ନୂଆଦିଲ୍ଲୀ: ନିର୍ବାଚନ ମହାସମରରେ ନେତାମାନେ ଜୋଶରେ ଆସି ଦେଉଥିବା ବୟାନକୁ ନେଇ ଚର୍ଚ୍ଚା ଏବଂ ବିବାଦ ଲାଗି ରହିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ‘ମୋଦୀଙ୍କ ସେନା’ କହି ବିବାଦକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ ନକ୍ଭୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଉଭୟଙ୍କୁ ନିର୍ବାଚନ ଆୟୋଗ ନୋଟିସ ଜାରି କରିଛନ୍ତି।
ଉତ୍ତର ପ୍ରଦେଶର ରାମପୁରଠାରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ ନକ୍ଭୀ କହିଛନ୍ତି, ‘ମୋଦୀଙ୍କ ସେନା’ ଆତଙ୍କବାଦୀଙ୍କ ଘରେ ପଶି ଆତଙ୍କୀଙ୍କୁ ମାରୁଛନ୍ତି। ଏହାକୁ ନେଇ ଉତ୍ତର ପ୍ରଦେଶ ନିର୍ବାଚନ ଆୟୋଗ ନକ୍ଭୀଙ୍କୁ ରିପୋର୍ଟ ତଲବ କରିଛନ୍ତି।
ଏହା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଭାରତୀୟ ସେନାକୁ ‘ମୋଦୀଙ୍କ ସେନା’ ଭାବେ ସମ୍ବୋଧିତ କରି ସମାନ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଅନେକ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ। ଯୋଗୀଙ୍କ ମନ୍ତବ୍ୟକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅକବରୁଦ୍ଦିନ ଓୱେସୀ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଯୋଗୀ ହିନ୍ଦୁସ୍ତାନର ସେନାକୁ ମୋଦୀଙ୍କ ସେନା କହୁଛନ୍ତି। ସେ ବୁଝିବା ଦରକାର ଯେ ସେନା କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ, ବଂର ପୂରା ଦେଶର।
ନିର୍ବାଚନ ଆୟୋଗ ଉଭୟ ଯୋଗୀ ଏବଂ ନକ୍ଭୀଙ୍କ ବୟାନର ଭିଡିଓ ରେକର୍ଡିଂକୁ ପ୍ରମାଣ ସ୍ବରୂପ ସଂଗ୍ରହ କରିଛନ୍ତି। ବିଶେଷଜ୍ଞଙ୍କ ଦ୍ବାରା ସେଗୁଡ଼ିକର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ସମୟରେ ସେନା ଏବଂ ଯବାନଙ୍କ ଫଟୋକୁ ନ ଯୋଡ଼ିବାକୁ ଭାରତୀୟ ନିର୍ବାଚନ ଆୟୋଗ ସବୁ ଦଳକୁ ନିର୍ଦେଶ ଦେଇଥିଲେ। କିନ୍ତୁ ନେତାମାନେ ଏହାକୁ ବାରମ୍ବାର ଉଲ୍ଲଂଘନ କରିଚାଲିଛନ୍ତି।



