www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ଝୁଲିଲା ମହାନଦୀ ମାମଲା

ଓଡ଼ିଶାରେ ଯେଉଁ କଥାଟି ଅଛି, ‘ଆରେ ଢ଼ମଣା ବୁଲିବୁଲି କରି ସେଇ ଅଗଣା’ ତାହା ମହାନଦୀ ଜଳବଣ୍ଟନ ପ୍ରସଙ୍ଗରେ ସେଇଭଳି ସ୍ଥିତିରେ ପହଞ୍ଚିଛି। ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ଓଡ଼ିଶା ପକ୍ଷରୁ ବହୁବାର ଉଦ୍ୟମ ସତ୍ତ୍ବେ ଛତିଶଗଡ଼ ସରକାରଙ୍କ ଅସହଯୋଗ ଯୋଗୁଁ ତାହା ସଫଳ ହୋଇପାରିନଥିଲା। ଫଳରେ ଓଡ଼ିଶା ବାଧ୍ୟ ହୋଇ ଅଦାଲତର ଅାଶ୍ରୟ ନେଇଥିଲା ଏବଂ ମାମଲାର ସମାଧାନ ପାଇଁ ଟ୍ରାଇବ୍ୟୁନାଲ ଗଠିତ ହେଲା। ମାମଲାର ବିଚାର କରୁଥିବା ଟ୍ରାଇବ୍ୟୁନାଲର ତିନିଜଣିଆ ପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବାପରେ ରାୟ ଦେବା ପରିବର୍ତ୍ତେ ବିବାଦର ଆପୋସ ସମାଧାନ ପାଇଁ ଦୁଇ ରାଜ୍ୟସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୧୧ରେ ହେବବୋଲି ଟ୍ରାଇବ୍ୟୁନାଲ ଦିନ ଧାର୍ଯ୍ୟ କରିବାସହ ଦୁଇପକ୍ଷଙ୍କୁ ଆଉ ଥରେ ଆଲୋଚନାକରି ସମାଧାନର ରାସ୍ତା ବାହାର କରିବାକୁ କହି ରାୟ ସ୍ଥଗିତ ରଖିଛନ୍ତି। ବିଚାରପତିଗଣ କହିିଛନ୍ତି ଯେ ଆଗାମୀ ବର୍ଷାଋତୁ ପୂର୍ବରୁ ଏହି ବିବାଦର ଏକ ଗ୍ରହଣଯୋଗ୍ୟ ସମାଧାନ ପନ୍ଥା ବାହାରିବା ଉଚିତ। ଆହୁରି ମଧ୍ୟ ଏହି ବିବାଦରେ ଓଡ଼ିଶା ଓ ଛତିଶଗଡ଼ ସମେତ ଅନ୍ୟାନ୍ୟ ପକ୍ଷ, ଯଥା- ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କୁ ମଧ୍ୟ ସତ୍ୟପାଠ ଦାଖଲ କରିବାକୁ ଟ୍ରାଇବ୍ୟୁନାଲ ନିର୍ଦେଶ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଅଣ-ମୌସୁମୀ ଋତୁରେ ଓଡ଼ିଶାକୁ ୧.୭୪ ନିୟୁତ ଏକର ଫୁଟ ଜଳ ମହାନଦୀରେ ଛାଡ଼ିବା ସହ ଛତିଶଗଡ଼ରେ ନିର୍ମାଣାଧୀନ ବ୍ୟାରେଜଗୁଡ଼ିକ ଉପରେ ରହିତାଦେଶ ଜାରି କରିବାକୁ ଓଡ଼ିଶା ପକ୍ଷରୁ ଯେଉଁ ମଧ୍ୟବର୍ତ୍ତୀକାଳୀନ ଆବେଦନ କରାଯାଇଥିଲା ତା’ ଉପରେ ଟ୍ରାଇବ୍ୟୁନାଲ ନିର୍ଦିଷ୍ଟ ଭାବେ କିଛି କହିନାହାନ୍ତି।
ଏଇ ପ୍ରସଙ୍ଗରେ ଟ୍ରାଇବ୍ୟୁନାଲର ବିଜ୍ଞ ବିଚାରପତିଙ୍କ ନିଷ୍ପତ୍ତି ଓ ଦୃଷ୍ଟିକୋଣକୁ ଆମେ ସମ୍ମାନ ଦେଉଥିବାବେଳେ ଆମ ମନରେ ପ୍ରଶ୍ନ ଉଠୁଛି ଯେ ପୁନର୍ବାର ଆପୋସ ଆଲୋଚନା ଦ୍ବାରା ବିବାଦର ସମାଧାନ ଅସମ୍ଭବ ଲାଗୁଛି। ବିବାଦର ଆପୋସ ସମାଧାନ ପାଇଁ ଦୁଇପକ୍ଷର ସହଯୋଗ ପ୍ରଥମ ସର୍ତ୍ତ। ଛତିଶଗଡ଼ ଏଥିରେ ସହଯୋଗ କରିବ ତ? ଏବେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଚାଲିଛି ଏବଂ ନୂଆ ସରକାର ନିର୍ବାଚିତ ହୋଇ ଶାସନଡୋର ଧରିବାବେଳକୁ ବର୍ଷାଋତୁୁ ପ୍ରାୟ ଆସି ଯାଇଥିବ। ତେଣୁ ଏହି ଅଳ୍ପ ସମୟ ମଧ୍ୟରେ ଅଧିକାରୀସ୍ତରୀୟ ଆଲୋଚନା କରି ଦୁଇପକ୍ଷ ଏକ ବୁଝାମଣାରେ ଉପନୀତ ହେବାର ସମ୍ଭାବନା କମ୍‌ ଦେଖାଦେଉଛି। ଦ୍ବିତୀୟ କଥାଟି ହେଲା ରହିତାଦେଶ ନମିଳିବାରୁ ଛତିଶଗଡ଼’ ତା’ର ନିର୍ମାଣାଧୀନ ପ୍ରକଳ୍ପ, ଯେଉଁଗୁଡ଼ିକ ଅନ୍ତିମ ପର୍ଯ୍ୟାୟରେ ରହିଛି, ତାହାକୁ ବର୍ଷାଋତୁ ପୂର୍ବରୁ ସଂପୂର୍ଣ୍ଣ କରିବାକୁ ସୁଯୋଗ ପାଇବ। ଯେଉଁ କାରଣରୁ ଟ୍ରାଇବ୍ୟୁନାଲ ତାଙ୍କର ରାୟ ସ୍ଥଗିତ ରଖିଥାଆନ୍ତୁ ନା’ କାହିଁକି ଗୋଟିଏ ଅନୁମାନ ସେଥିରୁ ଅଧିକ ବାସ୍ତବ ଲାଗୁଛି ଯେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବୋଧହୁଏ ଏହି ରାୟ ପ୍ରକାଶ କରାଯାଇନାହିଁ। ପରବର୍ତ୍ତୀ ଶୁଣାଣି ହୋଇ ରାୟ ପ୍ରକାଶ ପାଇବାବେଳକୁ ଲୋକସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବ।
ଏହି ପ୍ରସଙ୍ଗରେ ଅନ୍ୟକିଛି ବିକଳ୍ପ ନଥିବାରୁ ଏବେ ଓଡ଼ିଶାକୁ ଆଉଥରେ ଛତିଶଗଡ଼ ସହ ଆଲୋଚନା କରିବାକୁ ହେବ ଏବଂ ତାହାର ଭବିଷ୍ୟତ କ’ଣ ହେବ ସେ ନେଇ କିଛି କୁହାଯାଇ ନ’ପାରେ। ତଥାପି ଆଶା କରାଯାଏ ଯେ ଜଳବଣ୍ଟନଭଳି ଏକ ଅତି ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଟ୍ରାଇବ୍ୟୁନାଲ କ୍ଷତିଗ୍ରସ୍ତ ଓଡ଼ିଶାକୁ ନିରାଶ କରିବେ ନାହିଁ।
ମହାନଦୀ ଜଳବିବାଦ ପ୍ରାରମ୍ଭିକ ଅବସ୍ଥାରେ ଓଡ଼ିଶା ରାଜନୀତିରେ ଯେଉଁ ଗୁରୁତ୍ବ ପାଇଥିଲା କ୍ରମଶଃ ତାହା ଦୁର୍ବଳ ହୋଇଯାଇଛି। ଆଶା କରାଯାଉଥିଲା ଯେ ଚଳିତ ନିର୍ବାଚନରେ ଏହା ରାଜ୍ୟର ସବୁଠୁ ବଡ଼ ରାଜନୈତିକ ପ୍ରସଙ୍ଗ ହେବ, କିନ୍ତୁ ତାହା ହୋଇପାରିନାହିଁ। ରାଜନୀତିର ନୂଆ ସମୀକରଣ ଓ ଅନ୍ୟାନ୍ୟ ବାସ୍ତବତା ଭିତରେ ଏହା ଏକ ସାଧାରଣ ବା ମାମୁଲି ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି। ନିର୍ବାଚନ ସରିଗଲା ପରେ, ବର୍ଷାଋତୁ ଆସିଯିବ ଏବଂ ଛତିଶଗଡ଼ର ବଳକା ପାଣି ହୁଏତ ମହାନଦୀର ବକ୍ଷକୁ ସ୍ଫୀତ କରିବାସହ ଏକ ସମ୍ଭାବ୍ୟ ବଡ଼ ବନ୍ୟା ଆଣି ଏହି ପ୍ରସଙ୍ଗକୁ ଭସାଇ ନେଇପାରେ। ତଥାପି ଦେଶର ଆଇନ ଓ ବିଚାର ପ୍ରକ୍ରିୟା ଉପରେ ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories