ଲକ୍ଷ୍ନୌରେ ରାଜନାଥଙ୍କୁ ଘେରିବାକୁ ବିରୋଧୀଙ୍କ ଚକ୍ରବ୍ୟୁହ, ତାଙ୍କୁ ଟକ୍କର ଦେବେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ

ଲକ୍ଷ୍ନୌ : ବିଜେପିର ବିଦ୍ରୋହୀ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ଲୋକସଭା ଆସନରୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି। ପୁନମ ସିହ୍ନା ସମାଜବାଦୀ ପାର୍ଟି (ଏସ୍‍ପି) ଟିକେଟରେ ନିର୍ବାଚନ ଲଢିବେ ବୋଲି ଶୁଣିବାକୁ ମିଳୁଛି। ସୂଚନା ଅନୁସାରେ କଂଗ୍ରେସ, ଏସ୍‍ପି ଏବଂ ବିଏସ୍‍ପି ପୁନମ ସିହ୍ନାଙ୍କୁ ସମର୍ଥନ ଦେବେ। ଏଥିପାଇଁ କଂଗ୍ରେସ ଲକ୍ଷ୍ନୌରେ ପ୍ରାର୍ଥୀ ଦେବ ନାହିଁ। ଫଳରେ ଲକ୍ଷ୍ନୌରେ ସିଧାସଳଖ ଭାବେ ରାଜନାଥ ସିଂହ ଏବଂ ପୁନମ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।
ପୁନମ ଏସ୍‍ପିରୁ ନିର୍ବାଚନ ଲଢିବାକୁ ଥିବାରୁ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ମିଶିବା ଯୋଜନାକୁ ସ୍ଥଗିତ ରଖିଛନ୍ତି। ପୁନମ ସିହ୍ନାଙ୍କ ଏସ୍‍ପିରେ ଯୋଗଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରପକ୍ଷରେ ଶତ୍ରୁଘ୍ନ ସିଂହ୍ନା ଅପ୍ରେଲ ୬ରେ କଂଗ୍ରେସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କୁହାଯାଉଛି କଂଗ୍ରେସ ଶତ୍ରୁଘ୍ନଙ୍କୁ ପାଟନା ସାହିବରୁ ପ୍ରାର୍ଥୀ କରିବ। ଏବେ ଲକ୍ଷ୍ନୌ ଲୋକସଭା ଆସନରେ ରାଜନାଥଙ୍କୁ ଘେରିବା ପାଇଁ ସମସ୍ତ ବିରୋଧୀ ଦଳ ମିଶି ଚକ୍ରବ୍ୟୁହ ରଚୁଛନ୍ତି।
ବିଶ୍ଲେଷଣ କଲେ ଜଣାପଡେ ଯେ ଲକ୍ଷ୍ନୌ ଲୋକସଭା ଆସନରେ ୪ ଲକ୍ଷ କାୟସ୍ଥ ଏବଂ ୧.୩ ଲକ୍ଷ ସିନ୍ଧୀ ମତଦାତା ଅଛନ୍ତି। ଏହାବ୍ୟତୀତ ଏଠାରେ ୩.୫ ଲକ୍ଷ ମୁସଲମାନ ଭୋଟର ଅଛନ୍ତି। ଶତ୍ରୁଘ୍ନ ସିହ୍ନା କାୟସ୍ଥ ଜାତିର ହୋଥିବାବେଳେ ତାଙ୍କ ପତ୍ନୀ ସିନ୍ଧୀ ଜାତିର। ତେଣୁ ପୁନମ କାୟସ୍ଥ ଏବଂ ସିନ୍ଧୀ ଜାତି ଲୋକଙ୍କ ସମର୍ଥନ ଲାଭ କରିବେ ବୋଲି ଆଶା କରାଯାଉଛି। କଂଗ୍ରେସ, ଏସ୍‍ପି ଓ ବିଏସ୍‍ପି ସମର୍ଥନ ପାଇବା ପରେ ମୁସଲମାନଙ୍କ ଭୋଟ ବି ତାଙ୍କ ପକ୍ଷକୁ ଯିବ ବୋଲି ଆକଳନ କରାଯାଉଛି। ଫଳରେ ଏହି ଆସନରେ ଜିତିବା ରାଜନାଥଙ୍କ ପକ୍ଷେ ସହଜ ହେବ ନାହିଁ ବୋଲି ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

Comments are closed.