ନବମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା
ଘାଜିଆବାଦ: ଇନ୍ଦିରାପୁରମ୍ର ସେଣ୍ଟ ଫ୍ରାନ୍୍ସିସ୍ ସ୍କୁଲ୍ର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାରେ ଉକ୍ତ ସ୍କୁଲ୍ର ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ୧୬ ବର୍ଷ ବୟସ୍କ ଆୟୁଷ ଶର୍ମାଙ୍କୁ ଅପହରଣ ପରେ ହତ୍ୟା କରି ଏକ ନର୍ଦ୍ଦମାରେ ଫୋଫାଡ଼ି ଦିଆଯାଇଥିଲା। ତାଙ୍କୁ ମୁଣ୍ଡଜାମିନ ରଖି ଟଙ୍କା ଅସୁଲ କରିବାକୁ ତାଙ୍କ ବନ୍ଧୁ ବିରାଟ ହିଁ ଏହି ଯୋଜନା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ହତ୍ୟା ପରେ ଆୟୁଷଙ୍କ ଶରୀରକୁ ଏକ ବଡ଼ ପଥରରେ ବାନ୍ଧି ନୋଇଡ଼ା ନିକଟସ୍ଥ ଇକୋଟେକ୍ ଅଞ୍ଚଳରେ ଦୁଇ ଫୁଟ୍ ଗଭୀର ନର୍ଦ୍ଦମାରେ ଫୋଫାଡ଼ି ଦିଆଯାଇଥିଲା। ଚେହେରା ଜଣା ନ ପଡ଼ିବା ପାଇଁ ମୁହଁକୁ ପଥରରେ ଛେଚି ଦିଆଯାଇଥିଲା। ୧୬ ତାରିଖ ଦିନ ଆୟୁଷଙ୍କୁ ହତ୍ୟା କରାଯାଇଥିବା ବେଳେ ଚାରି ଦିନ ପରେ ଉଦ୍ଧାର କରାଯାଇଥିଲା। ସନ୍ଦେହରେ ଆୟୁଷଙ୍କ ସାଥୀ ବିରାଟଙ୍କୁ ଗତ ଶୁକ୍ରବାର ଗିରଫ କରାଯିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଆୟୁଷଙ୍କ ପିତା ପ୍ରମୋଦ ଶର୍ମା ଦିଲ୍ଲୀର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ଜୟ ପ୍ରକାଶ ଅଗ୍ରୱାଲ୍ଙ୍କ ନିକଟରେ କାମ କରୁଥିଲେ। ଗତ ୧୬ ତାରିଖ ଅପରାହ୍ନରେ ଆୟୁଷ ବିରାଟଙ୍କ ସହିତ ବୁଲିବାକୁ ଯାଉଥିବା ମା’ଙ୍କୁ କହିଥିଲେ। କିନ୍ତୁ ସେ ନ ଫେରିବାରୁ ଥାନାରେ ଅଭିଯୋଗ କରିଥିଲେ। ବିରାଟଙ୍କ ଜଣେ ବନ୍ଧୁ ୨.୩୦ ଲକ୍ଷ ଟଙ୍କା ଋଣ ନେଇ ଶୁଝି ପାରୁ ନ ଥିଲେ। ବିରାଟ ଏଥିପାଇଁ ଗ୍ୟାରେଣ୍ଟର ଥିଲେ। ତେଣୁ ଟଙ୍କା ପାଇଁ ବିରାଟ ନିଜ ବନ୍ଧୁମାନଙ୍କ ସହିତ ମିଶି ଏହି ଯୋଜନା କରିଥିଲେ।