ମୟୁରଭଞ୍ଜ ମେଡିକାଲ୍ କଲେଜ ପାଇଁ ରାଜ୍ୟ ସରକାରଙ୍କ ୮୦% ଅର୍ଥ ବିନିଯୋଗ : ନବୀନ

ଦ୍ୱାରଶୁଣି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମୟୁରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ମୟୁରଭଞ୍ଜ ମେଡିକାଲ୍ କଲେଜ ପାଇଁ ରାଜ୍ୟ ସରକାର ୮୦ ପ୍ରତିଶତ ଅର୍ଥ ଦେଇଛି ଓ କେନ୍ଦ୍ର ସରକାର ମାତ୍ର ୨୦ ପ୍ରତିଶତ ଅର୍ଥ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମେଡିକାଲ କଲେଜ ପାଇଁ କିଛି କଲେନାହିଁ। ରାଜ୍ୟ ସରକାରଙ୍କ ଯୋଗୁଁ ହିଁ କଲେଜ ପ୍ରତିଷ୍ଠା ସମ୍ଭବ ହୋଇପାରିଛି ବୋଲି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାବାଡ଼ିଆ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ପ୍ରଥମେ ସେଠାରେ ଉପସ୍ଥିତ ଜନସାଧରଣଙ୍କୁ ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ ଆସିଛନ୍ତି ବୋଲି ସମବେତ ଜନତା ଖୁସି କି, ନାହିଁ ବୋଲି ପଚାରିବା ସହ ସେଠାକୁ ଆସିଥିବାରୁ ସେ ନିଜେ ଖୁସି ବୋଲି କହିଥିଲେ। ତାଙ୍କ କଥା ଶୁଣିବାକୁ ଖରା ସତ୍ତ୍ୱେ ଆସିଥିବାରୁ ଲୋକମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଲେ, ଫାଇଲିନ୍, ତିତଲି, ହୁଡୁହୁଡ୍ ଆଦି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥିଲା। ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟର ବିପତ୍ତି ବେଳେ ପ୍ରଧାନମନ୍ତ୍ରୀଙ୍କର ଦେଖା ନ ଥିଲା, ଏବେ ଭୋଟ୍ ପାଇଁ ଦୌଡୁଥିବା କଥା ସେ ଦୋହରାଇଥିଲେ। ଓଡ଼ିଶାବାସୀ ଏ ସବୁର ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.