ଦ୍ରାବିଡ଼ଙ୍କୁ ଅତିକ୍ରମ କଲେ ଧୋନି, ଖେଳିଲେ ୩୪୧ତମ ଦିନିକିଆ

ମାଞ୍ଚେଷ୍ଟର: ଦିନିକିଆ କ୍ରିକେଟ୍‌ରେ ଭାରତ ପାଇଁ ୨ୟ ସର୍ବାଧିକ ମ୍ୟାଚ୍‌ ଖେଳିବାର କୃତିତ୍ୱ ହାସଲ କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ରବିବାର ଚଳିତ କ୍ରିକେଟ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଧୋନିଙ୍କର ୩୪୧ତମ ଦିନିକିଆ ମ୍ୟାଚ୍। ଏହି କ୍ରମରେ ଧୋନି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ଅତିକ୍ରମ କରିଛନ୍ତି। ଅବସର ନେଇ ସାରିଥିବା ଦ୍ରାବିଡ଼ ଭାରତ ପାଇଁ ୩୪୦ଟି ଦିିନିକିଆ ମ୍ୟାଚ୍ ଖେଳିଛନ୍ତି। ତେବେ ମୋଟ ଦିିନିକିଆ ମ୍ୟାଚ୍‌ରେ ଉଭୟ ଧୋନି ଓ ଦ୍ରାବିଡ଼ ସମାନ ୩୪୪ରେ ଅଛନ୍ତି।

ଧୋନି ଭାରତ ପାଇଁ ୩୪୧ଟି ଓ ଏସିଆ ଏକାଦଶ ପାଇଁ ୩ଟି ଦିନିକିଆ ଏବଂ ଦ୍ରାବିଡ଼ ଭାରତ ପାଇଁ ୩୪୧ଟି ଏବଂ ଏସିଆ ଏକାଦଶ ପାଇଁ ଗୋଟିଏ ଓ ବିଶ୍ବ ଏକାଦଶ ପାଇଁ ୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ତେବେ ଭାରତ ପାଇଁ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିବାର ରେକର୍ଡ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ ସର୍ବାଧିକ ୪୬୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସଚିନ, ଦ୍ରାବିଡ଼ ଓ ଧୋନିଙ୍କ ପଛକୁ ଭାରତ ପାଇଁ ମହମ୍ମଦ ଆଝାରୁଦ୍ଦିନ ୩୩୪ଟି ଓ ସୌରଭ ଗାଙ୍ଗୁଲି ୩୦୮ଟି (ମୋଟ ୩୧୧ଟି) ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୩୪୩ଟି ଦିନିକିଆ ମ୍ୟାଚ୍‌ରୁ ମହେନ୍ଦ୍ର ସିଂହ ଧୋନି ୭୧ଟି ଅର୍ଦ୍ଧଶତକ ଓ ୧୦ଟି ଶତକ ସହ ମୋଟ ୧୦୫୬୨ ରନ୍ ସ୍କୋର୍ କରିଛନ୍ତି। ଧୋନିଙ୍କର ଦିନିକିଆ ଆଭ୍‌ରେଜ୍ ହେଉଛି ୫୦.୫୩।

Comments are closed.