ରାହୁଲ ଗାନ୍ଧୀଙ୍କୁ ପସନ୍ଦ ଆସିବ ‘ପିଏମ୍ ନରେନ୍ଦ୍ର ମୋଦୀ’ : ବିବେକ ଓବରୟ
ମୁମ୍ବଇ : ‘‘କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ନିଶ୍ଚିତ ପସନ୍ଦ ଆସିବ। କାରଣ ସେ ଜଣେ ଦେଶଭକ୍ତ’’। ଇଣ୍ଡିଆ ଟୁଡ଼େ ସହ ଏକ ସାକ୍ଷାତକାର ଅବସରରେ ଏପରି କହିଛନ୍ତି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ବିବେକ ଓବରୟ। ଏହି ସାକ୍ଷାତକାରରେ ସେ ଚଳଚ୍ଚିତ୍ର ସହ ଜଡ଼ିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ବିଶେଷ କରି ଚଳଚ୍ଚିତ୍ରକୁ ନେଇ ଦେଖା ଦେଇଥିବା ବିବାଦ ବିଷୟରେ ସେ ସ୍ପଷ୍ଟିକରଣ ଦେଇଥିଲେ।
ସେ କହିଛନ୍ତି, ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ପୂର୍ବରୁ ମୁକ୍ତିଲାଭ କରିଥିବା ଅନ୍ୟ ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଗୁଡ଼ିକୁ ଦର୍ଶକଙ୍କ ସମର୍ଥନ ମିଳିଛି। କିନ୍ତୁ ଏବେ ମୋ ଚଳଚ୍ଚିତ୍ରର ମୁକ୍ତିଲାଭକୁ ରୋକିବା ପାଇଁ ଚେଷ୍ଟା କରାଯାଉଛି। ମୁଁ ଚଳଚ୍ଚିତ୍ରଭକ୍ତଙ୍କ ପାଇଁ ନୁହେଁ ବରଂ ଦେଶଭକ୍ତମାନଙ୍କ ପାଇଁ ଏହି ଚଳଚ୍ଚିତ୍ର କରିଛି। ଭୁଲ ବାହାର କରିବା ଲୋକଙ୍କ ଅଭ୍ୟାସ।
ଏହାସହିତ ସେ କହିଛନ୍ତି, ‘‘ଯଦି ରାହୁଲ ଗାନ୍ଧୀ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିବେ ତେବେ ମୁଁ ନିଶ୍ଚିତ ଯେ ତାଙ୍କୁ ମଧ୍ୟ ଏହା ଖୁବ୍ ପସନ୍ଦ ଆସିବ। କାରଣ ସେ ଜଣେ ଦେଶଭକ୍ତ’’। ଲୋକସଭା ନିର୍ବାଚନ ପୂର୍ବରୁ ଚଳଚ୍ଚିତ୍ର ମୁକ୍ତିଲାଭ ହେବାକୁ ନେଇ ବିବେକ କହିଛନ୍ତି, ‘‘କେବେ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ଏହା କହିବା କାହାର ଅଧିକାର ନାହିଁ। ଆମେ ଗଣତାନ୍ତ୍ରିକ ଦେଶରେ ରହୁଛେ। ଏଠାରେ କାହାର ପ୍ରଭାବ କାମ ଦିଏନି ବରଂ ଏଠାରେ କାମକୁ ପ୍ରଧାନ୍ୟତା ଦିଆଯାଏ ଓ ସେହି ଆଧାରରେ ସଫଳତା ମିଳିଥାଏ’’।
ଉଲ୍ଲେଖଯୋଗ୍ୟ, ଆରମ୍ଭରୁ ହିଁ ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରକୁ ନେଇ ଅନେକ ରାଜନୈତିକ ବିବାଦ ଦେଖା ଦେଇଥିଲା। ତେବେ ଚଳଚ୍ଚିତ୍ରକୁ ନେଇ ହୋଇଥିବା ସମସ୍ତ ଅଭିଯୋଗ ଖାରଜ ହୋଇଛି ଏବଂ ଏହା ୫ ଏପ୍ରିଲରେ ମୁକ୍ତିଲାଭ କରିବ।
Comments are closed.