ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ ମୁକାବିଲା
ଲିଡ୍ସ : ଗୋଟିଏ ଲିଗ୍ ମ୍ୟାଚ୍ ଖେଳିବାକୁ ବାକିଥିବା ବେଳେ ଚଳିତ ବିଶ୍ବକପ୍ର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି ଭାରତ। ଶନିବାର ଲିଗ୍ ପର୍ଯ୍ୟାୟର ଅନ୍ତିମ ଦିନରେ ଶ୍ରୀଲଙ୍କାର ମୁକାବିଲା କରିବ ଭାରତ। ଶ୍ରୀଲଙ୍କା ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିସାରିଛି। ସେମିଫାଇନାଲ ଖେଳିବା ନିଶ୍ଚିତ କରି ସାରିଥିଲେ ହେଁ ଭାରତକୁ ଏହି ମ୍ୟାଚ୍ରୁ ବହୁତ କିଛି ପାଇବାକୁ ଅଛି। ଭାରତ ଏବେ ୧୩ ପଏଣ୍ଟରେ ରହିଛି। ଶୀର୍ଷରେ ଥିବା ଅଷ୍ଟ୍ରେଲିଆଠାରୁ ଭାରତ ମାତ୍ର ୧ ପଏଣ୍ଟ ପଛରେ ରହିଛି। ଶନିବାର ସନ୍ଧ୍ୟାରେ ଦିବାରାତ୍ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସହ ଅନ୍ତିମ ମ୍ୟାଚ୍ ଖେଳିବ ଅଷ୍ଟ୍ରେଲିଆ। ଭାରତ ଶେଷ ମ୍ୟାଚ୍ରେ ଶ୍ରୀଲଙ୍କାକୁ ପରାସ୍ତକଲେ ଏହା ୧୫ ପଏଣ୍ଟ ପାଇବ। ଯଦି ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ପରାସ୍ତକରେ ଏହା ୧୬ ପଏଣ୍ଟ ସହ ଶୀର୍ଷରେ ରହିବ। ଏପରିହେଲେ ଆସନ୍ତା ୧୧ରେ ବର୍ମିଂହାମ୍ରେ ଭାରତ-ଇଂଲଣ୍ଡ ସେମିଫାଇନାଲ ଖେଳାଯିବ। ଜୁଲାଇ ୯ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳାଯିବ। ତେବେ ଶନିବାର ଯଦି ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ପରାସ୍ତକରେ; ତେବେ ସମୀକରଣ ବଦଳିଯିବ। ଶୀର୍ଷରେ ରହି ନ୍ୟୁଜିଲାଣ୍ଡ ସହ ସେମିଫାଇନାଲ ଖେଳିବ ଭାରତ ଏବଂ ଅଷ୍ଟ୍ରେଲିଆର ମୁକାବିଲା କରିବ ଇଂଲଣ୍ଡ। ତେଣୁ ଏହି ୨ଟି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର।
ସେମିଫାଇନାଲ ଖେଳିବା ପୂର୍ବରୁ ଭାରତ ତା’ର ବିଜୟଧାରା ବଜାୟରଖି ଦୃଢ଼ ମନୋବଳ ହାସଲ କରିବାକୁ ଚାହିଁବ। ଏହି ମ୍ୟାଚ୍ରେ କିଛି ପରୀକ୍ଷାନିରୀକ୍ଷା କରିପାରେ। କ୍ରମାଗତ ଭାବେ ଖେଳି ଆସୁଥିବା ତଥା ଭାରତୀୟ ଦଳର ମୁଖ୍ୟ ଆୟୁଧ ଯଶପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦେବା କଥା ଆଲୋଚନା ହେଉଛି। ଭୁବନେଶ୍ବର କୁମାର ଫିଟ୍ ହୋଇ ଫେରିଛନ୍ତି ଏବଂ ଭଲ ବୋଲିଂ କରୁଛନ୍ତି। ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଖେଳି ମହମ୍ମଦ ସାମି ୪ଟି ମ୍ୟାଚ୍ରୁ ୧୪ଟି ୱିକେଟ ନେଇ ସାରିଲେଣି। ତେଣୁ ବୁମ୍ରାଙ୍କୁ ବିଶ୍ରାମଦେବା କଥା ଭାରତ ଚିନ୍ତା କରିପାରେ। ଫଳରେ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଖେଳିବାର ସୁଯୋଗ ପାଇବେ। ଜାଡ଼େଜା ଅଦ୍ୟାବଧି ଗୋଟିଏ ମଧ୍ୟ ମ୍ୟାଚ୍ ଖେଳିନାହାନ୍ତି। ବାଂଲାଦେଶ ବିପକ୍ଷରେ ବିଶ୍ରାମ ନେଇଥିବା କୁଲଦୀପ ଯାଦବଙ୍କୁ ପୁଣି ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ସେମିଫାଇନାଲ ପୂର୍ବରୁ ଭାରତ ତା’ର ବ୍ୟାଟିଂକୁ ଶାଣିତ କରିବାକୁ ନିଶ୍ଚୟ ଚାହିଁବ। କେ.