ବ୍ଲକ ପରିବର୍ତ୍ତନ ଦାବି ନେଇ ବାର୍ଷିକୋନା ଅଞ୍ଚଳବାସୀଙ୍କ ଭୋଟ ବର୍ଜନ
କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଥିବା ବାର୍ଷିକୋନା ଅଞ୍ଚଳବାସୀ ଗୁରୁବାର ବ୍ଲକ ପରିବର୍ତ୍ତନ ଦାବି ନେଇ ଭୋଟ ବର୍ଜନ କରିଥିବା ଜଣାପଡିଛି। ଥୁଆମୁଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତ ଅଧିନରେ ରହିଛି ବାର୍ଷିକୋନା, ଗମ୍ଭାରୀଗୁଡା, ବୀରାଗୁଡା ଓ ମୁଣ୍ଡିଚୁଆଁ। ଏମାନଙ୍କ ପାଇଁ ମଧ୍ୟ ପଞ୍ଚାୟତ ସହିତ ବ୍ଲକ ମୁଖ୍ୟାଳୟକୁ ଯାତାୟତ ପାଇଁ ରାସ୍ତାର ଅଭାବ ରହିଛି। ପାଦ ଚଲା ରାସ୍ତାରେ ଦୁଇଗୋଟି ପାହାଡ ଡେଇ ଦିର୍ଘ ୧୫ କିଲୋମିଟର ଦୂର ଗଲା ପରେ ସିନ୍ଧିପଦର ପଞ୍ଚାୟତ ପଡେ। ସେହିପରି ୨୫ କିଲୋମିଟର ପାହାଡ ମଧ୍ୟରେ ଚାଲିବା ପରେ ବ୍ଲକ ମୁଖ୍ୟାଳୟକୁ ପହଞ୍ଚନ୍ତି। ଏମାନଙ୍କ ପାଇଁ ସ୍ୱାସ୍ଥ୍ୟ, ପାନୀୟ, ସମେତ ଉଚ୍ଚ ଶିକ୍ଷା ଭଳି ମୌଳିକ ସୁବିଧା ସାତସପନ। ଏପରିକି ଅନେକ ସମୟରେ ପଞ୍ଚାୟତ ମାଧ୍ୟମରେ ମିଳୁଥିବା ଅତ୍ୟାବଶକୀୟ ସାମଗ୍ରୀ ପାଇବାକୁ ହେଲେ ଦିର୍ଘ ୧୫ କିଲୋମିଟର ପାଦଚଲା ରାସ୍ତାରେ ଯିବାକୁ ହେଉଛି। କିନ୍ତୁ ୫ରୁ ୭ କିଲୋମିଟର ସମତଳ ରାସ୍ତାରେ ଗଲେ ଜୁନାଗଡ ବ୍ଲକର ଦାସିଗାଁ ଓ କଲମପୁର ବ୍ଲକର ଦେପୁର ପଞ୍ଚାୟତ ସହିତ ଯୋଗାଯୋଗ ହୋଇ ପାରୁଛି। ତେଣୁ ଏହି ଅଞ୍ଚଳକୁ ଥୁଆମୁଲ ରାମପୁର ବଦଳରେ ଜୁନାଗଡ ଅଥବା କଲମପୁର ବ୍ଲକ ସହିତ ସଂଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏହି ଦାବି ପତ୍ର ପାଇବା ପରେ ମଧ୍ୟ ପ୍ରଶାସନ ଗ୍ରାମବାସୀଙ୍କ ସହିତ ତାର ସମାଧାନ ନେଇ କୌଣସି ଆଲୋଚନା କରିନଥିଲା। ତେଣୁ ଏହି ସମସ୍ତ ଗ୍ରାମର ପ୍ରାୟ ୧୫୦ରୁ ଅଧିକ ମତଦାତା ସେମାନଙ୍କ ମତଦାନରୁ ନିବୃତ ରହିଛନ୍ତି।
Comments are closed.