ମୋଦିଙ୍କୁ ମନମୋହନଙ୍କ ଶାଣିତ ସମାଲୋଚନା

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୁଧବାର ଅସ୍ୱାଭାବିକ ଭାବେ ଆକ୍ରମଣ କରିଛନ୍ତି। ମୋଦିଙ୍କ ଦୀର୍ଘ ନିରବତାକୁ ଆକ୍ଷେପ କରି ମନମୋହନ କହିଛନ୍ତି ଯେ ‘ମୋଦି ମୋତେ ଦେଉଥିବା ଉପଦେଶ ନିଜେ ପାଳନ କରନ୍ତୁ। ଦୀର୍ଘ କାଳ ନିରବ ନ ରହି ଅନ୍ତତଃ ଆବଶ୍ୟକ ସମୟରେ କିଛି କହନ୍ତୁ। ମୁଁ ଭାବୁଛି ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ଅନ୍ତତଃ ନିଜର ଅନୁଗାମୀମାନଙ୍କ ପାଇଁ ଆବଶ୍ୟକ ସମୟରେ କିଛି କହିବା ଦରକାର। ମୋଦି କିଛି ନ କହିବା ଦ୍ୱାରା ସେମାନଙ୍କ ମନରୁ ଭୟ ହଟିଯାଉଛି; ଯାହା କିଛି କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ସେମାନେ ଭାବୁଛନ୍ତି।’ ଉନ୍ନଓ ଓ କଠୁଆ ଭଳି ଜଘନ୍ୟ ଅପରାଧ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନିରବତା ପରିପ୍ରେକ୍ଷୀରେ ମନମୋହନ ଏଭଳି ଶାଣିତ ସମାଲୋଚନା କରିଛନ୍ତି।
ଏକ ସାକ୍ଷାତକାରେ ମନମୋହନ କହିଛନ୍ତି ଯେ ‘ଗତ ଶୁକ୍ରବାର ମୋଦିଙ୍କ ଦୀର୍ଘ ନିରବତା ଭଙ୍ଗ ବେଶ୍‍ ଭଲ ଳାଗିଲା; ମୁଁ ଆଶ୍ୱସ୍ଥ ହେଲି। ଉନ୍ନାଓ ଓ କଠୁଆ ମାମଲାରେ ବହୁ ବିଳମ୍ବରେ ଓ ଅନେକ ସମାଲୋଚନା ପରେ ମୋଦି ପ୍ରତିକ୍ରିୟା ପ୍ରକାଶ କରିବା ସହ ଆମ ଝିଅମାନଙ୍କୁ ନ୍ୟାୟ ମିଳିବ ଓ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ। ଏହା ଖୁବ୍‍ ଭଲ କଥା। ମୋତେ ମୋଦି ତଥା ତାଙ୍କ ଦଳ ପୂର୍ବରୁ ‘ମୌନ-ମୋହନ ସିଂହ’ ବୋଲି ସମାଲୋଚନା କରୁଥିଲେ; କିନ୍ତୁ ଏହା ମୋର ଆଦତ। ଅପରପକ୍ଷରେ ପ୍ରଗଳ୍‍ଭ ମୋଦି ଆଜି କାଲି ବହୁ ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛନ୍ତି। ସେ କ’ଣ ସବୁ ସମୟରେ ଏଭଳି ରହିପାରିବେ? ମୋର ନିରବତା ପାଇଁ ମୋତେ ସେ ଯେଉଁ ସମାଲୋଚନା କରୁଥିଲେ ତାହା ତାଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ କି? ତେଣୁ ପ୍ରଧାନମନ୍ତ୍ରୀ ନିଜ ଉପଦେଶ ନିଜେ ପାଳନ କରିବା ଉଚିତ।’
୨୦୧୨ ଦିଲ୍ଲୀ ଗଣବଳାତ୍କାର ମାମଲାରେ ତାଙ୍କ ସରକାର ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି; ଏମିତି କି ଆଇନର ସଂଶୋଧନ କରିଛନ୍ତି; କିନ୍ତୁ କଠୁଆ ମାମଲାରେ ମେହବୁବା ମୁଫତିଙ୍କ ଦୁର୍ବଳତା ପଦାରେ ପଡ଼ିଛି। ବିଶେଷ କରି ବିଜେପିର ଦୁଇ ଜଣ ମନ୍ତ୍ରୀ ଅଭିଯୁକ୍ତ ସପକ୍ଷରେ ଶୋଭାଯାତ୍ରା କରିଛନ୍ତି। କଠୁଆରେ ନିହତ ନାବାଳିକା ନିଜେ ହୁଏତ ଜାଣି ନଥିଲା ସେ ହିନ୍ଦୁ କିମ୍ବା ମୁସଲମାନ। ଏହା ସତ୍ତ୍ବେ ବିଜେପି ଏହି ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ବିଜେପିର ନେତୃବୃନ୍ଦ ଏଥିପ୍ରତି ଆଖି ବୁଜିଦେବା ମଧ୍ୟ ଦୁର୍ଭାଗ୍ୟର ବିଷୟ। କ୍ଷମତା ବିପଥଗାମୀ କରାଏ; କିଛି ଲୋକ ଭାବୁଛନ୍ତି ଯେ ତାଙ୍କ ସରକାର ଅଛନ୍ତି; ତେଣୁ ଯାହା କିଛି କରାଯାଇପାରେ। କ୍ଷମତାର ଅପବ୍ୟବହାର, ମହିଳା ଓ ଦଳିତଙ୍କ ସୁରକ୍ଷା ପ୍ରସଙ୍ଗ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ଆଗାମୀ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନମୋହନ ଚେତାଇ ଦେଇଛନ୍ତି।
ଅପରପକ୍ଷରେ ମନମୋହନଙ୍କ ଏଭଳି ମନ୍ତବ୍ୟର ଜବାବ ରଖିଛି ବିଜେପି। ମନମୋହନ ତାଙ୍କ ଅମଳକୁ ମୋଦିଙ୍କ ସହ ତୁଳନା ନକରନ୍ତୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ମୋଦି ଉପରୋକ୍ତ ଉଭୟ ମାମଲାରେ କଡ଼ା ମନ୍ତବ୍ୟ ରଖିଛନ୍ତି। ଘଟଣାକୁ ନିନ୍ଦା କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷାର ଭରସା ଦେଇଛନ୍ତି। ମୋଦି କିଛି ନକହିବା ଅର୍ଥ ଯେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ସେଭଳି ମନମୋହନ ଭାବିବା ଅନୁଚିତ। ଦୟାକରି ମନମୋହନ ନିଜ ସମୟକୁ ମୋଦିଙ୍କ ସହ ତୁଳନା ନ କରନ୍ତୁ ବୋଲି ପ୍ରସାଦ କହିଛନ୍ତି।

Leave A Reply