ମଇ ୬ରେ ନିଟ୍ : ଜାରି ହେଲା ଡ୍ରେସ୍ କୋର୍ଡ
ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ଶିକ୍ଷା ବୋର୍ଡ(ସିବିଏସ୍ଇ) ପକ୍ଷରୁ ଏମ୍ବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୬ରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(ନିଟ୍) ୨୦୧୮ ଅନୁଷ୍ଠିତ ହେବ।
ଏଥିପାଇଁ ଡ୍ରେସ୍ କୋଡ୍ ଜାରି କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ରେ ଆଡ୍ମିଟ୍ କାର୍ଡ ପ୍ରଦାନ କରାଯାଇଛି।
ନିଟ୍ ପରୀକ୍ଷା ପାଇଁ ଡ୍ରେସ୍ କୋର୍ଡ ଲାଗୁ କରାଯାଇଛି। ସର୍ବଭାରତୀୟ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଡ୍ରେସ୍କୋର୍ଡ ଜାରି କରିଛି ସିବିଏସ୍ଇ। ମେ’ ୬ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଫିକା ତଥା ହାଲୁକା ରଙ୍ଗର ହାଫ୍ ସାର୍ଟ ଓ ଟ୍ରାଉଜର ପିନ୍ଧିବେ। ଜୋତା ବଦଳରେ ଛାତ୍ରମାନେ ଚପଲ ପିନ୍ଧିବେ। ସେମାନଙ୍କ ସାର୍ଟରେ କୌଣସି ବ୍ୟାଚ୍ ଓ ବଡ଼ ବୋତାମ ରହିବ ନାହିଁ ବୋଲି ସିବିଏସ୍ଇ ଗାଇଡ୍ଲାଇନ୍ ଜାରି କରିଛି। ସେହିଭଳି ଛାତ୍ରୀମାନଙ୍କୁ ଚୁଡ଼ିଦାର ଓ ଟ୍ରାଉଜର ସହ ବିନା ହିଲ୍ବାଲା ଚପଲ୍ ପିନ୍ଧିବାକୁ କୁହାଯାଇଛି। ସାର୍ଟ, ପ୍ୟାଣ୍ଟ କିମ୍ବା ଛାତ୍ରୀଙ୍କ ଅନ୍ୟ ପୋଷାକରେ ବଡ଼ ସାଇଜର ବୋତାମ୍, ବ୍ୟାଜ୍ କିମ୍ବା ଡିଜାଇନ୍ ସାମଗ୍ରୀ ଲାଗି ନଥିବ। ଏହାସହିତ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍, ବ୍ଲୁଟୁଥ୍, ଇୟରଫୋନ୍ ଓ ରବର ବ୍ୟାଣ୍ଡ୍ ନ ଆଣିବାକୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ସେହିପରି ଜ୍ୟାମିତି ବାକ୍ସ, ପେନ୍ସିଲ୍, ବେଲ୍ଟ, ଟୋପି, ଗହଣା, ଘଣ୍ଟା କିମ୍ବା କୌଣସି ଧାତୁନିର୍ମିତ ସାମଗ୍ରୀ କେନ୍ଦ୍ରକୁ ନେବାକୁ ବାରଣ କରାଯାଇଛି। ଯେଉଁମାନେ ଏହି ଡ୍ରେସ୍କୋର୍ଡ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିବେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ। ଏହାର ଖିଲାପ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ନିଟ୍ ପରୀକ୍ଷାକୁ ଅଧିକ ବ୍ୟବସ୍ଥିତ ଓ ଅନିୟମିତତା ରୋକିବା ଲାଗି କଟକଣା ଲଗାଇଛି ସିବିଏସ୍ଇ। ଦେଶର ବିଭନ୍ନ ସ୍ଥାନରୁ ନୂଆ ନୂଆ ଉପାୟରେ ଠକେଇର ଅଭିଯୋଗ ଆସିବା ପରେ ସିବିଏସ୍ଇ ଏଭଳି ପଦକ୍ଷେପ ନେଇଛି। ମୋବାଇଲ୍ ଫୋନ୍, ବ୍ଲୁଟୁଥ୍ ପରି ଇଲେକ୍ଟ୍ରୋନିକ୍ସ୍ ଉପକରଣ ସହ ଇଅର୍ରିଂ, ଉଚ୍ଚ ହିଲ୍ର ଚପଲ, ହେୟାର୍କ୍ଲପ୍ ଭଳି ସାମଗ୍ରୀ ଉପରେ ଆଗରୁ କଟକଣା ରହିଥିବାବେଳେ ଏସବୁ ଉପକରଣକୁ ଗୁପ୍ତରେ କେହି ଯେମିତି ପରୀକ୍ଷା ହଲ୍କୁ ନେଇ ନ ପାରିବେ ସେଥିଲାଗି ଡ୍ରେସ୍କୋଡ୍ ବ୍ୟବସ୍ଥା ଲାଗୁ କରାଯାଇଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ପ୍ରସ୍ତାବ ପାରିତ ହୋଇଥିବାବେଳେ ଚଳିତ ବର୍ଷରୁ ଏହାକୁ ଲାଗୁ କରାଯିବ।
ଗତବର୍ଷ ନିଟ୍ ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଷ୍ଟଲ୍, ସ୍କାର୍ଫ ଓ ଚପଲ ଖୋଲିବାକୁ ନେଇ ସିବିଏସ୍ଇ ସମାଲୋଚନା ହୋଇଥିଲା।