ଭୁବନେଶ୍ବର : ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ସହ ଚାଷୀମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଫଳରେ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ଏବଂ ଚାଷୀମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପୁଲିସ ୫୦ରୁ ଅଧିକ ଚାଷୀଙ୍କୁ ଅଟକ ରଖିଛି।
ତେବେ ନବ ନିର୍ମାଣ କୃଷକ ସଙ୍ଗଠନ ବିଭିନ୍ନ ଦାବିକୁ ନେଇ ଅନେକ ଦିନ ଧରି ଆନ୍ଦୋଳନ କରିଆସୁଛି। କିନ୍ତୁ ଏପ୍ରିଲ ୧୧ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ସତ୍ତ୍ବେ ରାଜ୍ୟ ସରକାର ସଂଗଠନର ଦାବି ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ କରି ନାହାଁନ୍ତି। ଏଥିପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିଥିଲା।



