ସ୍ବତନ୍ତ୍ରତା, ସ୍ବାଭିମାନର ଦିବସ

0

ପ୍ରବୋଧ କୁମାର ମିଶ୍ର

prayash

ଓଡ଼ିଶାର ସ୍ବତନ୍ତ୍ରତା, ସ୍ବାଭିମାନ ଏବଂ ସ୍ବାଧିକାରର ସ୍ମାରକ ଦିବସ ଭାବେ ୧୯୩୬ ମସିହା ଏପ୍ରିଲ ପହିଲା ସ୍ମରଣୀୟ ହୋଇ ରହିବ। ଉତ୍କଳୀୟ-ଜାତୀୟତାର ମହକ ‘ଉତ୍କଳ ସମ୍ମିଳନୀ’ ମାଧ୍ୟମରେ ତତ୍କାଳୀନ ଓଡ଼ିଶାର ସାମାଜିକ ଓ ସଂାସ୍କୃତିକ ଧାରାକୁ ଏକୀଭୂତ କରିବାପାଇଁ ଯେଉଁ ଆନ୍ଦୋଳନର ସୂତ୍ରପାତ କରିଥିଲା, ତାହା ଏପ୍ରିଲ ପହିଲାରେ ହିଁ ସାଫଲ୍ୟମଣ୍ଡିତ ହୋଇଥିଲା। ୧୯୩୫ ମସିହାରେ ତତ୍କାଳୀନ ଭାରତ ସରକାରଙ୍କ ଆଇନାନୁମୋଦିତ ହେବାପରେ ପରବର୍ତ୍ତୀ ବର୍ଷର ଉପରୋକ୍ତ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା। ଏହାର ପୃଷ୍ଠଭୂମି ଥିଲା ମହାନ। ସେତେବେଳେ ଉତ୍କଳ ସମ୍ମିଳନୀ ଥିଲା ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ସଦୃଶ। ଲକ୍ଷ୍ୟକଲେ ଜଣାଯାଏ ଯେ ପୂର୍ବବର୍ତ୍ତୀ ଓଡ଼ିଶା ଏକପ୍ରକାର ବିଖଣ୍ଡିତ ଅବସ୍ଥାରେ ଥିଲା। ପଶ୍ଚିମାଞ୍ଚଳ ସମ୍ବଲପୁରରେ ହିନ୍ଦୀଭାଷା ଦକ୍ଷିଣରେ ତେଲଗୁଭାଷା ଓ ଉତ୍ତରରେ ବଙ୍ଗୀୟ ଭାଷାର ପ୍ରଭାବ ଓଡ଼ିଆ ଭାଷାକୁ ଦୁର୍ବଳ କରିଥିବା ଦେଖାଗଲା। ଓଡ଼ିଆଭାଷା ସ୍ବତନ୍ତ୍ର ନୁହେଁ ବୋଲି ବିଲାତ ସାହେବ ମତ ଦେଇଥିଲେ। ଉଲ୍ଲେଖନୀୟ ଯେ ଉତ୍କଳ ଗୌରବ ମଧୁବାବୁ କଲିକତା କୋର୍ଟରେ ଓକିଲାତି କରିବାକୁ ଯାଇ ବଙ୍ଗୀୟ ଓକିଲଙ୍କର ତାଚ୍ଛଲ୍ୟର ଶିକାର ହୋଇଥିଲେ ଓ ପରେ ନିଜର ବିଦ୍‌ବତ୍ତା ବଳରେ ଖ୍ୟାତି ଲାଭକରି ବିଲାତ ସାହେବଙ୍କ କୋର୍ଟରେ ନିଜର ପ୍ରତିପତ୍ତି ଦେଖାଇଥିଲେ। ମଧୁବାବୁ ପରବର୍ତ୍ତୀ କାଳରେ ନିଜର ପ୍ରତିପତ୍ତି, ପ୍ରଭାବ ବଳରେ କାର୍ଯ୍ୟକରିବା ସାଙ୍ଗକୁ ଓଡ଼ିଶାର ଭାଷା, ସଂସ୍କୃତି ଓ ସ୍ବତନ୍ତ୍ରତା ରକ୍ଷା ପାଇଁ ଜନଜାଗରଣ ଆରମ୍ଭ କଲେ, ଉତ୍କଳ ସମ୍ମିଳନୀ ମାଧ୍ୟମରେ। ଅଳମ୍ ଅତି ବିସ୍ତରେଣ।
