ଜୁନ୍ ୧୧ରେ ଘରକୁ ଫେରିବା ବାଟରେ ପେୱାଇଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ୍ର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରି ୧୦ ଜଣଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରିଥିଲା; କିନ୍ତୁ ପରେ ୨୦୧୬ରେ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ୧୫୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସିବିଆଇ ଅତିରିକ୍ତ ଅଭିଯୋଗ ଫର୍ଦ ଦାଖଲ କରିଥିଲା। ଅଭିଯୋଗ ଫର୍ଦ ଅନୁଯାୟୀ, ରାଜନ୍ ବିଷୟରେ ବରିଷ୍ଠ ସାମ୍ବାଦିକ ଦେ ବହୁ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଏପରିକି ଅପରାଧ ଦୁନିଆ ସମ୍ବନ୍ଧୀୟ ଏକ ପୁସ୍ତକରେ ସେ ରାଜନକୁ କୁଖ୍ୟାତ ଅପରାଧୀ ଦର୍ଶାଇଥିଲେ। ଏହି କାରଣରୁ ରାଜନ୍ କ୍ରୋଧାନ୍ୱିତ ହୋଇ ଦେଙ୍କୁ ହତ୍ୟା ନିର୍ଦେଶ ଦେଇଥିଲା। ଘଟଣା ଦିନ ଦେ ନିଜ ମା’ଙ୍କ ଘରୁ ଫେରୁଥିବା ବେଳେ ରାଜନ୍ ଗ୍ୟାଙ୍ଗର ସଦସ୍ୟ ସତୀଶ, ଅନୀଲ, ଅଭିଜିତ, ନୀଲେଶ, ଅରୁଣ, ମଙ୍ଗେଶ ଏବଂ ସଚ୍ଚିନ ମିଳିତ ଭାବେ ତାଙ୍କ ପିଛା କରିଥିଲେ। ପୋୱାଇଠାରେ କାଳିଆ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲା। ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ ରାଜନ ଫେରାର ହୋଇଯାଇଥିଲା। ପୁଲିସ ରାଜନକୁ ପଳାତକ ଅଭିଯୁକ୍ତ ଘୋଷଣା କରିଥିଲା। ହତ୍ୟା ଘଟଣାର ୪ ବର୍ଷ ପରେ ୨୦୧୫ ଅକ୍ଟୋବର ୨୫ରେ ଇଣ୍ଡୋନେସିଆରୁ ରାଜନକୁ ବାଲି ବିମାନବନ୍ଦରଠାରେ ଗିରଫ କରାଯାଇ ପ୍ରତ୍ୟର୍ପଣ ଜରିଆରେ ଅଣାଯାଇଥିଲା। ଅନ୍ୟପଟେ ଦେଙ୍କୁ ନିଜ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱୀ ଭାବୁଥିଲେ ସାମ୍ବାଦିକା ଜିଗ୍ନା ଭୋରା। ଏଣୁ ସେ ଦେ’ଙ୍କ ବିରୋଧରେ ନିୟମିତ ଭାବେ ରାଜନ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା। ଏହି ହତ୍ୟା ମାମଲାରେ ତାଙ୍କ ବିରୋଧରେ ସିବିଆଇ ପୃଥକ୍ ଭାବେ ଅଭିଯୋଗ ଫର୍ଦ ଦାଖଲ କରିଥିଲା।
ଦିଲ୍ଲୀର ତିହାର ଜେଲ୍ରେ ବନ୍ଦୀ ଥିବା ରାଜନ ବୁଧ
ବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଣାଣିର ସମ୍ମୁଖୀନ ହୋଇଥିଲା। ଅଭିଯୁକ୍ତମାନେ ସାମ୍ବାଦିକ ଦେ’ଙ୍କୁ ହତ୍ୟା କରି ବାସ୍ତବରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ କରିଛନ୍ତି। ଏଣୁ ସେମାନଙ୍କ ପ୍ରତି କୌଣସି କୋହଳ ମନୋଭାବ ପୋଷଣ ନ କରିବା ଲାଗି ସ୍ୱତନ୍ତ୍ର ସରକାରୀ ଓକିଲ ଯୁକ୍ତି ବାଢିଥିଲେ। ମାତ୍ର ଏହି ହତ୍ୟାକାଣ୍ଡ ବିରଳରୁ ଅତି ବିରଳ ଘଟଣା ହୋଇ ନ ଥିବାରୁ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରିବନାହିଁ ବୋଲି ପ୍ରତିପକ୍ଷ ଓକିଲ ଯୁକ୍ତି ଦର୍ଶାଇଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ସନ୍ଧ୍ୟାରେ ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତମାନଙ୍କ ଦଣ୍ଡାଦେଶ ଘୋଷଣା କରିଥିଲେ। ଅନ୍ୟପଟେ ଜିଗ୍ନା ଭୋରା ଏବଂ ପଲସନ୍ ଯୋଶେଫଙ୍କୁ ଦୋଷମୁକ୍ତ କରାଯିବା ବିରୋଧରେ ସିବିଆଇ ଉପରିସ୍ଥ କୋର୍ଟରେ ଆବେଦନ କରିପାରେ ବୋଲି କୁହାଯାଉଛି।



