ଚେନ୍ନଇକୁ ୪୬ ରନ୍ରେ ହରାଇଲା ମୁମ୍ବଇ
ଚେନ୍ନଇ : ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବଇ ଇଣ୍ଡିଆନ୍ସ ଏଠାରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଚେନ୍ନଇ ସୁପର କିଙ୍ଗ୍ସକୁ ୪୬ ରନରେ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ମୁମ୍ବଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୫୫ ରନ କରିଥିଲା। ଜବାବରେ ଚେନ୍ନଇ ସୁପର କିଙ୍ଗ୍ସ ୧୭.୪ ଓଭରରେ ୧୦୯ ରନରେ ଅଲଆଉଟ ହୋଇଥିଲା। ଏହି ବିଜୟ ଫଳରେ ମୁମ୍ବଇ ୧୧ଟି ମ୍ୟାଚରୁ ୭ଟି ବିଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ୨ୟ ସ୍ଥାନକୁ ଉନ୍ନୀତ ହୋଇଛି।
୧୫୬ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନଇ ପକ୍ଷରୁ ସେନ୍ ୱାଟସନ ଓ ମୁରଲୀ ବିଜୟ ଇନିଂସ ଆରମ୍ଭ କରିଥିଲେ। ତେବେ ପ୍ରଥମ ଓଭରରେ ଦୁଇଟି ଚୌକା ମାରିବାପରେ ସେନ୍ ୱାଟ୍ସନ ୯ ରନ କରି ଲସିଥ୍ ମାଲିଙ୍ଗାଙ୍କ ବଲରେ ଆଉଟ ହୋଇଥିଲେ। ଚେନ୍ନଇର କାମଚଳା ଅଧିନାୟକ ସୁରେଶ ରୈନା ମାତ୍ର ୨ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ପାଲଟିଥିଲେ। ଅମ୍ବତି ରାୟୁଡୁ ଖାତା ଖୋଲିବା ପୂର୍ବରୁ କ୍ରୁନାଲ ପାଣ୍ଡ୍ୟାଙ୍କ ବଲରେ ବୋଲଡ ହୋଇଥିଲେ। ମଧ୍ୟକ୍ରମରେ କେଦାର ଯାଦବ (୬) ଓ ଧ୍ରୁବ ସୋରେ (୫) ବଡ ସଟ୍ ଖେଳିବାକୁ ଯାଇ ଆଉଟ ହୋଇଥିଲେ। ବିଜୟ ୩୮ ରନ କରି ଯଶପ୍ରୀତ ବୁମ୍ରାଙ୍କ ବଲରେ ଆଉଟ ହୋଇଥିଲେ। ଡ୍ବୟେନ ବ୍ରାଭୋ ଓ ସାଣ୍ଟନର ୭ମ ୱିକେଟ ପାଇଁ ୩୩ ରନ ଯୋଗକରିବାପରେ ବ୍ରାଭୋ ୨୦ ରନ କରି ଆଉଟ ହୋଇଥିଲେ। ସାଣ୍ଟନର ୨୨ ରନ କରିବା ଫଳରେ ଚେନ୍ନଇ ୧୭.୪ ଓଭରରେ ୧୦୯ ରନରେ ଅଲଆଉଟ ହୋଇଥିଲା। ମୁମ୍ବଇ ପକ୍ଷରୁ ମାଲିଙ୍ଗା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବାବେଳେ ବୁମ୍ରା ଓ କ୍ରୁନାଲ ପ୍ରତ୍ୟେକ ୨ଟି ୱିକେଟ ପାଇଥିଲେ।
ଚେନ୍ନଇର କାମଚଳା ଅଧିନାୟକ ସୁରେଶ ରୈନା ଟସ୍ ଜିତି ପ୍ରଥମେ ବ୍ୟାଟଂ ପାଇଁ ମୁମ୍ବଇକୁ ଆମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର କ୍ବିଣ୍ଟନ ଡି’ କକ୍ ଓ ରୋହିତ ଶର୍ମା ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ଦୀପକ ଚହରଙ୍କ ଦ୍ବିତୀୟ ଓଭରରେ କ୍ରମାଗତ ଛକା ଓ ଚୌକା ମାରିବାପରେ ଡି’ କକ୍ ବ୍ୟକ୍ତିଗତ ୧୫ ରନ କରି ୱିକେଟରକ୍ଷକ ଅମ୍ବତି ରାୟୁଡୁଙ୍କ ଦ୍ବାରା କ୍ୟାଚଆଉଟ ହୋଇଥିଲେ। ଓପନିଂ ଯୋଡି ପ୍ରଥମ ୱିକେଟ ପାଇଁ ୨.୪ ଓଭରରେ ୨୪ ରନ ସଂଗ୍ରହ କରିଥିଲେ। ଡି’କକ୍ଙ୍କ ପ୍ରସ୍ଥାନ ପରେ ରୋହିତ ଓ ଏଭିନ ଲୁଇସ ୨ୟ ୱିକେଟ ପାଇଁ ୭୫ ରନ ସ୍କୋର କରିଥିଲେ। ଲୁଇସ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୨ ରନ କରିବାପରେ ମିଚେଲ ସାଣ୍ଟନରଙ୍କ ବଲରେ ଡ୍ବେନ ବ୍ରାଭୋଙ୍କ ହାତରେ ଧରାପଡିଥିଲେ। କ୍ରୁନାଲ ପାଣ୍ଡ୍ୟା ବେଶି ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ୧ ରନ କରିଥିବାବେଳେ ଇମ୍ରାନ ତାହିରଙ୍କ ବଲରେ କ୍ରୁନାଲ ସାଣ୍ଟନରଙ୍କ ଦ୍ବାରା କ୍ୟାଚଆଉଟ ହୋଇଥିଲେ। ଦଳୀୟ ସ୍କୋର ୧୨୨ ରନରେ ମୁମ୍ବଇ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା। ରୋହିତ ୪୮ଟି ବଲରୁ ୬ଟି ଚୌକା ଓ ୩ଟି ଛକା ସହାୟତାରେ ୬୭ ରନ କରି ସାଣ୍ଟନରଙ୍କ ଦ୍ବିତୀୟ ଶିକାର ପାଲଟିଥିଲେ। ରୋହିତ ଆଉଟ ହେବାପରେ ମୁମ୍ବଇର ରନ ସଂଗ୍ରହ ହାର ବାଧାପ୍ରାପ୍ତ ହୋଇଥିଲା। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୈରନ ପୋଲାର୍ଡ ୪ର୍ଥ ୱିକେଟ ପାଇଁ ୩.୪ ଓଭରରେ ଅବିଭାଜିତ ୩୩ ରନ ଯୋଗକରିବା ଫଳରେ ମୁମ୍ବଇ ଦଳ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୫୫ ରନ କରିଥିଲା। ହାର୍ଦ୍ଦିକ ୨୩ ଓ ପୋଲାର୍ଡ ୧୩ ରନରେ ଅପରାଜିତ ଥିଲେ। ଚେନ୍ନଇ ପକ୍ଷରୁ ସାଣ୍ଟନର ୨ଟି ୱିକେଟ ଅକ୍ତିଆର କରିଥିବାବେଳେ ଦୀପକ ଚହର ଓ ଇମ୍ରାନ ତାହିର ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
Comments are closed.