ବିଜେପି କ୍ଷମତାକୁ ଆସିଲେ ବେକାର ଯୁବକ ଯୁବତୀଙ୍କୁ ଚାକିରି ମିଳିବ : ଧର୍ମେନ୍ଦ୍ର ପ୍ରଧାନ

କଳାପଥର(ବାଙ୍କୀ) : ବାଙ୍କୀ ବ୍ଳକ କଳାପଥର ଦମକଳ କେନ୍ଦ୍ର ସାମ୍ନା ଖେଳ ପଡିଆରେ ଶନିବାର ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସାଧାରଣ ସଭାରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଭାରତ ମାତାକି ଜୟ ନାରାରୁ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ପରେ ଜୟ ଜଗନ୍ନାଥ କହି କହିଥିଲେ, ଅପାରକ ରାଜ୍ୟ ସରକାର ବଦଳିବା ଦରକାର, ଚିଟଫଣ୍ଡ ଦୁର୍ନୀତିରେ ଜଡୀତ ଥିବା ସରକାର ବଦଳିବା ଦରକାର, ଝିଅ ବୋହୁଙ୍କ ଇଜ୍ଜତ ଲୁଟୁଥିବା ରାଜ୍ୟ ସରକାରକୁ ଫୋପାଡି ଦେଇ ପରିବର୍ତ୍ତନ କରି ଡବଲ ଇଞ୍ଜନ ସରକାର ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ସାରା ରାଜ୍ୟରେ ବେକାରି ସମସ୍ୟା ଉତ୍କଟରୂପ ଧାରଣ କରିଛି। ବେକାରୀ ଯୁବକ ଯୁବତୀମାନେ ଉଚ୍ଚଶିକ୍ଷିତ ହୋଇ ଚାକିରି ନପାଇ ବେକାର ହୋଇ ବୁଲୁଛନ୍ତି। ଫଳରେ ଏହା ରାଜ୍ୟରେ ଉତ୍କଟ ରୂପ ଧାରଣ କରିଛି। କେନ୍ଦ୍ର ଓ ରାଜ୍ୟରେ ବିଜେପି ଯଦି କ୍ଷମତାକୁ ଆସିବ ତେବେ ବେକାର ଯୁବକ-ଯୁବତୀ ମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବ ବୋଲି  ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଥିଲେ। ସେ କହିଲେ ସାରା ରାଜ୍ୟରେ ଦୁର୍ନୀତି ଛାଇ ହୋଇ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା-ଗମନ, କୃଷି, ପାନୀୟଜଳ ଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟକ୍ରମ ଗୁଡିକ ସରକାର ସମାଧାନ କରିବା ଦିଗରେ ଆଖିବୁଜି ଦେଇଛନ୍ତି। ରାଜ୍ୟର ୧୦ ଲକ୍ଷ ଗରିବ ଜନସାଧାରଣଙ୍କ ଝାଳବୁହା ଅର୍ଥକୁ ସରକାରୀ ଦଳର ନେତା ଓ ମନ୍ତ୍ରୀ ମାନେ ଚିଟ୍‍ ଫଣ୍ଡ ପାଇଁ ଦୁର୍ନୀତି କରି ବନ୍ଧା ହେବେ। ଆଜି ପର୍ଯ୍ୟନ୍ତ ଲୋକ ମାନଙ୍କର ଝାଳବୁହା ଅର୍ଥ ମିଳିଲା ନାହିଁ। ବିଜେପି ଯଦି ସରକାରକୁ ଆସେ ଚିଟ୍‍ଫଣ୍ଡ ଚୋରକୁ ତୁରନ୍ତ ବାନ୍ଧିବ ବୋଲି ସେ କହିଥିଲେ।

prayash

ବାଙ୍କୀ ଉପଖଣ୍ଡର ସମସ୍ୟା ଗୁଡିକ ସମ୍ପର୍କରେ ସେ କହିଥିଲେ, ଏଠାକାର ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ପାନୀୟ ଜଳ ଲୋକଙ୍କୁ ମିଳୁନାହିଁ। ମହାନଦୀ କୁଳରେ ଅବସ୍ଥିତ ବାଙ୍କୀ କୃଷି କ୍ଷେତ୍ରରେ ପଛୁଆ ହୋଇ ରହିଛି। ବାଙ୍କୀ ନରାଜରୁ ଯାଇ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ କୃଷିକ୍ଷେତ୍ର କରାଯାଉଥିବାବେଳେ ପଶ୍ଚିମ ବାଙ୍କୀ ସମେତ ପୂର୍ବ ବାଙ୍କୀରେ କୃଷି କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇ ପାରିଲା ନାହିଁ। ଉତ୍ପାଦିତ ପନିପରିବାକୁ ସଂରକ୍ଷଣ ପାଇଁ କୋଷ୍ଟୋର ପ୍ରତିଶ୍ରୁତି ଧୁଆଁ ବାଣରେ ରହିଯାଇଛି। ଏଠାକାର ବିଧାୟକ ଚିଟଫଣ୍ଡ ଦୁର୍ନୀତିରେ ସଂମ୍ପୃକ୍ତ ରହି ୬ମାସ ଜେଲ ଯାଇଥିଲେ। ଏଣୁ ଆଗାମୀ ସାଧାରଣ ନିର୍ବାଚନରେ ଏମାନଙ୍କୁ ପ୍ରତ୍ୟାକ୍ଷାନ କରି ବିଜେପି ସରକାରକୁ କ୍ଷମତାକୁ ଆଣିବାପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‍ ବୋଧନ ଦେଇଥିଲେ। ସେହିପରି କେନ୍ଦ୍ରରେ ମୋଦୀ ସରକାରଙ୍କୁ ମଧ୍ୟ ଆଣିବାକୁ ହେଲେ ଉଭୟ ଲୋକସଭା ଓ ବିଧାନ ସଭା ଭୋଟରେ ବିଜେପି ପାର୍ଥିଙ୍କୁ ଭୋଟ ଦେବାପାଇଁ ସେ ନିବେଦନ କରିଥିଲେ। ସେହିପରି କଂଗ୍ରେସକୁ ମଧ୍ୟ କଟାକ୍ଷ କରିଥିଲେ। ଉକ୍ତ ନିର୍ବାଚନୀ ସାଧାରଣ ସଭାରେ କଟକ ବିଜେପି ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ଡି ଜି ପି ପ୍ରକାଶ ମିଶ୍ର, ବାଙ୍କୀ ବିଧାନ ସଭା ପାର୍ଥି ଶୁଭ୍ରାଂଶୁ ମୋହନ ପାଢି, ଶୁବଳ ବେହେରା, ବାଙ୍କୀ ପ୍ରଭାରି ଶୃତି ପଟ୍ଟନାୟକ, ତୁଷାରକାନ୍ତ ଚକ୍ରବର୍ତ୍ତି, କଳାପଥର ମଣ୍ଡଳ ସଭାପତି ଦାସରଥି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଜୟ ସଂକଳ୍ପ ସମାବେଶରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ଉପସ୍ଥିତ ଥିଲେ।

Comments are closed.