ଇତି ମଧ୍ୟରେ ମଧୁବାବୁଙ୍କଠାରୁ ୧୦ ବର୍ଷ ବୟସରେ ବଡ଼ କର୍ମବୀର ଗୌରୀଶଙ୍କର (୧୮୩୮ ମସିହା) ସରକାରୀ ଚାକିରି ଛାଡ଼ି ୧୮୬୭ ମସିହାରେ ‘ଉତ୍କଳ ଦୀପିକା’ ପତ୍ରିକା ପ୍ରକାଶ କରି ଓଡ଼ିଆଭାଷାର ସୁରକ୍ଷା ପାଇଁ କର୍ମତତ୍ପର ହୋଇ ଉଠିଥିଲେ। ଏଥିସହ କବିବର ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେର, ବ୍ୟାସକବି ଫକିରମୋହନ ସେନାପତି, ଉତ୍କଳରତ୍ନ ନୀଳମଣି ବିଦ୍ୟାରତ୍ନ, ପଲ୍ଲୀକବି ନନ୍ଦକିଶୋର, କବି ଚିନ୍ତାମଣି ମହାନ୍ତି, କବି ବ୍ରଜନାଥ ବଡ଼ଜେନା, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରମୁଖ ମନୀଷୀ କାବ୍ୟ ସାହିତ୍ୟ ଓ ଜାତୀୟବାଦୀ- ପ୍ରାଣସ୍ପନ୍ଦନକାରୀ କବିତା ଲେଖି ଜାତୀୟ ଚେତନା ଜାଗ୍ରତ କଲେ। କବି ଗଙ୍ଗାଧର, ଫକିର ମୋହନ, ମଧୁବାବୁ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ଜାତୀୟତାବାଦୀ ଆହ୍ବାନ ଓଡ଼ିଆ ପ୍ରାଣରେ ଝଙ୍କାର ସୃଷ୍ଟିକଲା। ଏହି ସମୟ ସୀମା ମଧ୍ୟରେ ତତ୍କାଳୀନ ରାଜା ସୁଢ଼ଳଦେବ, ବିକ୍ରମ​ ‌େ​‌ଦବ, ଧରାକୋଟ ରାଜା, ପାରଳାଖେ ମୁଣ୍ଡି ରାଜା, ମୟୂରଭଞ୍ଜ ରାଜା ପ୍ରମୁଖ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷାରେ ମନୋନିବେଶ କରିଥିଲେ। ରାଜନ୍ୟ ପ୍ରୋତ୍ସାହନ ଓ ଜାତୀୟତାବାଦୀ ସାଧକଙ୍କ ଆବାହନୀ ମନ୍ତ୍ରଫଳରେ ଓଡ଼ିଆ ଭାଷା, ସଂସ୍କୃତିର ବିକାଶ ଓ ପ୍ରସାର ହୋଇଥିଲା। ମଧୁବାବୁଙ୍କ ଡାକରା ଥିଲା ‘‘ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ। ପୁରୁବ ଗୌରବ ପୁରୁବ ସାହସ ପଡ଼ିବ କି କେବେ ମନେ? ଜାତି ନନ୍ଦି​‌େ​‌ଘାଷ ଚଳିବ କି ଭାଇ ସ୍ବାର୍ଥକୁ ସାରଥି କଲେ। ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁଖେ ବନ୍ଧା ଥିଲେ। ’’
କବି ଗଙ୍ଗାଧରଙ୍କ ଭାଷା ଥିଲା-
ମାତୃଭୂମି, ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ।
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ। ଇତ୍ୟାଦି।
