ସଫଳତାର ଜିଦ୍‌ରେ ମୈତ୍ରୀ

ମୁମ୍ବଇ : ଟେଲିଭିଜନର ଧାରାବାହିକ, ଚଳଚ୍ଚିତ୍ରର ଚରିତ୍ର ଏସବୁର କାହାଣୀରେ ଛଳନା ଭରପୂର। ଏମାନେ ନିଜ ଅଭିନୟର ଦକ୍ଷତାରେ ଜଣେ ସାଧାରଣ ଦର୍ଶକକୁ ଭଲଭାବେ ବୁଝାଇ ପାରନ୍ତି ଚ୍ୟାଲେଞ୍ଜ୍ କ’ଣ, ଷ୍ଟ୍ରଗଲିଂ ଜୀବନଶୈଳୀରେ କ’ଣ କରିବାକୁ ହୁଏ? ବାସ୍ତବ ଜୀବନରେ ଏମିତି ପରିସ୍ଥିତି ଆସିଲେ, ସହଜରେ ଗ୍ରହଣ କରିହୋଇନଥାଏ। ହେଲେ ସେସମସ୍ତ ଘଟଣାକୁ ନିଜ ଜୀବନର ସଫଳତାର ପାହାଚ ବୋଲି ଭାବି ଆଗେଇ ପାରୁଥିବା ଉଦାହରଣର ସଂଖ୍ୟା ଖୁୁବ୍ କମ୍। ସେଇ ତାଲିକାରେ ଏକ କ୍ରମାଙ୍କରେ ଅଛନ୍ତି ଆମ ଓଡ଼ିଆ ଝିଅ ମୈତ୍ରୀ ମୋନାଲୀ। ଘରର ଏଇ ସାନଝିଅ ସମସ୍ତଙ୍କର ଖୁବ୍ ଗେହ୍ଲୀ। ବାପା ଭଗବାନ ପ୍ରଧାନ ଓ ମା’ପ୍ରତିଭା ପ୍ରଧାନଙ୍କ ୨ଝିଅ ମଧ୍ୟରେ ସାନ ହେଲେ ମୈତ୍ରୀ।
ସେତେବେଳେ ବୟସ ଜମାରୁ ୫ କି ୬। ଗୁଲୁରୁଗୁଲୁରୁ କଥାରେ ସମସ୍ତଙ୍କ ମନ ମୋହି ନେଉଥିଲେ ମୈତ୍ରୀ। ବଡ଼ ଭଉଣୀ ସ୍ବାତୀ ସୋନାଲୀ ଖୁବ୍ ଭଲ ଚିତ୍ର ଆଙ୍କନ୍ତି। ବାପା-ମା’ଙ୍କ ପ୍ରୋତ୍ସାହନରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସ୍ବାତୀ ଅନେକ ପୁରସ୍କାର ଜିତୁଥିଲେ। ସେସବୁକୁ ଘରେ ଯେତେବେଳେ ସଜାଇ ରଖାଯାଏ, ମୈତ୍ରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ। ମା’ଙ୍କ ପଛରେ ଦଉଡ଼ି ପଚାରନ୍ତି, ଦିଦି ଏଗୁଡ଼ାକ କେଉଁଠୁ ଆଣୁଛି? ମୁଁ ବି ଆଣିବି। ଝିଅର ଏଇ ଚପଳ କଥାରେ ମା’ ହସି କହନ୍ତି, ବଡ଼ ହେଲେ ତୁ ବି ଆଣିବୁ। ମୈତ୍ରୀଙ୍କ ମନ ବୁଝେନା, ଅଳି କରନ୍ତି। ମା’ କିନ୍ତୁ ଝିଅକୁ ବୁଝାଇବାକୁ ଯଥାସାଧ୍ୟ ଚେଷ୍ଟା କରନ୍ତି। ଏସବୁ ଭିତରେ ମା’ ଲକ୍ଷ୍ୟ କଲେ ମୈତ୍ରୀଙ୍କର ଫେସନ୍‌ ଜଗତ ପ୍ରତି ଅହେତୁକ ଆଗ୍ରହ। ମାତ୍ର ୫ ବର୍ଷ ପିଲାର ଏତେ ରୁଚି ଦେଖି ସେ ବ୍ୟସ୍ତ ହେଲେ, ପରେ କିନ୍ତୁ ଭାବିଲେ ପିଲାଳିଆମି। ଟିଭିରେ ମୈତ୍ରୀ ମଡେଲରଙ୍କ କ୍ୟାଟ୍‌ ୱାକ୍ ଦେଖିଲେ ସମ୍ପୂର୍ଣ୍ଣ ନିମଗ୍ନ ହୋଇଯାଉଥିଲେ। ଝିଅର ଆଗ୍ରହ ସମ୍ପର୍କରେ ମା’ ସମୟକ୍ରମେ ଜାଣିପାରିଲେ। ଯଥା ସମୟକୁ କେବଳ ଅପେକ୍ଷା କଲେ। ମୈତ୍ରୀ ସେତେବେଳେ ଷ୍ଟାଣ୍ଡାର୍ଡ-୫ର ଛାତ୍ରୀ। ସାଙ୍ଗସାଥିଙ୍କ ଠାରୁ ଶୁଣି ଘରେ ଜିଦ୍ କଲେ ଛୋଟ ପିଲାଙ୍କ ଫେସନ୍‌ ଶୋ’ରେ ଅଂଶଗ୍ରହଣ ନିମନ୍ତେ। ଝିଅର