ବିଜେଡି ଓ କଂଗ୍ରେସକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ତୀବ୍ର ସମାଲୋଚନା

ଖୁଣ୍ଟା : ଡୁକୁରା ଖେଳ ପଡିଆରେ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦଳର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଇଂ ବିଶ୍ୱେଶ୍ୱର ଟୁଡୁ ଓ ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନଙ୍କ ପାଇଁ ଭୋଟ ମାଗିଛନ୍ତି। ରଘୁବର ନିଜର ଅଭିଭାଷଣରେ ବିଜେଡି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ।
ସୂଚନା ଅନୁସାରେ ରଘୁବର ଅପରାହ୍ଣରେ ହେଲିକପ୍ଟରରେ ସଭାସ୍ଥଳି ନିକଟରେ ଅବତରଣ କରିଥିଲେ। କଂଗ୍ରେସ ପାଇଁ ଦେଶରେ ଗରିବୀ ବୃଦ୍ଧିପାଇଥିବା କହିବା ସହ ଶ୍ରୀ ଦାସ କଂଗ୍ରେସରେ ବଂଶବାଦ ଚାଲିଥିବା କହିଥିଲେ। ସେହିପରି ବିଜେଡିକୁ ସୋମାଲୋଚନା କରିବାକୁ ଯାଇ କେନ୍ଦ୍ର ସରକାରଙ୍କ ଆୟୂଷ୍ମାନ ଯୋଜନାକୁ ନବୀନ ସରକାର ରାଜ୍ୟରେ ଲାଗୁ କରୁନଥିବା କହିଥିଲେ। ବିଜେପି ଦ୍ୱାରା ବେଟି ବଚାଓ ବେଟି ପଢାଓ, ଆୟୂଷ୍ମାନ ଯୋଜନା, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଉଜ୍ଜ୍ୱଳା ଯୋଜନାରେ ମହିଳାଙ୍କୁ ସିଲିଣ୍ଡର ଆଦି ବିଭିନ୍ନ ଯୋଜନା ବାବଦରେ ଉପସ୍ଥିତ ଜନତାଙ୍କୁ ସ୍ମରଣ କରାଇଥିଲେ। ଏହି ଅବସରରେ ଓଡିଶାରେ ବାର୍ଦ୍ଧକ୍ୟ, ବିଧବା ଆଦି ଭତ୍ତାର ପରିମାଣ ନିକଟରେ ୫୦୦ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଝାଡଖଣ୍ଡରେ ତାର ପରିମାଣ ୧୦୦୦ଟଙ୍କା ରହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଇବାପାଣି ତଥା ଅନ୍ୟାନ୍ୟ ମୌଳିକ ସୁବିଧା ନଥିବା କହିଥିଲେ। ଓଡିଶାର ପ୍ରଚୁର ଖଣିଜ ସମ୍ପଦ ରହିଥିବା ବେଳେ ମୋଦି ସରକାରଙ୍କ ଖଣି ନୀତି ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ। ତାଙ୍କର ସରକାର କ୍ଷମତାକୁ ଆସିଲେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶକୁ ଅଗ୍ରାଧିକାର ଦେବା, ଦେଶର ଅଗ୍ରତି ପାଇଁ ମହିଳାଙ୍କୁ ଆର୍ଥିକ ଭାବେ ସ୍ୱଚ୍ଛଳ କରିବା ଉପରେ ଗୁରତ୍ୱ ଦେବ ବୋଲି କହିଥିଲେ।
ଝାଡଖଣ୍ଡରେ ତାଙ୍କର ସରକାର କନ୍ୟା ଜନ୍ମ ଠାରୁ ପାଠପଢା ଓ ବିବାହ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସୁକନ୍ୟା ଯୋଜନାରେ ପର୍ଯ୍ୟାପ୍ତ ଆର୍ôଥକ ସହାୟତା ପ୍ରଦାନ କରାଯାଉଥିବା କଥା କହିଥିଲେ। ଜନଧନ ଯୋଜନାରେ ବିଜେପି ସରକାର ଦେଶର ଲୋକଙ୍କୁ ବ୍ୟାଙ୍କ କାରବାର ସହିତ ଜଡିତ କରିପାରିଥିବା କହିଥିଲେ। ମୋଦି ସରକାର ବିନା ଭେଦଭାବରେ ସବକା ସାଥ ସବକା ବିକାଶ ଉପରେ ଗୁରତ୍ୱ ଦେଇଆସିଥିବା କହିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ଦାସ ନିଜ ଭାଷଣରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଓ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ କଥା ଉଲେଖ କରି ତା ଉପରେ ପ୍ରଶ୍ନ ଉଠାଉଥିବା ବ୍ୟକ୍ତିମାନଙ୍କୁ ଜୟଚନ୍ଦ୍ର ଓ ମିରଜାଫର ବୋଲି କହିଥିଲେ।

kalyan agarbati

Comments are closed.