ପଣ୍ଡିତ ଗୋପବନ୍ଧୁ ଓ କୁନ୍ତଳାକୁମାରୀ ସାବତଙ୍କ ଓଜସ୍ବିନୀ ଲେଖନୀ ଜାଗରଣ ଆଣିଥିଲା। କର୍ମବୀର ଗୌରୀଶଙ୍କର ‘ଉତ୍କଳଦୀପିକା’ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ପାଇଁ ବଳିଷ୍ଠ ଲେଖନୀ ଚଳାଇଥିଲେ। ସଂକ୍ଷେପରେ କୁହାଯାଇପାରେ ଯେ ପୂର୍ବସୂରିମାନଙ୍କ ତ୍ୟାଗ, ସାଧନା ବଳରେ, ବିଶେଷତଃ ଉତ୍କଳ ସମ୍ମିଳନୀର ପ୍ରବଳ ଦାବି ଭିତରେ ବିଲାତ ସରକାର ମୁଣ୍ଡ ନୂଆଁଇ ସ୍ବତନ୍ତ୍ର ଓଡ଼ିଶାକୁ ସ୍ବୀକୃତି ଦେବାପାଇଁ ବାଧ୍ୟ ହୋଇଥିଲେ। ଦୈବ ବିଡ଼ମ୍ବନା ଏହି ଯେ ସ୍ବତନ୍ତ୍ର ଓଡ଼ିଶା ଗଠନର ୨ବର୍ଷ ପୂର୍ବରୁ ମଧୁବାବୁ ୧୯୩୪ ମସିହାରେ ଏବଂ ପଣ୍ଡିତ ଗୋପବନ୍ଧୁ ଆଠବର୍ଷ ପୂର୍ବରୁ ୧୯୨୮ ମସିହାରେ ଇହଲୀଳା ସମ୍ବରଣ କଲେ। ଜାତିର ଇତିହାସରେ ଆଜି ସ୍ବତନ୍ତ୍ର ଓଡ଼ିଶା ଓ ଓଡ଼ିଆ ଭାଷା ସମୃଦ୍ଧି ପଥରେ ଗତିଶୀଳ। ତେବେ ଏହା ବିଖଣ୍ଡିତ। ଷଢ଼େଇକଳା, ଖରସୁଆଁ, ବସ୍ତର , ଇଚ୍ଛାପୁର, ସିଂହଭୂମି, ମାନଭୂମି, ବୀରଭୂମି, ଚକ୍ରଧରପୁର, ଫୁଲଝର ଆଦି ବିସ୍ତୃତ ଓଡ଼ିଆ ଅଞ୍ଚଳ ଅାଜି ଅନ୍ୟରାଜ୍ୟରେ ସାମିଲ ହୋଇଛି। ଆମ ସ୍ବାଧୀନ ସରକାରଙ୍କ ଭାଷାଭିତ୍ତିରେ ପ୍ରଦେଶ ଗଠନବେଳେ ଏହି ଅଞ୍ଚଳଗୁଡ଼ିକ ରାଜନୈତିକ ଚକ୍ରାନ୍ତର ଶିକାର ହେବା ଫଳରେ ବୃହତ୍ତର ଉତ୍କଳ ସ୍ବପ୍ନ ସାକାର ହୋଇପାରିନାହିଁ। ସେ ସ୍ବପ୍ନ ଆମକୁ ସାକାର କରିବାକୁ ପଡ଼ିବ। ଏବେ ମଧ୍ୟ ଆମ ରାଜ୍ୟକୁ ଲାଗିରହିଥିବା ଓଡ଼ିଆଭାଷୀ ଅଞ୍ଚଳରେ ଓଡ଼ିଆଭାଷାର ସୁରକ୍ଷା ପ୍ରତି ଯଥୋଚିତ ପଦକ୍ଷେପ ନିଆଯାଉ ନଥିବା ଅଭ​ି‌େ​‌ଯାଗ ହୁଏ। ଆଜି ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଦିଆଯାଇଥିବାବେଳେ ତା’ର ଯଥାଯଥ କାର୍ଯ୍ୟକାରିତା ପ୍ରତି ଦୃଷ୍ଟି ଦେବାକୁ ହେବ। ଆମେ ଅନେକ ଓଡ଼ିଆ ଓଡ଼ିଆଭାଷା ଲେଖିବା, କହିବାରେ ଅସମର୍ଥ ହେଉଥିବା ଏକ ଜାତୀୟ ଲଜ୍ଜାବୋଲି କହିବାକୁ ହେବ। ଓଡ଼ିଶାର ସ୍ବାଭିମାନ, ସଂସ୍କୃତି, ପରମ୍ପରା, ଆଚାରବିଚାରକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ମଧୁବାବୁ ଓ ଗୋପବନ୍ଧୁଙ୍କ ଭଳି ଯେଉଁ ସାଧକଗଣ ରକ୍ତ, ଲୁହ ଦେଇ ଏ ଜାତିକୁ ଜାଗ୍ରତ କଲେ ସେମାନଙ୍କ ପାଇଁ ଆମର ଶେଷ ଅର୍ଘ୍ୟ ହେବ ‘ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ।’ ବନ୍ଦେ ଉତ୍କଳ ଜନନୀ!
ସହିଦନଗର, ଭୁବନେଶ୍ବର

kalyan agarbati
Leave A Reply