ଆଣବିକ ପରୀକ୍ଷଣ ବନ୍ଦ କଲା ଉତ୍ତରକୋରିଆ

0

ସିଓଲ୍‍: ଆଣବିକ ପରୀକ୍ଷଣ ଓ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ଉତ୍‍କ୍ଷେପଣକୁ ଉତ୍ତର କୋରିଆ ସ୍ଥଗିତ କରିଛି। ଏଥିସହିତ ସମସ୍ତ ପରୀକ୍ଷଣ ସ୍ଥଳ ଓ ପରୀକ୍ଷାଗାରକୁ ବନ୍ଦ କରିଦେଇଛି। ଏହା ପଛର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଆମେରିକା ସହିତ ଗୁପ୍ତ ବୁଝାମଣା ଆଧାରରେ ଉତ୍ତର କୋରିଆ ଏହି ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଉତ୍ତର କୋରିଆର ବିପର୍ଯ୍ୟସ୍ତ ଅର୍ଥନୀତିରେ ସୁଧାର ଆଣିବା ପାଇଁ କିମ୍‍ ଜୋଙ୍ଗ ୟଙ୍ଗ ଏହି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଦକ୍ଷିଣ କୋରିଆର କୂଟନୀତିଜ୍ଞମାନେ କହିଛନ୍ତି। ଉତ୍ତର କୋରିଆର ଏହ ନିଷ୍ପତ୍ତିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାଗତ କରିବା ସହିତ ବିଶ୍ୱ ଓ ଉତ୍ତର କୋରିଆ ପାଇଁ ଏହା ଶୁଭଙ୍କର ବୋଲି କହିଛନ୍ତି। ଆସନ୍ତା ମେ’ କିମ୍ବା ଜୁନ୍‍ ମାସରେ ଟ୍ରମ୍ପ ଓ କିମ୍‍ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ କୋରିଆ ଗସ୍ତ ଅବ୍ୟବହିତ ପୂର୍ବରୁ କିମ୍‍ଙ୍କ ଆଣବିକ ପରୀକ୍ଷଣ ସ୍ଥଗିତ ଘୋଷଣା ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ସହାବସ୍ଥାନ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି।

Leave A Reply