ଏଲ୍. ରାହୁଲ ୭ଟି ମ୍ୟାଚ୍ରୁ ୨ଟି ଅର୍ଦ୍ଧଶତକ ହାସଲ କରିବା ଦଳକୁ ନିଶ୍ଚିତ ଉତ୍ସାହିତ କରିଛି। ତଥାପି ତାଙ୍କଠାରୁ ଆହୁରି ମଜ୍ଭୁତ ପ୍ରଦର୍ଶନର ଆଶା ଦଳ ରଖିଛି। ରୋହିତ ଶର୍ମା ଚଳିତ ବିଶ୍ବକପ୍ରେ ସର୍ବାଧିକ ରନ୍ କରିବା ସହ ୪ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଏହି ୫ଟି ଇନିଂସରୁ ୪ଟି ଇନିଂସ ଆରମ୍ଭରେ ରୋହିତ ଜୀବନଦାନ ପାଇଛନ୍ତି। ପ୍ରତଥାପି ଭାରତୀୟ ବିଶ୍ବକପ୍ ଅଭିଯାନରେ ରୋହିତ ଜଣେ ମହାରଥୀ। ସେମିଫାଇନାଲ ପୂର୍ବରୁ ତାଙ୍କଠାରୁ ଆଉ ଏକ ବଡ଼ ସ୍କୋର୍ ଭାରତ ନିଶ୍ଚୟ ଆଶାରଖିଛି। ଅଧିନାୟକ ବିରାଟ କୋହଲି କ୍ରମାଗତ ୫ଟି ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବାଂଲାଦେଶ ବିପକ୍ଷରେ ଏହି ଧାରା ଭଙ୍ଗ ହୋଇଥିଲା। ସେମିଫାଇନାଲ ପୂର୍ବରୁ କୋହଲି ଏକ ବଡ଼ ସ୍କୋର୍ କରିବାକୁ ନିଶ୍ଚୟ ଚାହିଁବେ। ଋଷଭ ପନ୍ତ୍ ଗତ ୨ଟି ମ୍ୟାଚ୍ ଖେଳି ମୋଟ ୮୦ ରନ୍ କରିଥିବା ବେେଳ ବଡ଼ ଇନିଂସ ଖେଳିବାକୁ ଚାହିଁବେ। ତେବେ ଭାରତକୁ ୫ନଂ ସ୍ଥାନରେ ଦିନେଶ କାର୍ତ୍ତିକ ଓ କେଦାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ପଡ଼ିବ। କେପୁଣି ସେମିଫାଇନାଲ ପୂର୍ବରୁ ଭାରତ ହାର୍ଦିକ ପାଣ୍ଡ୍ୟା ଓ ଧୋନିଙ୍କୁ ଉପର ଅର୍ଡରରେ ବ୍ୟାଟିଂଦେବାକୁ ଚାହିଁବ।
ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିବା ଶ୍ରୀଲଙ୍କା ଦଳର ପ୍ରଦର୍ଶନରେ ନିୟମିତତା ଦେଖିବାକୁ ମିଳିନାହିଁ। ତେବେ ଗତ ୩ଟି ମ୍ୟାଚ୍ ଖେଳି ଯୁବ ବ୍ୟାଟ୍ସମ୍ୟାନ୍ ଅଭିକ୍ଷା ଫର୍ଣ୍ଣାଣ୍ଡୋ ପ୍ରଭାବଶାଳୀ ବ୍ୟାଟିଂ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଫର୍ଣ୍ଣାଣ୍ଡୋ ଶତକ ମଧ୍ୟ ମାରିଥିଲେ। ତାଙ୍କୁ ଛାଡ଼ି ଓପ୍ନର କୁଶଳ ପରେରା ୩ଟି ଅର୍ଦ୍ଧଶତକ ମାରିଛନ୍ତି। ଅଧିନାୟକ ଦିମୁଥ୍ କରୁଣାରତ୍ନେ ୨ ଶହରୁ ଅଧିକ ରନ୍ କରିଛନ୍ତି। ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମାଥ୍ୟୁସ୍ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୮୫ ରନ୍ର ଇନିଂସ ଖେଳିଥିଲେ ହେଁ ଅନ୍ୟ ସମସ୍ତ ମ୍ୟାଚ୍ରେ ବିଫଳ ହୋଇଛନ୍ତି। ଶ୍ରୀଲଙ୍କା ବୋଲିଂର ନେତୃତ୍ବ ନେଇଛନ୍ତି ଅଭିଜ୍ଞ ଲାସିଥ୍ ମାଲିଙ୍ଗା। ଅଦ୍ୟାବଧି ମାଲିଙ୍ଗା ୧୨ଟି ୱିକେଟ ନେଇ ସାରିଲେଣି। ତାଙ୍କର ଅନ୍ତିମ ବିଶ୍ବକପ୍ ଖେଳୁଥିବା ମାଲିଙ୍ଗା ଏହି ମ୍ୟାଚ୍ରେ ନିଶ୍ଚୟ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ମୋଟ ଉପରେ ଏହି ମ୍ୟାଚ୍ରେ ଭାରତ ଫେଭରିଟ୍।
Comments are closed.