ବ୍ୟସ୍ତତା ଦେଖି ମା’ ମଧ୍ୟ ଅଥୟ ହୋଇଗଲେ। ମୁଖ୍ୟ କାରଣ ଥିଲା ଆର୍ଥିକ ଅସୁବିଧା। ଭଲ ପୋଷାକ ନଥିଲା କିମ୍ବା ମେକଅପ୍‌ର କୌଣସି ସାମଗ୍ରୀ ମଧ୍ୟ ନଥିଲା। ଶେଷରେ ଝିଅର ମନ ରଖିବାକୁ ସେ ଜନ୍ମଦିନର ପୋଷାକ ପିନ୍ଧାଇ ଅଳ୍ପ କିଛି ତାଲିମ ଦେଇ ପ୍ରସ୍ତୁତ କଲେ। ଭୁବନେଶ୍ବରର ଜୟଦେବ ଭବନରେ ଆୟୋଜିତ ହୋଇଥିଲା ଏଇ ଫେସନ୍ ଶୋ। ଏତେ ବାଧକ ସତ୍ତ୍ବେ ମୈତ୍ରୀ ସେକେଣ୍ଡ ରନର୍ସ ଭାବେ ବିଜୟିନୀ ହେଲେ। ମା’ ପ୍ରତିଭାଙ୍କ ପାଇଁ ଏହା କିଛିି କମ୍ ଆଶ୍ଚର୍ଯ୍ୟ ନଥିଲା। କାରଣ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ତୁଳନାରେ ତାଙ୍କ ଝିଅର ପୋଷାକ ସେଭଳି ଖୁବ୍ ଦାମୀ କିମ୍ବା ହାଇ-ମେକଅପ୍ ନଥିଲା। ମା’ ଜାଣିପାରିଲେ, ଈଶ୍ବର ସଙ୍କେତ ଦେଇସାରିଲେଣି। ଆଉ ପଛକୁ ଫେରିନ ଚାହିଁ ଝିଅକୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ କଲେ। ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ମଧ୍ୟ ମୈତ୍ରୀ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇ ଭାରତକୁ ଗୌରବାନ୍ବିତ କରିଛନ୍ତି।
ମା’ ଓ ବଡ଼ଭଉଣୀ, ମୈତ୍ରୀଙ୍କର ସବୁଠୁ ଭଲ ସାଙ୍ଗ। ତାଙ୍କ ବୟସର ଝିଅ ଫାଷ୍ଟଫୁଡ୍, ସ୍ମାର୍ଟଫୋନ୍, ସାଙ୍ଗସାଥିରେ ମଉଜ୍‌‌, ସିନେମା ଦେଖାରେ ମସଗୁଲ୍ ଥିବାବେଳେ ମୈତ୍ରୀ କିନ୍ତୁ କ୍ୟାରିୟର ଗଢ଼ିବାରେ ବ୍ୟସ୍ତ। ମେଧାବୀ ଛାତ୍ରୀ ୨୦୧୬ରେ ‘କିଟ୍ ନହ୍ନୀ ପରୀ’ ବିଜୟିନୀ ହୋଇଥିଲେ, ପରେ ୨୦୧୭ରେ ରଜ କୁଇନ୍‌ରେ ଫାଷ୍ଟ ରନର୍ସ ଅପ୍, ୨୦୧୮ରେ ମିସ୍ ଇକୋ ଇଣ୍ଟରନ୍ୟାସନାଲ୍ ଡେରାଡୁନ୍, ୨୦୧୯ ମାର୍ଚ୍ଚରେ ରୁବରୁ ମିସ୍ ଇଣ୍ଡିଆ ଇଲାଇଟ୍‌୍ର ବିଜୟୀ ହୋଇଛନ୍ତି।
ଫେସନ୍‌ ଜଗତର କ୍ୟାରିୟରକୁ ନେଇ ଆଗେଇବା ଏତେ ସହଜ ନୁହେଁ। ମୈତ୍ରୀଙ୍କ ପାଖରେ ସେଭଳି ସଂଖ୍ୟାଧିକ ଡିଜାଇନର ପୋଷାକ, ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ(ହାଇ-ହିଲ୍ ଜୋତା, ପମ୍ପ୍ ସୁ, ଦାମୀ କସମେଟିକ୍)ନଥିବା ସତ୍ତ୍ବେ ସେ ନିଜ ଜିଦ୍‌ରୁ ଓହରିନାହାନ୍ତି। ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଲକ୍ଷ୍ୟରେ ନିଜକୁ ଏବେଠାରୁ ପ୍ରସ୍ତୁତ କରୁଛନ୍ତି ମୈତ୍ରୀ।

Comments are closed.