ଲୋଇସିଂହା ବ୍ଲକରେ ଫେଲ୍ ମାରିଛି ସ୍ୱଚ୍ଛ ଭାରତ ଯୋଜନା
ଲୋଇସିଂହା : କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ପାଇଁ ବିଜ୍ଞାପନ ଜରିଆରେ କୋଟି କୋଟି ଟଙ୍କା ବ୍ୟୟରେ ଜନ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି। ପାଇଖାନା ନିର୍ମାଣ ଏବଂ ବ୍ୟବହାର କରିବା ପାଇଁ ଗ୍ରାମଞ୍ଚଳରେ ଗରିବ ଜନସାଧାରଣଙ୍କୁ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇ ଦେଉଛନ୍ତି। ମାତ୍ର ଲୋଇସିଂହା ବ୍ଳକ ଅଞ୍ଚଳରେ ଏହାର ବ୍ୟାପକ ଦୂରୁପଯୋଗ ହେଉଥିବା ଅଭିଯୋଗ ହେଉଛି। ଅନେକ ଗରୀବ ପରିବାର ପାଇଖାନା ନିର୍ମାଣ ପାଇଁ ସମର୍ଥ ହେଉ ନଥିବାରୁ ଜିଲ୍ଳା ତଥା ରାଜ୍ୟ ବାହାର ଠିକାଦାର ଜରିଆରେ ଅତ୍ୟନ୍ତ ନିମ୍ନ ମାନର ପାଇଖାନା ନିର୍ମାଣ କରାଯାଇ ବହୁ ଅର୍ଥ ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ହରିଲୁଟ ହେଉ ଥିବାରୁ ଅନେକ ପାଇଖାନା ବ୍ୟବହାର ଉପଯୋଗି ହୋଇ ପାରୁ ନାହିଁ । ହିତାଧିକାରୀଙ୍କ ନିଜସ୍ୱ ଜମି ରେ ପାଇଖାନା ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଥିଲେ ହେଁ ଏହାକୁ ସଂପୂର୍ଣ୍ଣ ଭାବରେ ଉପେକ୍ଷା କରାଯାଇ ଘର ଠାରୁ ଯେତେ ଦୂରଦୂରାନ୍ତର ହେଲେ ବି ସରକାରୀ/ଗୋଚର ଜମିରେ ବହୁ ପାଇଖାନା ନିର୍ମାଣ ହେଉଥିବା ଦେଖା ଯାଉଛି । କେତେକ ଗ୍ରାମରେ ରାସ୍ତା ଉପରେ ପାଇଖାନା ନିର୍ମାଣ ହେଉ ଥିବାରୁ ଯାନବାହାନ ଚଳାଚଳ ରେ ବ୍ୟାଘାତ ସୃଷ୍ଟି ହେଉଛି। ଏପରିକି ଲୋଇସିଂହା ସଦର ଠାରେ ଗୋଟିଏ ପରିବାରର ବାପ ପୁଅ ୪ଜଣ ଚାରୋଟି ପାଇଖାନା ହାତେଇଥିବା ଅଭିଯୋଗ ହୋଇଛି । ଏଠାରେ ପୂର୍ବରୁ ପାଇଖାନା ବ୍ୟବହାର କରି ଆସୁଥିବା ଅନେକ ସ୍ୱଚ୍ଛଳ ପରିବାର ନିଜ କାନ୍ଥରେ ଯୋଜନା ନାମ ଲେଖାଇ ଉକ୍ତ ଯୋଜାର ଅର୍ଥ ନେଉଛନ୍ତି। ଏପରିକି ଜଣେ ଜଣେ ବ୍ୟକ୍ତି ଗୋଟିଏ ପାଇଖାନା କୁ ଦେଖାଇ କାନ୍ଥରେ ବାରମ୍ବାର ନାମ ବଦଳାଇ ୨/୩ ଟି ପାଇଖାନା ର ବିଲ ହଡପ କରିଥିବା ଅଭିଯୋଗ ହେଉଛି। ଏହି ଭଳି ଗୋଟିଏ ଜାଲ ପାଇଖାନା ପାଇଁ ହିତାଧିକାରୀ କୁ ୨/୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହି କାରବାର ରେ ଅଞ୍ଚଳର କେତେକ ଲୋକ ପ୍ରତିନିଧି ତଥା ରାଜନେତାଙ୍କ ସମେତ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଉଥିବା ବିଭାଗୀୟ ଅଧିକାରୀ ମାଲେମାଲ ହେଉଥିବା ଚର୍ଚ୍ଚା ହେଉଛି। ହିତାଧିକାରୀ ପାଇଖାନା ବ୍ୟବହାର କରୁନ୍ତୁ ବା ନକରନ୍ତୁ କେବଳ ପାଇଖାନା ଲକ୍ଷଧାର୍ଯ୍ୟ ପୂରଣ ହିଁ ଏକ ମାତ୍ର କାମ ବୋଲି ବିଭାଗୀୟ ଜନୈକ ଅଧିକାରୀ ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏହାର ଭିଜିଲାନ୍ସ୍ ତଦନ୍ତ ହେଲେ ଲୋଇସିଂହା ବ୍ଳକରେ ଚାଲିଥିବା ପାଇଖାନା ଦୁର୍ନୀତି ର ପର୍ଦ୍ଦାଫାସ ହୋଇ ପାରିବ ବୋଲି ସ୍ଥାନୀୟ କେତେକ ବୁଦ୍ଧିଜୀବି ଦାବି କରିଛନ୍ତି।
Comments are closed.