ଅଧିକାଂଶ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ମୌସୁମି ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ଏବେ ବର୍ଷା ଜାରି ରହିଛି। ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ସହ କିଛି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ୮ ତାରିଖରେ ବର୍ଷାର ପରିମାଣ ହ୍ରାସ ପାଇବ। ପୁଣି ୯ ଓ ୧୦ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ। ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ହସ୍ତଗତ ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବିହାର ଓ ଝାରଖଣ୍ଡ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ ମୌସୁମି ଟ୍ରଫ୍‌ ଲାଇନ୍ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେଉଛି। ଆଜି ସକାଳ ସୁଦ୍ଧା କଟକରେ ସର୍ବାଧିକ ୧୩୪.୪ ମିଲି ମିଟର ବର୍ଷା ହୋଇଛି। ସେହିପରି କୋରାପୁଟରେ ୧୦୮.୨ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୨୪ ମିମି, ମାଲକାନଗିରିରେ ୪୫.୪, ଭବାନୀପାଟଣାରେ ୪୪.୪, ପୁରୀରେ ୩୫.୧, ଦେବଗଡ଼ରେ ୫୪, ଟିଟିଲାଗଡ଼ରେ ୪୪.୬ ଓ ପାରାଦ୍ବୀପରେ ୫୧.୫ ମିମି ବର୍ଷା ହୋଇଛି। ରବିବାର ଦିନ ଭୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁରରେ ଅଧିକ ବର୍ଷାର ସମ୍ଭାବନା ରହିଛି। ମୌସୁମି ପ୍ରଭାବରେ ଜୁନ୍‌ ୧ରୁ ଏଯାବତ୍ ରାଜ୍ୟରେ ୨୭୫ ମିମି ବର୍ଷା ହେବା କଥା। ହେଲେ ବର୍ଷା ପରିମାଣ ୨୫୪ ମିମି ରହିଛି। ଗଜପତିରେ ସବୁଠାରୁ କମ୍ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚଆର୍‌ ବିଶ୍ୱାସ ସୂଚନା ଦେଇଛନ୍ତି।

kalyan agarbati

Comments are closed.